ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆ ଅଞ୍ଚଳରେ ଏକ ବଡ଼ ଧରଣର କେମିକାଲ୍ ଲିକ୍‌ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣଙ୍କ ଚିନ୍ତା ବଢ଼ାଇ ଦେଇଛି । ଏକ କାରଖାନାର ଷ୍ଟୋରେଜ୍ ଟ୍ୟାଙ୍କରୁ କ୍ରମାଗତ ଭାବେ ବିପଜ୍ଜନକ ରାସାୟନିକ ପଦାର୍ଥ ନିର୍ଗତ ହେବା ପରେ ସେଠାରେ ବିସ୍ଫୋରଣର ଆଶଙ୍କା ଦେଖାଦେଇଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୪୦,୦୦୦ ବାସିନ୍ଦାଙ୍କୁ ତୁରନ୍ତ ନିଜ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଜିକେଏନ୍ ଏରୋସ୍ପେସ୍ ପ୍ଲାଣ୍ଟରେ ଦୁର୍ଘଟଣା
କାଲିଫର୍ଣ୍ଣିଆର ଅରେଞ୍ଜ କାଉଣ୍ଟି ଅନ୍ତର୍ଗତ ଗାର୍ଡେନ ଗ୍ରୋଭ୍ ସହରରେ ଏହି ଦୁର୍ଘଟଣା ଘଟିଛି । ସେଠାରେ ଥିବା 'ଜିକେଏନ୍ ଏରୋସ୍ପେସ୍' (GKN Aerospace) ପ୍ଲାଣ୍ଟରେ ଥିବା ଏକ ବିଶାଳ ଷ୍ଟୋରେଜ୍ ଟ୍ୟାଙ୍କ ଗୁରୁବାର ଦିନ ହଠାତ୍ ଅତ୍ୟଧିକ ଗରମ ହୋଇଯାଇଥିଲା । ଏହାପରେ ସେଥିରୁ ମାରାତ୍ମକ କେମିକାଲ୍ ବାଷ୍ପ ଆକାରରେ ବାୟୁମଣ୍ଡଳକୁ ନିର୍ଗତ ହୋଇଛି । ଗ୍ୟାସର ପ୍ରଭାବ ଏତେ ଅଧିକ ଯେ, ଶୁକ୍ରବାର ସୁଦ୍ଧା ସମଗ୍ର ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି ।

କେମିକାଲ୍‌ର ପ୍ରଭାବ
ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଲିକ୍‌ ହେଉଥିବା ରାସାୟନିକ ପଦାର୍ଥର ନାମ ହେଉଛି ମିଥାଇଲ୍ ମେଥାକ୍ରାଇଲେଟ୍‌ (Methyl Methacrylate) । ସେହି ନିର୍ଦ୍ଦିଷ୍ଟ ଟ୍ୟାଙ୍କରେ ପ୍ରାୟ ୬,୦୦୦ ରୁ ୭,୦୦୦ ଗାଲନ୍ (ଅର୍ଥାତ୍ ପ୍ରାୟ ୨୨,୭୦୦ ରୁ ୨୬,୫୦୦ ଲିଟର) କେମିକାଲ୍ ମହଜୁଦ ରହିଛି ।
ସାଧାରଣତଃ ଏହି କେମିକାଲ୍‌କୁ ପ୍ଲାଷ୍ଟିକ୍ ପାର୍ଟସ୍, ରବର ଏବଂ ରେଜିନ୍ (Resin) ତିଆରି କରିବା ପାଇଁ ବ୍ୟବହାର କରାଯାଏ । ଏହି କେମିକାଲ୍ ଅତ୍ୟନ୍ତ ବିଷାକ୍ତ ଏବଂ ଜ୍ୱଳନଶୀଳ । ଏଥିରେ ସାମାନ୍ୟ ନିଆଁ ଲାଗିଲେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିବାର ଆଶଙ୍କା ରହିଛି, ଏହା ସ୍ଥାନୀୟ ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇପାରେ ।