ପୁରୀ: ପୁଣି ମହାପ୍ରଭୁଙ୍କ ଭାବାବେଗ ସହିତ ଖେଳ। ଅନଲାଇନରେ ଜଗନ୍ନାଥ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ। ଶୁଖିଲା ମହାପ୍ରସାଦ ଓ ଖଜା ପ୍ରସାଦ ଅନଲାଇନ ବିକ୍ରି ନେଇ ବିଜ୍ଞାପନ। ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏହି ବିଜ୍ଞାପନ। ବ୍ରଜ ମେଳା ନାମକ ଏକ ସଂସ୍ଥା ଏହି ବିଜ୍ଞାପନ ଦେଇଥିବା ଦେଖିବାକୁ ମିଳିଛି। ହରେକୃଷ୍ଣ ଟେଲିଭିଜନ ନାମକ ଏକ ଇନଷ୍ଟାଗ୍ରାମ ଆଇଡିରୁ ଏହି ବିଜ୍ଞାପନ ଦିଆଯାଇଛି। ମହାପ୍ରସାଦ ବରାଦ ପାଇଁ ଯୋଗାଯୋଗ ନମ୍ବର ଦିଆଯାଇଛି। ମହାପ୍ରଭୁଙ୍କ ପ୍ରସାଦକୁ ଏଭଳି ଅପମାନ କୁ ନେଇ ସେବାୟତ ଓ ଜଗନ୍ନାଥ ପ୍ରେମୀ ଙ୍କ ମଧ୍ୟରେ ପ୍ରକାଶ ପାଇଛି ଉଦବେଗ।

ସୂଚନାଯୋଗ୍ୟ, କିଛି ଦିନ ହେବ ସୋସିଆଲ ମିଡିଆ ଏବଂ କେତେକ ପ୍ରତିଷ୍ଠିତ ଅନଲାଇନ ସପିଂ ପ୍ଲାଟଫର୍ମରେ "ଘରେ ବସି ପାଆନ୍ତୁ ପୁରୀର ଅଭଡ଼ା ମହାପ୍ରସାଦ" ଭଳି ଆକର୍ଷଣୀୟ ବିଜ୍ଞାପନ ଦେଖିବାକୁ ମିଳୁଛି। ଏଥିପାଇଁ ଶ୍ରଦ୍ଧାଳୁଙ୍କଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ କରାଯାଉଛି। କିନ୍ତୁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ମହାପ୍ରସାଦର କୌଣସି ବ୍ୟବସାୟୀକରଣ କରାଯାଇପାରିବ ନାହିଁ କିମ୍ବା ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଏହାର ଅନଲାଇନ୍ ବିକ୍ରି ସମ୍ପୂର୍ଣ୍ଣ ବେଆଇନ।

ଗରଜିଲେ ସେବାୟତ, ପରମ୍ପରା ନଷ୍ଟ ହେଉଥିବା ଅଭିଯୋଗ

ଶ୍ରୀମନ୍ଦିରର ସୁଆର ଓ ମହାସୁଆର ନିଯୋଗ ଏହି ଘଟଣାକୁ ନେଇ କଡ଼ା ଆପତ୍ତି ପ୍ରକାଶ କରି ସାରିଛନ୍ତି। ସେବାୟତଙ୍କ କହିବା ଅନୁଯାୟୀ, ମହାପ୍ରସାଦକୁ ଶ୍ରୀମନ୍ଦିର ପରିସରରୁ ବାହାରକୁ ନେଇ କୋରିୟର କିମ୍ବା ଅନଲାଇନ ମାଧ୍ୟମରେ ପଠାଇବା ଦ୍ୱାରା ଏହାର ପବିତ୍ରତା ଓ ଶୁଦ୍ଧତା ନଷ୍ଟ ହେବାର ଆଶଙ୍କା ଥାଏ। ଏହା କେବଳ ଏକ ଖାଦ୍ୟ ନୁହେଁ, ଏହା ହେଉଛି ‘ଅନ୍ନ ବ୍ରହ୍ମ’। ଅନଲାଇନ୍ କମ୍ପାନୀଗୁଡ଼ିକ କେବଳ ମୁନାଫା କମାଇବା ପାଇଁ ଭକ୍ତଙ୍କ ବିଶ୍ୱାସ ସହ ଖେଳୁଛନ୍ତି।

କାର୍ଯ୍ୟାନୁଷ୍ଠାନ ଦାବି କଲେ ଜଗନ୍ନାଥ ପ୍ରେମୀ

ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଓଡ଼ିଶାରେ ଥିବା ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି। ଏଭଳି ବିଜ୍ଞାପନ ଦେଉଥିବା ସଂସ୍ଥା ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ (SJTA) ଏବଂ ସାଇବର ପୋଲିସ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିବା ବେଳେ ବାରମ୍ବାର ଏହାର ପୁନରାବୃତ୍ତି ପ୍ରଶାସନିକ ଶିଥିଳତାକୁ ଦର୍ଶାଉଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।