LIVE TV

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହାଇଡ୍ରାମା, ନକଭିଙ୍କ ହାତରୁ ଟ୍ରଫି ନେଲାନି ଟିମ୍ ଇଣ୍ଡିଆ

NEWS7
naqvi

ନୂଆଦିଲ୍ଲୀ ୨୯/୦୯ : ଏସିଆ କପ୍ ଫାଇନାଲ ପରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହାଇଡ୍ରାମା । ଏସିସି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଭାରତର ପ୍ରତ୍ୟାଖାନ । ଯାହାକୁ ନେଇ ମ୍ୟାଚ୍ ପରବର୍ତ୍ତୀ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ପୋଡିୟମ୍ ଉପରେ ପାକିସ୍ତାନ ଗୃହମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବା ସହ ହଟହଟ୍ଟାର ସମ୍ମୁଖୀନ ହେବାକୁ ପଡ଼ିଛି ।

ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା । ଯାହା ପରେ ଟ୍ରଫି ପ୍ରଦାନ ଉତ୍ସବ ଦେଢ଼ଘଣ୍ଟାରୁ ଅଧିକ ବିଳମ୍ବରେ ଆରମ୍ଭ ହୋଇଥିଲା । ଟିମ୍ ଇଣ୍ଡିଆର ଖେଳାଳିମାନେ ପୋଡିୟମ୍ ନିକଟରେ ବସିଥିଲେ ମଧ୍ୟ ଟ୍ରଫି ନେବାକୁ ଯାଇନଥିଲେ । ଯେଉଁଥି ପାଇଁ ଏସୀୟ କ୍ରିକେଟ୍ ପରିଷଦ ତଥା ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ୍ ନକଭି, ୟୁଏଇ ରାଜପରିବାରର ସଦସ୍ୟ ବହୁତ ସମୟ ପାଇଁ ପୋଡିୟମରେ ଠିଆ ହୋଇଥିଲେ । ଶେଷରେ ଟିମ୍ ଇଣ୍ଡିଆ ପାକିସ୍ତାନ ଗୃହମନ୍ତ୍ରୀଙ୍କ ଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି ।

ରିପୋର୍ଟ ଅନୁଯାୟୀ ଆରବ ଏମିରେଟ୍ସ କ୍ରିକେଟ୍ ବୋର୍ଡ ଉପାଧ୍ୟକ୍ଷ ଖାଲିଦ ଅଲ୍ ଜାହୁରି ଟିମ୍ ଇଣ୍ଡିଆକୁ ଏସିଆ କପ୍ ଟ୍ରଫି ପ୍ରଦାନ କରିପାରନ୍ତି । ଭାରତ ଚାମ୍ପିଅନ ହେବା ପରେ ପୁରସ୍କାର ବିତରଣ  ଉତ୍ସବ ବେଶ ବିଳମ୍ବରେ ଆରମ୍ଭ ହୋଇଥିଲା । ସେପଟେ ବିନା ଟ୍ରଫିରେ ମୈଦାନରେ ସେଲିବ୍ରେସନ କରିଥିଲା ସୂର୍ଯ୍ୟା ସେନା ।  ହୁଏତ ପ୍ରଥମ ଥର ଏସିଆ କପ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଲିଗ୍‌ ମ୍ୟାଚ୍‌ରୁ ଫାଇନାଲ ପର୍ଯ୍ୟନ୍ତ  ‘ନୋ ହ୍ୟାଣ୍ଡସେକ’ ବିବାଦ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ  ପାଲଟିଥିଲା ।

ସେପଟେ ଘଟଣା ପରେ ବିସିସିଆଇ କ୍ଷୁବ୍ଧ ପ୍ରକାଶ କରିଛି । ବିସିସିଆଇ ସଚିବ ଦେବଜିତ ସାଇକିଆ ଆହୁରି କହିଛନ୍ତି, ଏପରି କାର୍ଯ୍ୟ ଅତି ନିନ୍ଦନୀୟ ।ଏସିସି ମୁଖ୍ୟ ଏବଂ ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କଠାରୁ ଟିମ୍ ଇଣ୍ଡିଆର ଟ୍ରଫି ଗ୍ରହଣ କରିବାକୁ ମନା କରିବା ସମ୍ପର୍କରେ, ବିସିସିଆଇ ସଚିବ ଦେବଜିତ ସାଇକିଆ "ଭାରତ ଏକ ଦେଶ ସହିତ ଯୁଦ୍ଧ କରୁଛି । ସେହି ଦେଶର ଜଣେ ନେତାଙ୍କୁ ଟ୍ରଫି ହସ୍ତାନ୍ତର କରିବା କଥା ।

ଆମେ ଏପରି ଜଣେ ବ୍ୟକ୍ତିଙ୍କଠାରୁ ଟ୍ରଫି ଗ୍ରହଣ କରିପାରିବୁ ନାହିଁ ଯିଏ ଆମ ଦେଶ ବିରୁଦ୍ଧରେ ଯୁଦ୍ଧ କରୁଥିବା ଏକ ଦେଶକୁ ପ୍ରତିନିଧିତ୍ୱ କରୁଛି। ସେଥିପାଇଁ ଆମେ ଟ୍ରଫି ଗ୍ରହଣ କରିବାକୁ ମନା କରିଥିଲୁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତି ଆମ ଦେଶକୁ ଦିଆଯିବା କଥା ଟ୍ରଫି ଏବଂ ପଦକକୁ ତାଙ୍କ ହୋଟେଲ ରୁମକୁ ନେଇଯିବେ। ଏହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ। ଯଥାଶୀଘ୍ର ଟ୍ରଫିକୁ ଭାରତକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ । ନଭେମ୍ବରରେ ଦୁବାଇରେ ICC ସମ୍ମିଳନୀ ହେଉଛି। ପରବର୍ତ୍ତୀ ସମ୍ମିଳନୀରେ, ଆମେ ACC ସଭାପତିଙ୍କ କାର୍ଯ୍ୟ ବିରୁଦ୍ଧରେ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଦୃଢ଼ ପ୍ରତିବାଦ ଜଣାଇବୁ।