ପୁରୀ ୨୨/୧୧: ଆହେ ଚକାଆଖି...ଆହେ ଚକାଆଖି....ଶୁଖିଲାଣି ତଣ୍ଟି ଡାକି ଡାକି....ସତ କହୁନି କି ମିଛ ମୁଁ କହୁନି...ବାଇଶି ପାହାଚ ତୋର ସାକ୍ଷୀ..ହେ କାଳିଆ ସାଆନ୍ତ ମୋ ପୁଅକୁ ଟିକେ ଚଲେଇ ଦିଅ।ହେ ଜଗନ୍ନାଥ ମୋ ପୁଅକୁ ଭଲ କରିଦିଅ।ସିଂହଦୁଆରେ ହତଭାଗା ବାପାର କରୁଣ ଗୁହାରୀ।ବାରମ୍ୱାର କରୁଛି ନିବେଦନ,ଫେରାଇଦିଅ ମୋ ପିଲାର ହସ।

ଖାଲିଗୁହାରୀ ନୁହେଁ ତ ଜିଦ୍ ବି,ଯେବେଯାଏଁ ସୁସ୍ଥ ନକରିଛ। ଏଠୁ ଇଞ୍ଚିଏ ହଲିବିନି,କି ଘରକୁ ଯିବିନି।କାରଣ ଭାବର ଠାକୁର ସିଏ ଶୁଣିଛି ଭାବର ଭାଷା।ଯେଉଁ ପିଲା ଦିନେ କୋମାରେ ପଡିଥିଲା, ହଲଚଲ ହେଉନଥିଲା, ସେଇ ପିଲା ଏବେ ହାତ ଗୋଡ଼ ହାତ ହଲଚଲ କରୁଛି । କୋମାରୁ ହେଉଛି ଧୀରେ ଧୀରେ ସୁସ୍ଥ । ପୁରୀ ବଡ଼ଦାଣ୍ଡର ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ....

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଚମତ୍କାର। ଭାବର ଠାକୁର ଶୁଣିଲେ ଭକ୍ତର ଡାକ। କୋମାରେ ଥିବା ଜଣେ ଶିଶୁ ହୋଇଗଲା ସୁସ୍ଥ। ଏ କୁନି ପିଲାଟି ହେଉଛି ପ୍ରକାଶ ଭୋଇଙ୍କ ପୁଅ ନିଖିଲ ଭୋଇ। ସୁଦୂର ରାଜସ୍ଥାନରୁ ଆସିଛନ୍ତି ମହାପ୍ରଭୁଙ୍କ ପାଖକୁ। ପ୍ରକାଶଙ୍କ କହିବା କଥା ବର୍ଷେ ପୂର୍ବରୁ ତାଙ୍କ ପୁଅକୁ ଫିଡ୍ସ ମାରିଥିଲା।

 

ଦୀର୍ଘଦିନ ଧରି ଅହମଦାବାଦର ହସ୍ପିଟାଲରେ ପୁଅର ଚିକିତ୍ସା କରାଉଥିଲେ। କିନ୍ତୁ ପୁଅର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ବଦଳରେ ଅବନତି ଘଟିଲା। ଡାକ୍ତର ମଧ୍ୟ ହାତ ଟେକି ଦେଲେ। ପୁଅକୁ ହସ୍ପିଟାଲରୁ ନେଇଯିବା ପାଇଁ ଡାକ୍ତର ପରାମର୍ଶ ଦେଲେ। ଯେଉଁଠି ଡାକ୍ତର ଫେଲ୍ ମାରିଗଲେ ସେଇଠି ପ୍ରକାଶ ମହାପ୍ରଭୁଙ୍କ ଶରଣରେ ଆସିବା ପାଇଁ ମନ ବଳାଇଲେ।

ଗତ କିଛି ଦିନ ପୂର୍ବେ ଅସୁସ୍ଥ ପୁଅକୁ ଶ୍ରୀମନ୍ଦିର ଆଣି ମହାପ୍ରଭୁଙ୍କ ପାଖରେ ପୁଅକୁ ସମର୍ପି ଦେବା ସହ ପୁଅର ଜୀବନ ଭିକ୍ଷା ପାଇଁ ଠାକୁରଙ୍କ ପାଖରେ ନେହୁରା ହୋଇଥିଲେ। ଆଉ ସେହି ସମୟରେ ଦେଖିବାକୁ ମିଳିଥିଲା ମହାପ୍ରଭୁଙ୍କର ଚମତ୍କାର। କୋମାରେ ଥିବା ନିଖିଳ ହାତଗୋଡ଼ ହଲାଇବା ସହ ଆଖି ଖୋଲି ଚକା ଆଖିକୁ ଚାହିଁଥିଲେ। ମହାପ୍ରଭୁଙ୍କର ଏଭଳି ଚମତ୍କାର ଦେଖି ସମସ୍ତେ ଭାବ ବିଭୋର ହୋଇ ପଡିଥିଲେ। ତେଣୁ ପୁଅର ସ୍ବାସ୍ଥ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଥିବାରୁ ଆଜି ପୁଣିଥରେ ପ୍ରକାଶ ନିଜ ଅସୁସ୍ଥ ପୁଅକୁ ମହାପ୍ରଭୁଙ୍କ ନିକଟକୁ ଆଣିକି ଆସିଥିବା କହିଛନ୍ତି।