ଭୁବନେଶ୍ୱର ୨୦।୦୫ : ମଙ୍ଗଳବାର ଅପରାହ୍ନ ୨ଟା ୩୦ । ହୀରାକୁଦ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍, ଆର୍ଦ୍ରତା ୩୪% । ଅର୍ଥାତ୍ ଅନୁଭୂତ ହେଉଥିଲା ୫୭ ଡିଗ୍ରୀ ସେଲସିୟସ୍ ଭଳି ତାତି । ଝାରସୁଗୁଡ଼ା ୪୬ ଡିଗ୍ରୀ, ସମ୍ବଲପୁର ସହର ୬୦% ତାତି ଭଳି ଜଳୁଥିଲା । ଭୁବନେଶ୍ୱରବାସୀ ସେତେବେଳେ ପ୍ରାୟ ୫୫ ଡିଗ୍ରୀ ସେଲସିୟସ୍ ଭଳି ଉତ୍ତାପରେ କଲବଲ ହେଉଥିଲେ ।

ଭୟାନକ ଗ୍ରୀଷ୍ମ ପ୍ରବାହ । ବାହାରେ ଝାଞ୍ଜିକୁ ଘରେ ଗରମ ବାମ୍ଫ । ଛଟପଟ ଜନଜୀବନ । ଅସ୍ୱାଭାବିକ ତାତିକୁ ବାୟୁମଣ୍ଡଳରେ ଭୀଷଣ ଆର୍ଦ୍ରତା ଯୋଗୁ ଯେତିକି ତାପମାତ୍ରା ରେକର୍ଡ ହେଉଛି, ତା’ଠାରୁ ଅନୁଭୂତ ତାତି ଢେର ଅଧିକ ରହୁଛି । ସନ୍ଧ୍ୟା ପରେ ବି ବାତାବରଣ ଥଣ୍ଡା ପଡ଼ୁନି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ରାତି ୭ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୩୫ରୁ ୩୮ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଛି । ରାତି ତାପମାତ୍ରା ପ୍ରାୟତଃ ୨୮-୩୦ ଡିଗ୍ରୀ ଭିତରେ । ଏପରିକି ସକାଳୁ ଯେଉଁଭଳି ଆର୍ଦ୍ରତା ରହୁଛି, ୩୨ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଛି ।

Also Read:-Horoscope Today : ମେ'୨୦ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମଙ୍ଗଳବାର ଓଡ଼ିଶାର ୨୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ୬ଟି ଜାଗାରେ ପାରଦ ୪୩ ଟପିଥିଲା । ଝାରସୁଗୁଡ଼ା ତାପମାତ୍ରା ସର୍ବାଧିକ ୪୪.୮ ଡିଗ୍ରୀ ସେଲସିୟସ୍ ଥିଲା । ହୀରାକୁଦ ୪୪, ଅନୁଗୁଳ ୪୩.୬, ସମ୍ବଲପୁର ୪୩.୬, ତାଳଚେର ୪୩, ବୌଦ୍ଧ ୪୩, ସୋନପୁର ୪୨.୬, ଟିଟିଲାଗଡ଼ ୪୨.୩, ଭୁବନେଶ୍ୱର ୪୦.୧ ଡିଗ୍ରୀ ସେଲସିୟସ୍ ଥିଲା । ସବୁଠୁ ସାଂଘାତିକ ସ୍ଥିତି ଆଣିଛି ଉଷ୍ମ ରାତି । ଅର୍ଥାତ୍ ରାତ୍ରିକାଳୀନ ତାପମାତ୍ରା ସ୍ୱାଭାବିକଠାରୁ ଢେର ଅଧିକ ରହୁଛି । ୧୫ଟି ସ୍ଥାନରେ ରାତି ତାପମାତ୍ରା ୨୮-୩୦ ଡିଗ୍ରୀ ରହିଛି । ଟିଟିଲାଗଡ଼ରେ ୩୦.୨, ସମ୍ବଲପୁରରେ ୩୦ ଡିଗ୍ରୀ ଥିବାବେଳେ ୧୦ଟି ଜାଗାରେ ରାତିର ସର୍ବନିମ୍ନ ତାପମାତ୍ରା ବି ୨୯ ଡିଗ୍ରୀ ଟପିଥିଲା । ରେକର୍ଡ ହେଉଥିବା ସର୍ବନିମ୍ନ ତାପମାତ୍ରା ବାହାର ବାୟୁମଣ୍ଡଳର ହୋଇଥିବାବେଳେ ଘର ଭିତରେ ତାପମାତ୍ରା ଏହାଠାରୁ ୩ ଡିଗ୍ରୀ ଅଧିକ ରହୁଛି । ସାଧାରଣତଃ ସର୍ବନିମ୍ନ ତାପମାତ୍ରା ଭୋର ସମୟରେ ରେକର୍ଡ ହୋଇଥାଏ । ଏହି ସମୟରେ ଆର୍ଦ୍ରତା ଭୁବନେଶ୍ୱରରେ ୭୦% ପାଖାପାଖି ରହୁଛି । ତେଣୁ ୩୨ରୁ ୩୪ ଡିଗ୍ରୀ ସେଲସିୟସ୍ ଭଳି ଗରମ ସକାଳୁ ଅନୁଭୂତ ହେଉଛି ଭୁବନେଶ୍ୱରରେ । ସମଗ୍ର ଉପକୂଳ ଓଡ଼ିଶାରେ ସକାଳୁ ଆର୍ଦ୍ରତା ପରିମାଣ ୭୦ରୁ ୮୫% ଭିତରେ ରହୁଛି । ଯେଉଁଥିପାଇଁ ସକାଳୁ ଭୀଷଣ ଗରମ ନାକେଦମ କରୁଛି । ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ପାଖାପାଖି ପହଞ୍ଚିଥିଲେ ମଧ୍ୟ ଆର୍ଦ୍ରତା ବି ସ୍ୱାଭାବିକଠାରୁ ଢେର ଅଧିକ ରହୁଛି । କେବଳ ସକାଳ ନୁହେଁ, ସନ୍ଧ୍ୟାରେ ବି ଆର୍ଦ୍ରତା ଯୋଗୁ ଗୁଳୁଗୁଳି ପ୍ରକୋପ ଅଧିକ ରହୁଛି ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଜଳବାୟୁ ଓ ପରିବର୍ତ୍ତନ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ବୁଧବାରଠାରୁ ରାଜ୍ୟରେ ତାତି ପ୍ରକୋପ ଆହୁରି ବଢ଼ିବ । ଜୁନ୍ ପ୍ରଥମ ସପ୍ତାହ ଯାଏଁ ରାଜ୍ୟରେ ତାତିରୁ ବଡ଼ ଆଶ୍ୱସ୍ତି ଆଶା କମ୍ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ୪୫-୪୬ ଡିଗ୍ରୀ ଏବେ ଛୁଇଁପାରେ। ଉପକୂଳରେ ବି ପାରଦ ୪୫ ଡିଗ୍ରୀ ଛୁଇଁପାରେ ଆଉ କିଛି ଦିନ ଭିତରେ । ରାତିରେ ଏଭଳି ଅସ୍ୱାଭାବିକ ଗରମ ନେଇ ଡକ୍ଟର ସାହୁ କହିଛନ୍ତି, ସନ୍ଧ୍ୟାରେ ଆକାଶ ନିର୍ମଳ ରହୁନାହିଁ । ଆକାଶରେ ମେଘ ବାଦଲ ରହୁଛି । ମାତ୍ର ଏହା ଏଭଳି ବାଦଲ ନୁହେଁ ଯେ ବର୍ଷା କରାଇବ । ବାୟୁମଣ୍ଡଳରେ ରହୁଥିବା ସବୁଜ ଗ୍ୟାସ ଆଦି ପାଇଁ ଦିନରେ ବିକିରଣ ହେଉଥିବା ତାତି ଉପର ବାୟୁମଣ୍ଡଳକୁ ଉଠିପାରୁନି । ବାମ୍ଫ ଭଳି ଗରମ ହୁଳା ନିମ୍ନ ବାୟୁମଣ୍ଡଳରେ ଅଟକି ଘୂରି ବୁଲୁଛି । ତେଣୁ ଭୂପୃଷ୍ଠ ଥଣ୍ଡା ହେଉନି କିମ୍ବା ରାତିରେ ଗରମ କମୁନି । ଏବେ କାଁ ଭାଁ କାଳବୈଶାଖୀ ବର୍ଷା ହେବ । ବଡ଼ କିମ୍ବା ବିସ୍ତୃତ ଅଞ୍ଚଳ ମୁଖ୍ୟତଃ ତତଲା ଓ ଶୁଖିଲା ରହିବ । ପାଣିପାଗ ବିଭାଗ କହିଛି, ଆସନ୍ତା ୫ ଦିନ ଭିତରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିପାରେ । ରାଜ୍ୟରେ ବର୍ତ୍ତମାନ ଘଡ଼ଘଡ଼ି ସହ କାଁ ଭାଁ ବର୍ଷା ସମ୍ଭାବନା ଅଛି । ବୁଧବାରଠାରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ ପ୍ରକୋପ ବଢ଼ିବ ।

ବୁଧବାର ଝାରସୁଗୁଡ଼ା, ବୌଦ୍ଧ, ମୟୂରଭଞ୍ଜରେ ହିଟ୍ ୱେଭ୍ ନେଇ ସତର୍କ ସୂଚନା ଜାରି ହୋଇଛି । ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳରେ ଗରମ ସହ ଗୁଳୁଗୁଳି ଅନୁଭୂତ ହୋଇପାରେ । ୨୧ରୁ ୨୩ ପର୍ଯ୍ୟନ୍ତ ଆହୁରି ଅଧିକ ଅଞ୍ଚଳରେ ହିଟ୍ ୱେଭ୍ ଏବଂ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ମଙ୍ଗଳବାର ସକାଳ ୧୧ଟା ୩୦ ସମୟ ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୧ ଡିଗ୍ରୀ ଓ ସମ୍ବଲପୁର ଏବଂ ହୀରାକୁଦ ୪୦ ଡିଗ୍ରୀ ଡେଇଁ ସାରିଥିଲେ । ଭୁବନେଶ୍ୱର ତାପମାତ୍ରା ୩୭.୬ ଡିଗ୍ରୀରେ ପହଞ୍ଚିଥିଲା ।