ଭୁବନେଶ୍ୱର: ରାଜ୍ୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଥିବା ବେଳେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ୨୦୦୨ ମସିହାର ଭୋଟର ତାଲିକା ସହିତ ୨୦୨୫ ତାଲିକାର ମ୍ୟାପିଂ କରାଯିବା ପରେ ପ୍ରାୟ ୧୨ ଲକ୍ଷ ଭୋଟରଙ୍କର କୌଣସି ନିର୍ଦ୍ଦିଷ୍ଟ ଠିକଣା କିମ୍ବା ତଥ୍ୟ ମିଳୁନାହିଁ। ଏହିସବୁ 'ଅଦୃଶ୍ୟ' କିମ୍ବା 'ଭୂତ ଭୋଟର'ଙ୍କ ସମେତ ତ୍ରୁଟିପୂର୍ଣ୍ଣ ତଥ୍ୟ ଥିବା ମୋଟ ୫୮ ଲକ୍ଷ ୩୬ ହଜାର ୩୪୧ ଜଣ ନାଗରିକଙ୍କୁ ନୋଟିସ୍ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା କହିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ ଗୋପାଳନ।

୪୬ ଲକ୍ଷ ଭୋଟରଙ୍କ ନାମ, ଠିକଣାରେ ସାମାନ୍ୟ ତ୍ରୁଟି

ସୂଚନା ଅନୁସାରେ, ଏହି ମୋଟ ସଂଖ୍ୟା ମଧ୍ୟରୁ ପ୍ରାୟ ୪୬ ଲକ୍ଷ ଭୋଟରଙ୍କ ନାମ, ଠିକଣା କିମ୍ବା ଅନ୍ୟାନ୍ୟ ସୂଚନାରେ ସାମାନ୍ୟ ତ୍ରୁଟି ରହିଛି। ଏହି ସମସ୍ତ ବ୍ୟକ୍ତିଙ୍କୁ ନୋଟିସ୍ ଜାରି କରାଯିବ। ଯେଉଁମାନଙ୍କର ତଥ୍ୟରେ ଭୁଲ୍ ଅଛି କିମ୍ବା ଠିକଣା ମିଳୁନାହିଁ, ସେମାନେ ସ୍ଥାନୀୟ ବୁଥ୍ ଲେଭଲ୍ ଅଫିସର (BLO) ଙ୍କ ସହାୟତା ନେଇ ଏଥିରେ ସଂଶୋଧନ କରିପାରିବେ। ନୋଟିସ୍ ପାଇବା ପରେ ସମ୍ପୃକ୍ତ ଭୋଟରମାନେ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ଙ୍କ ନିକଟରେ ଆବଶ୍ୟକୀୟ ଦସ୍ତାବିଜ୍ ସହ ଧାର୍ଯ୍ୟ ସମୟ ଓ ସ୍ଥାନରେ ଉପସ୍ଥିତ ହୋଇ ନିଜର ଦାବି ଉପସ୍ଥାପନ କରିପାରିବେ।

ପର୍ଯ୍ୟାୟକ୍ରମେ ହେବ ସମାଧାନ

ସାଧାରଣ ନାଗରିକଙ୍କ ସୁବିଧା ପାଇଁ ଅନଲାଇନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଭୋଟରମାନେ ନିଜେ ଶୁଣାଣି କେନ୍ଦ୍ରକୁ ନଯାଇ voters.eci.gov.in ପୋର୍ଟାଲରେ ଲଗ୍ ଇନ୍ କରି ଆବଶ୍ୟକ କାଗଜପତ୍ର ଅପଲୋଡ୍ କରିପାରିବେ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ସମୟସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ୫ ଜୁଲାଇ ୨୦୨୬ ରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଏହାପରେ ୫ ଜୁଲାଇ ୨୦୨୬ ରୁ ୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନୋଟିସ୍ ପର୍ଯ୍ୟାୟ ସହ ସମସ୍ତ ଆପତ୍ତିର ସମାଧାନ କରାଯାଇପାରିବ।

Also Read: ‘SIR’ ପାଇଁ ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ, ଅକ୍ଟୋବରରୁ ଡୋର୍ ଟୁ ଡୋର୍ ସର୍ଭେ

ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ରୋଗାକ୍ରାନ୍ତ ଏବଂ ଦୁର୍ଗମ ଅଞ୍ଚଳର ବାସିନ୍ଦାଙ୍କ ଭଳି ସମ୍ବେଦନଶୀଳ ବର୍ଗର ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ବ୍ୟକ୍ତିମାନଙ୍କୁ ଶୁଣାଣି ପାଇଁ ବ୍ୟକ୍ତିଗତ ଭାବେ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ପ୍ରକ୍ରିୟାକୁ ସହଜ ଓ ନିର୍ବିଘ୍ନ କରିବା ପାଇଁ BLO ମାନେ ନିଜେ ସେମାନଙ୍କ ଘରକୁ ଯାଇ ଆବଶ୍ୟକୀୟ ନଥିପତ୍ର ସଂଗ୍ରହ କରିବେ। ସଂଗୃହୀତ ଦସ୍ତାବିଜ ଏବଂ ତଥ୍ୟ ଆଧାରରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଭୋଟରଙ୍କ ଯୋଗ୍ୟତା ବିଚାର କରିବେ। ସମସ୍ତ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ୬ ସେପ୍ଟେମ୍ବର ୨୦୨୬ ରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପୁନଃ ପ୍ରକାଶ ପାଇବ।