ଭୁବନେଶ୍ୱର: ଏସଆଇଆର୍ ବିବାଦ ଭିତରେ ବୁଧବାର ଠାରୁ ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ଅକ୍ଟୋବର ୭, ୮ ଓ ୯ ତାରିଖରେ ଏହି ସ୍ୱତନ୍ତ୍ର ଅଭିଯାନ ରାଜ୍ୟବ୍ୟାପୀ ଚାଲିବ ହେବ । ଏସଆଇଆର ପ୍ରକ୍ରିୟାରେ କୌଣସି କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁନଃ ଭୋଟର ତାଲିକାରେ ସାମିଲ କରିବା ଏବଂ ନୂତନ ଯୋଗ୍ୟ ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ କରିବା ଏହି ଅଭିଯାନର ଉଦ୍ଦେଶ୍ୟ ।

ଯେଉଁ ଯୁବକ-ଯୁବତୀମାନେ ୦୧.୧୦.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି, ସେମାନେ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିପାରିବେ । ଯୋଗ୍ୟ ଯୁବ ଭୋଟରମାନେ ଫର୍ମ-୬ ମାଧ୍ୟମରେ ନାମ ପଞ୍ଜୀକରଣ ପାଇଁ ନିଜ ବୁଥ ସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ । ଏଥିସହିତ, ଏସଆଇଆର୍ ୨୦୨୬ ପ୍ରକ୍ରିୟା ସମୟରେ ଯେଉଁ ଯୋଗ୍ୟ ଭୋଟରମାନଙ୍କ ନାମ କୌଣସି କାରଣରୁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ନିଜ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ ।

Also Read: ବଦଳିଲା ବିଜେଡିର ଗଣିତ, ବିରୋଧୀ ଦଳ ସହ ମିଶାଇଲା ହାତ, SIR ପ୍ରସଙ୍ଗରେ ଦିଲ୍ଲୀରେ କରିବ ପଦଯାତ୍ରା

ଏସଆଇଆର୍ ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଡବଲ୍ ଭୋଟରମାନଙ୍କ ସମ୍ପର୍କିତ ତାଲିକା ସମ୍ପୃକ୍ତ ଜିଲ୍ଲା ଏବଂ ସିଇଓ ଓଡ଼ିଶାଙ୍କଙ୍କ ୱେବସାଇଟରେ ଉପଲବ୍ଧ କରାଯିବ । ଏହି ତାଲିକା ସମ୍ପର୍କରେ ଆବଶ୍ୟକ ଯାଞ୍ଚ କରିବା ଓ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ଏଥିରେ ବାଦ୍ ପଡିଥାଏ ତେବେ ତାହା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ସୁଯୋଗ ରହିବ ।