ମହାନଗର ନିଗମ ଏବଂ ପୌରାଞ୍ଚଳ ଢାଞ୍ଚାରେ ଏବେ ଗ୍ରାମାଞ୍ଚଳ ବା ପଞ୍ଚାୟତ ସ୍ତରରେ ମଧ୍ୟ ଲୋକଙ୍କୁ ଟିକସ ଦେବାକୁ ପଡ଼ିବ। କେନ୍ଦ୍ରୀୟ ୧୬ଶ ଅର୍ଥ କମିଶନ (CFC) ଙ୍କ ନୂଆ ଫର୍ମୁଲା ଓ ସୁପାରିଶ ଆଧାରରେ ରାଜ୍ୟରେ ଏହି ପରିବର୍ତ୍ତନ ହେବାକୁ ଯାଉଛି।

  ଟିକସ ବୋଝ:
​​​​​​​ପଞ୍ଚାୟତରେ ରହୁଥିବା ଲୋକଙ୍କୁ ବର୍ଷକୁ ପ୍ରାୟ ୧୨୦୦ ଟଙ୍କାର ଘର ଓ ସମ୍ପତ୍ତି ଟିକସ ଦେବାକୁ ପଡ଼ିବ। ଏହାଛଡ଼ା ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଜୀବିକା ଟିକସ (ପ୍ରଫେସନ ଟ୍ୟାକ୍ସ) ମଧ୍ୟ ଦେବାକୁ ହେବ।

  କାହିଁକି ଆଦାୟ ହେବ ଟିକସ?
ପଞ୍ଚାୟତର ନିଜସ୍ୱ ରାଜସ୍ୱ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଟାର୍ଗେଟ୍ ଦେଇଛନ୍ତି। ଯେଉଁ ପଞ୍ଚାୟତ ଯେତେ ଅଧିକ ରାଜସ୍ୱ ଆଦାୟ କରିବ, ତାର ପ୍ରଦର୍ଶନ ସେତେ ଭଲ ବୋଲି ବିବେଚନା କରାଯାଇ ତାକୁ ଅଧିକ 'ପ୍ରଦର୍ଶନ ଅନୁଦାନ' (Performance Grant) ମିଳିବ। ଟିକସ ଆଦାୟରେ ବିଫଳ ହେଲେ ଏହି ପାଣ୍ଠି ମିଳିବ ନାହିଁ।

  ପାଣ୍ଠି ଓ ଅନୁଦାନ (୨୦୨୬-୨୭ ରୁ ୨୦୩୦-୩୧): ଆଗାମୀ ୫ ବର୍ଷ ପାଇଁ କେନ୍ଦ୍ର ସରକାର ମୋଟ ୧୧,୭୧୫ କୋଟି ଏବଂ ରାଜ୍ୟ ସରକାର ୧୦,୧୫୦ କୋଟି ଟଙ୍କା ପଞ୍ଚାୟତଗୁଡ଼ିକୁ ଦେବେ।

  ପ୍ରଦର୍ଶନ ଅନୁଦାନ (Performance Grant): ନିର୍ଦ୍ଧାରିତ ପାଣ୍ଠିର ଅତିରିକ୍ତ ୧୦% ଅର୍ଥ ପ୍ରଦର୍ଶନ ପାଣ୍ଠି ବାବଦରେ ମିଳିବ। ଏହି ବାବଦକୁ ଆସନ୍ତା ୫ ବର୍ଷରେ କେନ୍ଦ୍ରଠାରୁ ରାଜ୍ୟକୁ ୩୭୪୨ କୋଟି ଟଙ୍କା ମିଳିବାର ବ୍ୟବସ୍ଥା ରହିଛି।

  ଜିପିଡିପି (GPDP) ପ୍ରସ୍ତୁତି ନିର୍ଦ୍ଦେଶ: କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଆସନ୍ତା ଜୁନ୍ ୩୦ ସୁଦ୍ଧା ନିଜ ନିଜର 'ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା' (GPDP) ପ୍ରସ୍ତୁତ କରିବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।