କୋରାପୁଟ : ଆଜିଠୁ ଆରମ୍ଭ ହୋଇ ଯାଇଛି ମା’ଙ୍କ ନବରାତ୍ର ପୂଜା। ପ୍ରଥମ ଦିନରେ ପୂଜା ପାଉଛନ୍ତି ମା’ ଶୈଳପୁତ୍ରୀ । ଶୈଳପୁତ୍ରୀଙ୍କ ଉପାସନାରୁ ହିଁ ଆରମ୍ଭ ହୋଇଯାଏ ଶାରଦୀୟ ଦୁର୍ଗା ପୂଜାର ଆରମ୍ଭ । ପ୍ରତ୍ୟେକ ପୀଠରେ ମା’ଙ୍କର ଚାଲିଛି ପୂଜାର୍ଚ୍ଚନା । ଜୟପୁର ବାଟମ ଙ୍ଗଳା ଏଥିରୁ ଅନ୍ୟତମ । ସେ ପ୍ରତ୍ୟେକ୍ଷ ଠାକୁରାଣୀ । ସବୁ କଥା ଶୁଣନ୍ତି, ଡାକିଲେ ହଁ କରନ୍ତି। ସବୁବେଳେ ଭକ୍ତଙ୍କୁ ହୁଅନ୍ତି ସହାୟ ।

ଜୟପୁର ୨୬ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି ମା’ ବାଟ ମଙ୍ଗଳାଙ୍କ ମନ୍ଦିର। ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମା’ ବାଟ ମଙ୍ଗଳାଙ୍କ ପ୍ରତି ଭକ୍ତମାନଙ୍କର ରହିଛି ଅତୁଟ ଶ୍ରଦ୍ଧା । ବିଶେଷକରି ଏହି ଜାତୀୟ ରାଜପଥ ଦେଇ ଯାତାୟାତ କରୁଥିବା ଗାଡ଼ି ଚାଳକମାନେ ମା’ଙ୍କୁ ସ୍ମରଣ କରି ଆରମ୍ଭ କରିଥାନ୍ତି ଯାତ୍ରା। ଭକ୍ତଙ୍କ ବିଶ୍ୱାସ ରହିଛି ମାଙ୍କ ନିକଟରେ ଯାହା ମାନସିକ କରାଯାଏ ମା’ ତାହା ପୂରଣ କରନ୍ତି। ଏହି ବିଶ୍ୱାସକୁ ନେଇ ପ୍ରତିଦିନ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ହୋଇଥାଏ। ତେବେ ରବିବାର ସନ୍ଧ୍ୟାଠାରୁ ଲଗାତାର ୯ଦିନ ଧରି ମା’ ବାଟ ମଙ୍ଗଳାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହେବ। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି। ଏହି ୯ଦିନ ଧରି ପ୍ରତି ସନ୍ଧ୍ୟାରେ ମା’ଙ୍କ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହେବ। ଧୁମଧାମରେ ଚାଲିବ ପୂଜା। ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ହେବ।