ନୂଆଦିଲ୍ଲୀ: ଓଡ଼ିଶାର ଉପକୂଳ ଭିତ୍ତିଭୂମି ସୁଦୃଢ ଦିଗରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ହାଇବ୍ରିଡ୍ ଆନ୍ୟୁଟି ମଡେଲ୍ ଅଧୀନରେ ନୂତନ କୋଷ୍ଟାଲ୍ ହାଇୱେ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଅର୍ଥନୈତିକ ବ୍ୟାପାର କମିଟି ନୂତନ କୋଷ୍ଟାଲ୍ ହାଇୱେ ନିର୍ମାଣ ପାଇଁ ଦୁଇଟି ପ୍ୟାକେଜ୍ ଅନ୍ତର୍ଗତ ମଞ୍ଜୁରି ପ୍ରଦାନ କରିଛନ୍ତି । ୧୬୩.୧୮୦ କିଲୋମିଟର ବିଶିଷ୍ଟ ଗ୍ରୀନଫିଲ୍ଡ କୋଷ୍ଟାଲ୍ ହାଇୱେ ପାଇଁ ମୋଟ ୮,୩୦୦.୭୯ କୋଟି ଟଙ୍କା ଖର୍ଚ୍ଚ ହେବ ।

କୋଷ୍ଟାଲ୍ ହାଇୱେ ପ୍ରକଳ୍ପକୁ ମଞ୍ଜୁରି ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ବିକାଶ ଭିତ୍ତିଭୂମିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ବିକାଶରେ ‘କୋଷ୍ଟାଲ ହାଇଓ୍ୱେ’ ହେବ ଗେମ୍-ଚେଞ୍ଜର । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ରେ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବ ।

ସରକାରୀ ବିବୃତ୍ତି ଅନୁସାରେ, ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ମାର୍ଗ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଯିବ । ବର୍ତ୍ତମାନର ଏନଏଚ୍-୧୬ ରୋଡ୍ ନେଟୱର୍କ ସ୍ୱର୍ଣ୍ଣିମ ଚତୁର୍ଭୁଜର ଏକ ଅଂଶ ଏବଂ ଏହା ପୂର୍ବରୁ ହିଁ ଏକ ୬-ଲେନ୍ ବିଶିଷ୍ଟ ନ୍ୟାସନାଲ୍ ହାଇୱେ ଅଟେ । ବର୍ତ୍ତମାନର ଏନଏଚ୍-୩୧୬ ଭୁବନେଶ୍ୱର-ପୁରୀକୁ ଯୋଡୁଛି ଏବଂ ଆଗକୁ ସାତପଡ଼ା ଓ କୋଣାର୍କ ଆଡ଼କୁ ଯାଉଛି । ପୁରୀ-ସାତପଡ଼ା ଏବଂ ପୁରୀ-କୋଣାର୍କ ସେକ୍ସନରେ ବର୍ତ୍ତମାନର ସଡ଼କ ଭିତ୍ତିଭୂମି ଦୁର୍ବଳ ସ୍ଥିତିରେ ରହିଛି । ପ୍ରାୟ ୪୦ ପ୍ରତିଶତ ସଡ଼କରେ ରିବନ୍ ଡେଭଲପମେଣ୍ଟ (ରାସ୍ତ କଡ଼ରେ ଘନ ବସତି) ଏବଂ ରାସ୍ତାକଡ଼ରେ ସ୍ଥାନୀୟ ଯାତ୍ରୀମାନଙ୍କର ପ୍ରବଳ ଚଳପ୍ରଚଳ ଯୋଗୁଁ ଦୂରଗାମୀ ଯାନବାହନ ଯାତ୍ରା ପାଇଁ ଉପଯୁକ୍ତ ନୁହେଁ ।

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୪-ଲେନ୍ (ପ୍ୟାକେଜ୍-୧) ଏବଂ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ୨ ଲେନ୍ (ପ୍ୟାକେଜ୍-୨) ସାମିଲ ରହିଛି । ଏହାଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ୧୦୦ କିମି/ଘଣ୍ଟାର ନିର୍ଦ୍ଧାରିତ ଗତି ସୁନିଶ୍ଚିତ ହେବ । ଏହି ପ୍ରକଳ୍ପ ଆଞ୍ଚଳିକ ପରିବହନକୁ ମଧ୍ୟ ପ୍ରୋତ୍ସାହନ ଦେବ ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ସରକାର କହିଛନ୍ତି ।

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଗତିଶକ୍ତି ସିଦ୍ଧାନ୍ତର ଅନୁରୂପ ଅଟେ । ଏହା ୯ଟି ଅର୍ଥନୈତିକ ନୋଡ୍ (Economic Nodes) ଏବଂ ୫ଟି ଲଜିଷ୍ଟିକ୍ ନୋଡ୍ (Logistic Nodes)କୁ ପରସ୍ପର ସହ ଯୋଡ଼ିବ । ଏହାଦ୍ୱାରା ଦେଶର ଲଜିଷ୍ଟିକ୍ସ ପରଫରମାନ୍ସ ଇଣ୍ଡେକ୍ସ (LPI) ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏହା ସହିତ, ଯାତ୍ରୀ ଏବଂ ମାଲ୍ ପରିବହନ ଉଭୟଙ୍କ ପାଇଁ ସୁରକ୍ଷିତ, ଦ୍ରୁତ ଏବଂ ନିରବଚ୍ଛିନ୍ନ ଯୋଯାଯୋଗ ସୁନିଶ୍ଚିତ ହେବ ।