ଭୁବନେଶ୍ବର ୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଜିତ ପାଓ୍ବାରଙ୍କର ଏକ ଫଟୋ ସେୟାର କରି ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ଏକ୍ସ’ରେ ଅଜିତ ପାଓ୍ବାରଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ବିମାନ ଦୁର୍ଘଟଣାରେ ଅକାଳ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ । ଅଜିତ ପାୱାର ଜଣେ ପ୍ରତିଷ୍ଠିତ ରାଜନେତା ଏବଂ ଜଣେ ଉତ୍ସର୍ଗୀକୃତ ଜନସେବକ ଥିଲେ । ଏହି ଗଭୀର ଦୁଃଖର ମୁହୂର୍ତ୍ତରେ, ମୁଁ ତାଙ୍କ ଶୋକସନ୍ତପ୍ତ ପରିବାର, ସହକର୍ମୀ ଏବଂ ମହାରାଷ୍ଟ୍ର ଜନସାଧାରଣଙ୍କ ପ୍ରତି ମୋର ସମବେଦନା ବ୍ୟକ୍ତ କରୁଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଦିବଂଗତ ଆତ୍ମାକୁ ତାଙ୍କ ପାଦତଳେ ସ୍ଥାନ ଦିଅନ୍ତୁ ତଥା ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ । ଓମ୍ ଶାନ୍ତି ।

 

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ବାରାମତିରେ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି । ବାରାମତି ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଲରେ ଅଜିତ ପାଓ୍ବାରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ସମଗ୍ର ମହାରାଷ୍ଟ୍ରକୁ ଦୋହଲାଇ ଦେଇଛି । ଅଜିତ ପାଓ୍ବାରଙ୍କ ଦେହାନ୍ତ ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତିରେ ପ୍ରଚାର ସଭା ଆୟୋଜନ କରାଯାଇଥିଲା । କିନ୍ତୁ, ବାରାମତି ବିମାନବନ୍ଦର ରନୱେରେ ବିମାନଟି ଅବତରଣ କରୁଥିବା ସମୟରେ ହଠାତ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଯେଉଁଥିପାଇଁ ବିମାନର ପାଇଲଟ୍ ନିୟନ୍ତ୍ରଣ ହରାଇ ବସିଥିଲେ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଚୁର ପରିମାଣରେ ଧୂଆଁ ବ୍ୟାପିଯାଇଥିଲା ।