ମୁମ୍ବାଇ: ବ୍ୟାଟିଂ ଓ ବୋଲିଂରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କମାଲ। ଆଇପିଏଲର ୨୦ତମ ମ୍ୟାଚରେ ଆରସିବି ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ମୁମ୍ବାଇକୁ ୧୮ ରନରେ ହରାଇଛି। ଆରସିବି ପ୍ରଥମେ ବ୍ୟାଟିଂ କରି ୨୪୦ ରନର ବିଶାଳ ସ୍କୋର କରିଥିଲା। ଫିଲିପ ସଲ୍ଟ ୭୮ ରନ, ବିରାଟ କୋହଲି ୫୦ ରନ ଓ ଅଧିନାୟକ ରଜତ ପାଟିଦାର ୫୩ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଜବାବରେ ମୁମ୍ବାଇ ଟପ ଅର୍ଡର ବ୍ୟାଟିଂ ବିଫଳତା କାରଣରୁ ୫ ଓ୍ଵିକେଟ୍ ହରାଇ ୨୨୨ ରନ କରି ପାରିଛି। ଶେରଫନ ରଦରଫର୍ଡ ୩୧ ବଲରୁ ୭୧ ରନ କରି ମୁମ୍ବାଇକୁ ଶୋଚନୀୟ ପରାଜୟରୁ ବଞ୍ଚାଇ ଦେଇଛି। ଆରସିବି ନିଜର ଚତୁର୍ଥ ମ୍ୟାଚରୁ ତୃତୀୟ ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ହ୍ୟାଟ୍ରିକ ପରାଜୟ ଭୋଗିଛି।

୨୪୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇକୁ ଦୁଇ ଓପନର ରିୟାନ ରିକଲଟନ ଓ ରୋହିତ ଶର୍ମା ୭ ଓଭରରେ ୭୧ ରନ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ। ହେଲେ ରିକଲଟନ ୩୭ ରନ କରି ଆଉଟ୍ ହେବା ପରେ ମୁମ୍ବାଇ ଇନିଂସ ଦିଗହରା ହୋଇ ଯାଇଥିଲା। ରୋହିତ ଶର୍ମା ୧୯ ରନ କରି ରିଟାୟର୍ଡ ହଟ୍ ହୋଇଥିଲେ। ମଧ୍ୟକ୍ରମରେ ତିଳକ ବର୍ମା(୧ ରନ) ପୁଣି ଥରେ ନିରାଶ କରିଛନ୍ତି।

ସୂର୍ଯ୍ୟକୁମାର ଯାଦବ ୩୩ ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ କରିଥିଲେ ହେଁ ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା। ଶେଷ ଆଡ଼କୁ ଶେରଫନ ରଦରଫୋର୍ଡ ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ କିଛିଟା ଆଶା ସଞ୍ଚାର କରିଥିଲେ। ହେଲେ ରନହାର ଏତେ ଆବଶ୍ୟକ ଥିଲା ଯେ, ମୁମ୍ବାଇ ପାଇଁ ତାହା ଅତ୍ୟନ୍ତ କଷ୍ଟକର ଥିଲା। ଶେଷରେ ମୁମ୍ବାଇ ୨୨୨ ରନ କରି ପାରିଥିଲା। ରଦରଫୋର୍ଡ ୩୧ ବଲରୁ ୧ ଚୌକା ଓ ୯ ଛକା ସହ ୭୧ ରନର ଧୂଆଁଧାର ଇନିଂସ ଖେଳିଥିଲେ। ବୋଲିଂରେ ସୂୟଶ ଶର୍ମା ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଜାକବ ଡଫି, ରଶିଖ ଡାର ଓ କୃଣାଲ ପାଣ୍ଡ୍ୟା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।