ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ । ଏଥର ନିର୍ବାଚନରେ ୬୦୦ ଜିଲ୍ଲାପରିଷଦ ଆସନ ଜିତିବାକୁ କେନ୍ଦ୍ର ନେତୃତ୍ବ ରାଜ୍ୟ ବିଜେପିକୁ ଟାର୍ଗେଟ ଦେବାପରେ ରାଜ୍ୟ ନେତୃତ୍ବ ଚଳଚଞ୍ଚଳ । କାରଣ ସରକାରକୁ ଆସିବା ପରେ ବିଜେପି ପାଇଁ ଏହା ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି । ସେଥିପାଇଁ ସଂସଦୀୟ କ୍ଷେତ୍ରରେ ପଂଚାୟତ ସ୍ତରର ଅଭିଯୋଗ ଶୁଣାଣି ପାଇଁ ସଂସଦୀୟ କମିଟି ଗଠନ କରାଯାଇଛି | ଯେଉଁଥିରେ ବିଧାୟକ, ହାରିଥିବା ବିଧାୟକ ପ୍ରାର୍ଥୀ, ସାଂସଦ ଏବଂ ହାରିଥିବା ସାଂସଦ ପ୍ରାର୍ଥୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି। ଏହି କମିଟି ପଞ୍ଚାୟତ ନିର୍ବାଚନ ପାଇଁ ତଳସ୍ତରକୁ ଯାଇ ଲୋକସଂପର୍କ କରିବେ । ହେଲେ ବିରୋଧି କହିଛନ୍ତି ଏହା ବିଜେପିର ଦିବା ସ୍ବପ୍ନ ।

ଟାର୍ଗେଟ୍ ୬୦୦ ସିଟ୍

ରାଜ୍ୟ ବିଜେପିର ଟାର୍ଗେଟ ୬୦୦ ଜିଲ୍ଲା ପରିଷଦ ଆସନ | ରାଜ୍ୟରେ ଥିବା ୮୫୩ ଜିଲ୍ଲା ପରିଷଦ ଜୋନରୁ ବିଜେପିକୁ ୬୦୦ ସିଟ ହାତେଇବାକୁ ଟାର୍ଗେଟ ଦେଇଛନ୍ତି କେନ୍ଦ୍ର ନେତୃତ୍ବ | ୨୦୧୭ ପଂଚାୟତ ନିର୍ବାଚନ ଫଳାଫଳ ଅପେକ୍ଷା ଏଥର ଯେଭଳି ବିଜେପି ଭଲପ୍ରଦର୍ଶନ କରେ ସେନେଇ ଦିଆଯାଇଛି ଟାର୍ଗେଟ| ଏଥିପାଇଁ ଆଗାମୀ ପଂଚାୟତ ନିର୍ବାଚନକୁ ଗୁରୁତର ଭାବେ ଗ୍ରହଣ କରିଛି ଭାରତୀୟ ଜନତା ପାର୍ଟି | କେନ୍ଦ୍ରୀୟ ନେତୃତ୍ୱ ଜାଣିସାରିଛନ୍ତି ଓଡିଶାରେ ବିଜେପିର ଅଧିକ ଦିନ ଶାସନ କରିବାକୁ ହେଲେ ତୃଣମୂଳ ସ୍ତରୀୟ ନିର୍ବାଚନକୁ ଅକ୍ତିଆର କରିବାକୁ ପଡିବ |

Also Read: ବିଚାରପତିଙ୍କ ବିବାଦରୁ ସୃଷ୍ଟି ହେଲା ‘କୋକ୍ରୋଚ୍ ଜନତା ପାର୍ଟି’ ୩ ଦିନରେ ସାମିଲ ହେଲେ ହଜାର ହଜାର ଯୁବକ

ତେଣୁ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଅତିକମ୍ ରେ ୬୦୦ ଜିଲ୍ଲା ପରିଷଦ ଜୋନ ଜିତିବାକୁ ଟାର୍ଗେଟ ଦିଆଯାଇଛି | ଓଡିଶା ଗସ୍ତରେ ଆସିଥିବା ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ନିତିନ ନବୀନ ରାଜ୍ୟ ବିଜେପି ନେତାଙ୍କୁ ତୃଣମୂଳ ସ୍ତରରେ ସଂଗଠନ ମଜବୁତ କରିବାକୁ ଗୁରୁମନ୍ତ୍ର ଦେବା ସହିତ ଏହି ଟାର୍ଗେଟ ଦେଇଛନ୍ତି | ସେପଟେ ରାଷ୍ଟ୍ରୀୟ ଅଧକ୍ଷଙ୍କ ଗୁରୁମନ୍ତ୍ର ପରେ ଆରମ୍ଭ ହୋଇଛି କସରତ | ସଂସଦୀୟ କ୍ଷେତ୍ରରେ ପଂଚାୟତ ସ୍ତରର ଅଭିଯୋଗ ଶୁଣାଣି ପାଇଁ ସଂସଦୀୟ କମିଟି ଗଠନ କରାଯାଇଛି | ଯେଉଁଥିରେ ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ଏବଂ ସାଂସଦ ପ୍ରାର୍ଥୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି |

ବିଜେଡି ହାତେଇଥିଲା ୭୬୬ ଆସନ

ସେମାନେ ସଂଗଠନର କାୟା ବୃଦ୍ଧି କରିବାସହ ପଂଚାୟତ ସ୍ତରର ଅଭିଯୋଗକୁ ସରକାର ନିକଟରେ ପହଞ୍ଚାଇବେ | ଏହାଦ୍ୱାରା କର୍ମି ଓ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହେବାସହ ଜନ ପ୍ରତିନିଧିମାନଙ୍କ ଲୋକମାନଙ୍କ ସହିତ ସିଧାସଳଖ ସମ୍ପର୍କ ଯୋଡିହେବ ଏବଂ ଲୋକ ପ୍ରିୟତା ବଢିବ | ଯାହାକି ପଂଚାୟତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଦଳ ଆକଳନ କରୁଛି।

Also Read: ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ନବକଳେବର, ମୋହନଙ୍କ ଟିମ୍କୁ ଆସିପାରନ୍ତି ନୂଆ ମୁହଁ

୨୦୨୨ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡ଼ି ଏକତରଫା ବାଜିମାତ କରିଥିଲା | ମୋଟ ୮୫୩ ଆସନରୁ ବିଜେଡି ୭୬୬ ଆସନ ଅକ୍ତିଆର କରିଥିବାବେଳେ, ବିଜେପି ଖାତାକୁ ଆସିଥିଲା ମାତ୍ର ୪୨ ଟି । କଂଗ୍ରେସକୁ ୩୭ ଟି ସିଟ ମିଳିଥିବା ବେଳେ ସ୍ୱାଧୀନ ପାଇଥିଲେ ୭ ଟି ଆସନ | କିନ୍ତୁ ୨୦୨୪ ରେ ବିଜେପିର ସରକାର ଆସିବା ପରେ ଅନେକ ଜିଲ୍ଲା ପରିଷଦ ଜୋନ ପ୍ରତିନିଧିମାନେ ବିଜେପିରେ ଯୋଗ ଦେଇସାରିଛନ୍ତି |

ଏବେ ବି ଅନେକ ଜୋନ ବିଜେଡ଼ି ଅକ୍ତିଆରରେ ରହିଛି | ଯାହାକୁ ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନରେ ଅକ୍ତିଆର କରିବାକୁ ବିଜେପି ଖସଡ଼ା ପ୍ରସ୍ତୁତ କରିଛି | ବିଜେଡ଼ି ଏହାକୁ ଦିବା ସ୍ବପ୍ନ କହି ବିଜେପିକୁ କଟାକ୍ଷ କରି କହିଛି, ବିଜେଡ଼ି ପୁଣିଥରେ ଜିଲ୍ଲା ପରିଷଦରେ ସଫଳତା ଦୋହରାଇବ । କଂଗ୍ରେସ କହିଛି, ସେମାନେ ସରକାରରେ ଅଛନ୍ତି କଳ ବଳ କୌଶଳ ଲଗାଇବେ କିନ୍ତୁ ଆମେ ପଂଚାୟତ ନିର୍ବାଚନ ଜିତିବାକୁ ପ୍ରସ୍ତୁତ ଅଛୁ।

Also Read: ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ, ରାଜ୍ୟ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ

୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା | ବିଜୁ ଜନତା ଦଳ ୪୭୩ ଆସନ ପାଇଥିବା ବେଳେ ବିଜେପି ୨୯୭ ଆସନ ପାଇ ଲାଇମଲାଇଟକୁ ଆସିଥିଲା | ହେଲେ ୨୦୨୨ ରେ ସେହି ସ୍ଥିତି ବଜାୟ ରଖିପାରିନଥିଲା ବିଜେପି । ସେଇଥିପାଇଁ ବିଜେପି ଏଥର ରେକର୍ଡ ସଂଖ୍ୟାରେ ଜିଲ୍ଲା ପରିଷଦ ଜୋନ ଜିତି ପଂଚାୟତ ହାତେଇବାକୁ ଯୋଜନା କରିଛି ।