ନୂଆଦିଲ୍ଲୀ ୨୨।୧୨: ନ୍ୟାସନାଲ ହେରଲ୍ଡ କେସ୍ ରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମାମଲାରେ କୋର୍ଟ କଂଗ୍ରେସର ଦୁଇ ନେତାଙ୍କୁ ଜବାବ ତଲବ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି)ଙ୍କ ସେହି ନିବେଦନ ଉପରେ ଏହି ନୋଟିସ୍ ଜାରି ହୋଇଛି ଯେଉଁଥିରେ ଟ୍ରାୟଲ କୋର୍ଟଙ୍କ ପକ୍ଷରୁ ମନିଲଣ୍ଡ୍ରିଂ କେସ୍ କୁ ଖାରଜ କରିଦିଆଯାଇଥିବା ଏଜେନ୍ସୀ ଅଭିଯୋଗ କରିଛି। ଟ୍ରାୟଲ କୋର୍ଟ କହିଥିଲେ ଯେ ପୂର୍ବରୁ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ଏହି ମାମଲାର ଯାଞ୍ଚ କରୁଛି। ଏଣୁ ମନିଲଣ୍ଡ୍ରିଂ ଆଧାରରେ କେସ୍ କୁ ଆଗକୁ ବଢା ଯାଇ ପାରିବନି।

ଟ୍ରାୟଲକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଇଡି ହାଇକୋର୍ଟକୁ ପହଞ୍ଚିଛି। ଏହା ଉପରେ ଏବେ ବେଞ୍ଚ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ନୋଟିସ୍ ଜାରି କରିଥିବା ବେଳେ ଜବାବ ତଲବ କରିଛନ୍ତି। ଏହି କେସ୍ ର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୨୦୨୬ରେ ହେବ। ତେବେ ଗାନ୍ଧି ପରିବାରକୁ ମାମଲାରେ ରାଉଜ ଏଭେନ୍ୟୁ କୋର୍ଟଙ୍କ ନିଷ୍ପତ୍ତି ଆଶ୍ୱସ୍ତ କରିଥିଲା। ବିଚାରପତି କହିଥିଲେ ଯେ ଏହି ମାମଲାକୁ ମନିଲଣ୍ଡ୍ରିଂ ଆଧାରରେ ରୁଜୁ କରାଯାଇ ପାରିବନି। କାରଣ ସୁବ୍ରମଣ୍ୟମ ସ୍ୱାମୀଙ୍କ ପକ୍ଷରୁ ସିଧା କୋର୍ଟଙ୍କୁ ଦିଆଯାଇଥିବା ଆବେଦନରେ ଏହି ମାମଲା ରୁଜୁ ହୋଇଥିଲା।

ଏହି କେସ୍ ରେ ଆର୍ଥିକ ହେରଫେର ଧରାପଡିଥିବା ନେଇ ସେପରି କିଛି ନଥିଲା। ଏହା ପରେ ଏଫଆଇଆର ରୁଜୁ ହୋଇଛି। ଏଣୁ ଦିଲ୍ଲୀ ପୋଲିସ ଆର୍ଥିକ ଅପରାଧ ଶାଖା ପକ୍ଷରୁ ମାମଲାର ଯାଞ୍ଚ ପୁରା ହେବା ଦରକାର। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ କଂଗ୍ରେସ ଏବେ ଆକ୍ରମକ ସ୍ଥିତିକୁ ଆସିଯାଇଛି। ପାର୍ଟି କହିଛି ଯେ ସରକାରଙ୍କ ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନର କୋର୍ଟ ପର୍ଦ୍ଦାଫାସ କରିଛନ୍ତି। ସରକାର ଇଡିକୁ ଉତ୍ପୀଡ଼ନର ଜରିଆ କରିଛନ୍ତି। ତେବେ କୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ଏବେ ଏହି ମାମଲାର ପରବର୍ତ୍ତି ଶୁଣାଣି ପାଇଁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ପଚରା ଉଚରା ମଧ୍ୟ କରାଯାଇଛି।