ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୩୦ ମାର୍ଚ୍ଚ ସୋମବାର ବିଧାନପରିଷଦରୁ ଇସ୍ତଫା ଦେବେ। ନୀତିଶଙ୍କ ଏହି ପଦକ୍ଷେପ ସମ୍ପର୍କରେ ଜେଡିୟୁ ବିଧାୟକ ଅନନ୍ତ କୁମାର ସିଂହ ରବିବାର ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ହଁ ସେ ଏହି ପଦକ୍ଷେପ ନେବେ, ହେଲେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦେବା ପାଇଁ ପାର୍ଟିର ଆଗ୍ରହକୁ ସେ ଖାରଜ କରିଦେଇଛନ୍ତି। ନୀତିଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହେବାର କିଛି ଦିନ ପରେ ଏହି ଘଟଣା ଘଟିବାକୁ ଯାଉଛି।

ନୀତିଶ କୁମାର ମାର୍ଚ୍ଚ ୫ ତାରିଖରେ ପ୍ରଥମେ ରାଜ୍ୟର ସର୍ବୋଚ୍ଚ ପଦରୁ ଇସ୍ତଫା ଦେଉଥିବା ଓ ରାଜ୍ୟସଭା ଯିବା ପାଇଁ ନିଜ ନିଷ୍ପତ୍ତି ଘୋଷଣା କରିଥିଲେ। ଏ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଥିଲେ। ଏଥିରେ ସେ ବିହାର ବିଧାନସଭାର ଉଭୟ ସଦନ ସମେତ ସଂସଦର ଉଭୟ ସଦନରେ ସାଂସଦ ହେବା ନେଇ ତାଙ୍କର ଦୀର୍ଘ ଦିନର ଇଛା ଥିବା ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ ଯେ ଦୁଇ ଦଶନ୍ଧୀରୁ ଅଧିକ ସମୟ ହେଲା ଆପଣମାନେ ମୋ ପ୍ରତି ଲଗାତାର ବିଶ୍ୱାସ ଓ ସମର୍ଥନ ଜଣାଇଛନ୍ତି, ଏହି ବିଶ୍ୱାସ ବଳରେ ମୁଁ ବିହାର ଓ ଆପଣମାନଙ୍କର ପୁରା ନିଷ୍ଠାର ସହ ସେବା କରିଛି। ଆପଣମାନଙ୍କ ବିଶ୍ୱାସ ଓ ସମର୍ଥନ ଲାଗି ଆପଣମାନଙ୍କ ପ୍ରତି କୃତଜ୍ଞତା ଜଣାଉଛି।

ମୋର ସଂସଦୀୟ ଯାତ୍ରା ଆରମ୍ଭରୁ ଏହା ଇଛା ଥିଲା ଯେ ବିହାର ବିଧାନସଭାର ଉଭୟ ସଦନ ସମେତ ସଂସଦର ଉଭୟ ସଦନ ସଦସ୍ୟ ହେବା। ଏହି ଆକାଙକ୍ଷାକୁ ଧ୍ୟାନରେ ରଖି ଆଗକୁ ହେବାକୁ ଯାଉଥିବା ନିର୍ବାଚନରେ ରାଜ୍ୟସଭା ସଦସ୍ୟ ହେବାକୁ ଚେଷ୍ଟା କରିବି। ତେବେ ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ ଯେ ଆପଣଙ୍କ ସହିତ ମୋ ସମ୍ପର୍କ ଭବିଷ୍ୟତରେ ମଧ୍ୟ କାୟମ ରହିବ ଓ ବିକଶିତ ବିହାର ନିର୍ମାଣରେ ଆପଣଙ୍କ ସହ ମିଶି କାମ କରିବାକୁ ମୋର ସଂକଳ୍ପ ପୂର୍ବ ପରି ଦୃଢ ରହିବ। ସେହିପରି ନୂଆ ସରକାରକୁ ମୋର ସହଯୋଗ ଓ ମାର୍ଗଦର୍ଶନ ମଧ୍ୟ ମିଳିବ ବୋଲି ସେ କହିଥିଲେ।

ଏହି ନିଷ୍ପତ୍ତି ନୀତିଶ କୁମାରଙ୍କ ନେତୃତ୍ୱରେ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିଜୟର ମାତ୍ର ୪ ମାସକୁ କମ ସମୟ ମଧ୍ୟରେ ହୋଇଛି। ନିକଟରେ ୭୫ ବର୍ଷ ବୟସରେ ପଦାର୍ପଣ କରିଥିବା ତଥା ଗତ ନଭେମ୍ବରରେ ରେକର୍ଡ ୧୦ମ କାର୍ଯ୍ୟକାଳ ନିମନ୍ତେ ଶପଥ ନେଇଥିବା ଏହି ଅଭିଜ୍ଞ ନେତାଙ୍କ ଏବେ ରାଜ୍ୟ ସଭାକୁ ଯିବା ସମୟ ଆସିଯାଇଛି। ନୀତିଶ ପଦ ଛାଡିବା ପରେ ବିହାରରେ ପ୍ରଥମ ଥର ନିଜ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଲାଗି ବିଜେପିର ରାସ୍ତା ଖୋଲି ଯାଇଛି।