ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ସହର ନିକଟ ବାଲିଗୋହିରୀ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟି ଜଣେ କର୍ମଚାରୀଙ୍କ ଜୀବନ ଚାଲି ଯାଇଛି । ପେଟ୍ରୋଲ ଟାଙ୍କି ଫାଟି କର୍ମଚାରୀଙ୍କ ଜୀବନ ଯିବା ପଛରେ କମ୍ପାନି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ନୀଳଗିରି ସହର ନିକଟ ବାଲିଗୋହିରୀ ସତ୍ୟସାଇ ପେଟ୍ରୋଲ ପମ୍ପରେ ଆଜି ଟାଙ୍କି ଫାଟି ଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ପେଟ୍ରୋଲ ପମ୍ପରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ କମ୍ପାନି ତରଫରୁ ପୁରୁଣା ଟାଙ୍କି କାଢି ନୂଆ ଟାଙ୍କି ମାଟି ତଳେ ପୋତାଯାଇଥିଲା । ପୁରୁଣା ଟାଙ୍କି ଦୁଇଟି ଉପରେ ପଡ଼ି ରହିଥିଲା । ଆଜି ଟାଙ୍କିକୁ ଗ୍ୟାସ କଟର ମେସିନ ସାହାଯ୍ୟରେ ପାଇପଗୁଡିକ କାଟୁଥିଲେ । ପୂର୍ବରୁ ଟାଙ୍କି ଭିତରେ ପେଟ୍ରୋଲ ଥିବାବେଳେ ନିଆଁ ଲାଗି ଗ୍ୟାସ ସୃଷ୍ଟି ହୋଇ ଟାଙ୍କି ବ୍ଲାଷ୍ଟ କରିଥିଲା । ସେହି ସମୟରେ ବାଥରୁମ ଭିତରୁ ବାହାରକୁ ଆସୁଥିବା ବିମ୍ବୁରିଆ ଅଞ୍ଚଳର ଜଣେ କର୍ମଚାରୀ ବିରେନ୍ଦ୍ର ସିଂହଙ୍କ ଦେହରେ ଟାଙ୍କିର ଭଗ୍ନ ଲୁହା ଗୁଡ଼ିକ ବାଜିବାରୁ ତାଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବ୍ଲାଷ୍ଟ ଏତେ ଜୋରରେ ଥିଲା ଯେ ପାଖରେ ଥିବା ହରମୋହନ ମହାପାତ୍ରଙ୍କ କୋଠା ଘରର ଝରକା ଓ କବାଟ ମଧ୍ୟ ଭାଙ୍ଗି ଯାଇଥିବା ଦେଖାଯାଇଛି । ବ୍ଲାଷ୍ଟର କିଛି ସମୟ ଆଗରୁ ଘର ମାଲିକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ । ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ହସ୍ପିଟାଲ ନେଇଥିବା ବେଳେ ମୃତକଙ୍କ ପରିବାର ଓ ଗ୍ରାମବାସୀ ମୃତଦେହକୁ ପୁଣି ଦୁର୍ଘଟଣା ସ୍ଥାନକୁ ଆଣି ପ୍ରତିବାଦ କରିଥିଲେ । ଦୃଢ କାର୍ଯ୍ୟନୁଷ୍ଠାନ ଓ କ୍ଷତିପୂରଣ ଶେରଗଡ଼-ଉଦଳା ରାଜ୍ୟ ରାଜପଥରେ ରାସ୍ତାରୋକ କରିଥିଲେ ।

ପରେ ମୃତକଙ୍କ ପରିବାର ପ୍ରଶାସନିକ ଅଧିକାରୀଙ୍କ ସହ ଥାନାକୁ ଯାଇ ପେଟ୍ରୋଲ ପମ୍ପ ମାଲିକଙ୍କ ସହ କ୍ଷତିପୂରଣ ନେଇ ଆଲୋଚନା କରିଥିଲେ । ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନେଇ ପ୍ରତିଶ୍ରୁତି ମିଳିବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ସୁରକ୍ଷା ଓ ଅଘଟଣ ଘଟଣାକୁ ଗୁରୁତର ସହ ପୋଲିସ ନେଇଥିବା ଜଣାପଡିଛି । ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଏସପି ଦେବଜ୍ୟୋତି ଦାସ ପ୍ରକାଶ କହିଛନ୍ତି ।