ଭୁବନେଶ୍ବର ୨୮।୧: ରାଜଧାନୀର ଛାତି ଉପରେ ବୋମା ଭିଡ଼ିବା ବେଳେ ବିସ୍ଫୋରଣ । ୪ ଜଣ ହେଲେ ଗୁରୁତର ଆହତ । ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ ଆରମ୍ଭ ହୋଇଛି NIA ତଦନ୍ତ । NIAର ଟିମ୍ ଆଜି ସ୍ପଟ୍ ଭିଜିଟ୍ କରିବା ସହ ଯାଞ୍ଚ ଆରମ୍ଭ କରିଛି । ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ଲିଙ୍କ୍ ଅଛି ନା ନାହିଁ ତାର ଖୋଳତାଡ଼ ଚାଲିଛି । ଘଟଣାସ୍ଥଳରୁ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍ । ଏହି ଘଟଣାରେ ଆହତଙ୍କ ନାଁରେ ପୂର୍ବରୁ ରହିଛି ସଙ୍ଗୀନ ଅପରାଧିକ ମାମଲା । ଏମାନେ କୌଣସି ବଡ଼ ଧରଣର କାଣ୍ଡ ଘଟାଇବାକୁ ବୋମା ଭିଡ଼ୁଥିବା କୁହାଯାଉଛି । ଏଥିପାଇଁ ଏମାନଙ୍କୁ ସୁପାରି ମିଳିଥିଲା । ତାରିଖ ବି ଫିକ୍ସ ହୋଇସାରିଥିଲା। ବୋମା ଭିଡ଼ିବାରେ ଏମାନେ ଯଦି ସଫଳ ହୋଇଥାନ୍ତେ ତେବେ ଘଟାଇଥାନ୍ତେ ବଡ଼ ଧରଣର ଅପରାଧ । ହେଲେ ତା ପୂର୍ବରୁ ସବୁ କିଛି ଫସର ଫାଟି ଯାଇଥିଲା । ଆହତ ଯୁବକ ପେଶାଦାର ଅପରାଧୀ ହୋଇଥିବାରୁ ଏହି ଘଟଣାରେ ମଧ୍ୟ ଆହତଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି ।

ବୋମା ଫୁଟି ଆହତ ଯୁବକଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ରହିଛି ୭ଟି ସଙ୍ଗୀନ ମାମଲା । ପ୍ରଶ୍ନ ଉଠୁଛି କାହାକୁ ଆକ୍ରମଣ କରିବା ପାଇଁ ଏପରି ବୋମା ଭିଡ଼ା ଚାଲିଥିଲା ? ଜନବସତି ଅଞ୍ଚଳରେ କେତେ ଦିନ ହେବ ଏବଂ କାହା ବରାଦରେ ବୋମା ଭିଡା ଚାଲିଥିଲା ? ସ୍ଥାନୀୟ ଲୋକେ ଏହାର ଟେର ପାଇଲେନି କେମିତି ? କେଉଁ ସଙ୍ଗଠିତ ଅପରାଧ ପାଇଁ ବୋମା ତିଆରି ହେଉଥିଲା ତାର କାରଣ ଖୋଜି ବାହାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏବେ ଘଟଣାର NIA ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏହା ପଛରେ କେଉଁ କ୍ରାଇମର ବ୍ଲୁ ପ୍ରିଣ୍ଟ ରହିଥିଲା ତାର କାରଣ ଖୋଜା ଚାଲିଛି ।