ଭୁବନେଶ୍ୱର ୧୭।୧୦ : ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ । ଆସନ୍ତାକାଲି ସକାଳ ୧୧ଟାରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ କରିବେ ଦର୍ଶନ

ଖବର ଅନୁଯାୟୀ, କିଛି ଦିନ ତଳେ ବ୍ରଜମୋହନ ରାମ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ସେ ହରିବାବୁ କମ୍ଭମପାଟିଙ୍କ ବଦଳରେ ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି । ତେବେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ଓଡ଼ିଶାକୁ ଆସିବେ। ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ଆସନ୍ତାକାଲି ମାନେ ଅକ୍ଟୋବର ୧୮ ତାରିଖ ସକାଳ ୧୧ଟାରେରେ ରାଜ୍ୟପାଳ ଭାବେ ଶପଥ ନେବେ । ଭୁବନେଶ୍ୱରସ୍ଥିତ ଲୋକଭବନର ନୂଆ ଅଭିଷେକ ହଲ୍ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।

Also Read:-ଆଧୁନିକ ଓ ଉନ୍ନତମାନର ସଡ଼କ ନିର୍ମାଣ ପାଇଁ ଜାପାନର ସହଯୋଗ ଚାହୁଁଛନ୍ତି ନୀତିନ ଗଡ଼କରୀ: ଟେକ୍ନୋଲୋଜୀ ଶେୟାର କଲା ଟୋକିଓ

ତେବେ ମିଳିଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଶନିବାର ସକାଳ ୧୧ଟା ୩୦ରେ ସେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ପୋଲିସ ଡିଜି ବିନୟତୋଷ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ସେହିପରି ବିମାନବନ୍ଦରରୁ ରାଜ୍ୟପାଳ ପୁରୀ ଯିବେ। ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ସନ୍ଧ୍ୟାରେ ପୁରୀରୁ ଭୁବନେଶ୍ୱର ଫେରି ରାତି ୭ଟା ୨୫ରେ ଲୋକଭବନରେ ପହଞ୍ଚିବେ। ରାଜ୍ୟପାଳଙ୍କ ଆଗମନ ଓ ଶପଥ ଗ୍ରହଣକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି।