ନୂଆଦିଲ୍ଲୀ, ୦୧/୦୪ : ଏପ୍ରିଲ ୧ରୁ ଦେଶରେ ଲାଗୁ ହୋଇଛି ନୂଆ ଲେବର୍ କୋଡ୍ ବା ଶ୍ରମ କୋଡ୍ । ଏହା ଶ୍ରମିକଙ୍କ ବୃହତ୍ତର ସ୍ୱାର୍ଥକୁ ରଖି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଏବେବି ଶ୍ରମ କୋଡକୁ ନେଇ ଅନେକ ପ୍ରଶ୍ନ ଶ୍ରମିକଙ୍କ ମନରେ ରହିଛି । ଦରମାଠୁ ଆରମ୍ଭ କରି କାର୍ଯ୍ୟର ସମୟସୂଚୀ ବାବଦରେ ନୂଆ କୋଡରେ ଅନେକ କିଛି ନିୟମ ରହିଛି ।

ଦେଶରେ ପୂର୍ବରୁ ବ୍ରିଟିଶ ଅମଳର ଶ୍ରମ କୋଡ୍ ପ୍ରଚଳିତ ଥିଲା । ଯାହାକୁ କେନ୍ଦ୍ରରେ ନେତୃତ୍ୱାଧିନ ନରେନ୍ଦ୍ର ମୋଦୀ ସରକାର ଉଚ୍ଛେଦ କରି ଶ୍ରମିକଙ୍କୁ ସୁହାଇଲା ଭଳି ନୂଆ ନିୟମ ଆଣିଛନ୍ତି । ଏଥିରେ ନୂଆ କରି ଗିଗ୍ ଓ୍ୱାର୍କରଙ୍କୁ ସାମିଲ କରାଯାଇଛି । ଅନେକ ବ୍ୟକ୍ତି ଘରେ ରହି କାର୍ଯ୍ୟ କରୁଛନ୍ତି । ଏସମସ୍ତଙ୍କୁ ନଜରରେ ରଖି ନିୟମ ଆସିଛି ।

ସବୁଠାରୁ ବଡ କଥା ହେଲା ଯେ, ନୂଆ କୋଡ୍ ଲାଗୁ ହେଲା ପରେ ଦରମା ହ୍ରାସ ପାଇବ ବୋଲି ଚର୍ଚ୍ଚା ହେଉଛି । ତେବେ ନୂଆ ନିୟମ ଅନୁସାରେ ବେସିକ୍ ସାଲାରି ସିଟିସିର ଅତିକମରେ ୫୦ ପ୍ରତିଶତ ହେବା ଆବଶ୍ୟକ । ଏହାଦ୍ୱାରା ବେସିକ୍ ସାଲାରୀ ବୃଦ୍ଧି ପାଇବ । ବେସିକ୍ ସାଲାରୀ ବୃଦ୍ଧି ପାଇଲେ ଆପେଆପେ ପିଏଫ୍ ମଧ୍ୟ ଅଧିକ କଟିବ । ଫଳରେ କର୍ମଚାରୀ ପାଉଥିବା ଦରମା ସାମାନ୍ୟ ହ୍ରାସ ପାଇପାରେ ।

ନୂଆ କୋଡରେ ସପ୍ତାହକୁ ଜଣେ କର୍ମଚଚାରୀ ସର୍ବାଧିକ ୪୮ ଘଣ୍ଟା କାମ କରିବେ । ଯଦି କର୍ମଚାରୀ ଦିନକୁ ୮ ଘଣ୍ଟା କାମ କରନ୍ତି ତାହାଲେ ୬ ଦିନ କାମ କରିବାକୁ ହେବ । ଯଦି ୧୨ ଘଣ୍ଟା କାମ କରନ୍ତି ତାହାଲେ ୪ ଦିନ କାମ କରିବାକୁ ପଡିବ । ଯଦି କେହି କର୍ମଚାରୀ ସର୍ବାଧିକ କାର୍ଯ୍ୟ ସମୟରୁ ଅଧିକ କାମ କରନ୍ତି ତାହାଲେ ତାଙ୍କୁ ସେହି ଆଧାରରେ ଅଧିକ ଅର୍ଥ ମିଳିବ । ଆହୁରି ମଧ୍ୟ ଯଦି ଆପଣ ଛୁଟି ନେଉ ନାହାଁନ୍ତି ସେହି ଛୁଟି ଆଗାମୀ ବର୍ଷ ପାଇଁ ମଧ୍ୟ ବୈଧ ରହିବ । ସେହିପରି ପ୍ରକୃତ ଦରମା ଆଧାରରେ ପିଏଫ୍ କଟିବ । ଯୁବ ଏବଂ ଅଭିଜ୍ଞ କର୍ମଚାରୀଙ୍କୁ ନିଜ ହିସାବରେ ପିଏଫ୍ ଅର୍ଥ କାଟ୍ ବାବଦରେ ବିକଳ୍ପ ମିଳିବାର ବ୍ୟବସ୍ଥା ନୂଆ କୋଡରେ ରହିଛି ।

ନୂଆ କୋଡରେ ଗିଗ୍ ଓ୍ୱାର୍କରଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠି ଗଠନର ବ୍ୟବସ୍ଥା ରହିଛି । ଅର୍ଥାତ ସେମାନେ ଅଫିସ ଯାଉଥିବା ପାରମ୍ପରିକ କର୍ମଚାରୀଙ୍କ ଭଳି ସ୍ୱାସ୍ଥ୍ୟ ବୀମା ଏବଂ ଅନ୍ୟ ସୁବିଧା ସୁଯୋଗ ପାଇବେ । ସେହିପରି ମହିଳା କର୍ମଚାରୀ ରାତିରେ କାମ କରିପାରିବେ । କିନ୍ତୁ ସେମାନଙ୍କ ସୁରକ୍ଷାକୁ ଅଫିସ ପକ୍ଷରୁ ସୁନିଶ୍ଚିତ କରିବାକୁ ପଡିବ । କେବଳ ଏତିକି ନୁହେଁ ଯେଉଁ ମହିଳା କର୍ମଚାରୀଙ୍କ ଛୋଟ ଶିଶୁ ରହିଛନ୍ତି, ସେମାନଙ୍କୁ ଯଦି ମହିଳା କର୍ମଚାରୀ କୌଣସି ସୁରକ୍ଷିତ ଜାଗାରେ ଛାଡି ଆସୁଛନ୍ତି, ସେବାବଦରେ ଅଫିସ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଅର୍ଥ ମିଳିପାରିବ । ଏତତ୍ ବ୍ୟତୀତ ଇଏସଆଇସିରେ ମଧ୍ୟ ପରିବର୍ତ୍ତନ ହୋଇଛି । ଇଏସଆଇସି ପାଇଁ କର୍ମଚାରୀଙ୍କୁ କମ୍ ଅର୍ଥରେ ଅଧିକ ଲାଭ ମିଳିବ ।