ନୂଆଦିଲ୍ଲୀ, ୨୮/୦୮: ନେପାଳରେ ଆତଙ୍କ କମିନି । ଶହଶହ ଶବର ପାହାଡ ବିଶ୍ୱକୁ ଦୋହଲାଇ ଦେଇଛି । ବୁଧବାର ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଏବେସୁଦ୍ଧା ୪୬୯ ଜଣଙ୍କ ପ୍ରାଣ ଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବ । କାରଣ ୧୫୦୦ରୁ ଅଧିକ ନିଖୋଜ ରହିଛନ୍ତି । ଏସବୁ ପଛରେ ଭୂମିକମ୍ପ, ହିମଖଣ୍ଡ ଆଦି କାରଣ ରହିଥିବା କୁହାଯାଉଛି । ଏସବୁ ଭିତରେ ପୁଣି ଆଉ ଦୁଇ ଦେଶ ଥରିଛି ।

ରିପୋର୍ଟ ଅନୁସାରେ, ଗଲଫ୍ ଅଫ୍ ଆଡେନରେ ଶୁକ୍ରବାର ସକାଳେ ବଡ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ବୋଲି କୁହାଯାଉଛି । ସୋମାଲିବା ଏବଂ ୟେମେନ୍ ମଧ୍ୟରେ ଏହି ଭୂମିକମ୍ପ ହୋଇଛି । ଫଳରେ ଦୁଇଟି ଦେଶରେ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ସୋମାଲିଆ ଉପକୂଳରୁ ୧୪୫ କିଲୋମିଟର ଦୂରରେ ବୋଲି ସୂଚନା ମିଳିଛି ।

ତେବେ ଇଜିପ୍ଟିଆନ୍ ଗ୍ୟାଜେଟ୍ ଭୂମିକମ୍ପକୁ ନେଇ ଅନ୍ୟ ଏକ ଆକଳନ କରଛି । ଇଜିପ୍ଟିଆନ୍ ଗ୍ୟାଜେଟର ରିପୋର୍ଟ ଅନୁସାରେ, ଭୂମିକମ୍ପର ତୀବ୍ରତା ୬.୨ । ଜର୍ମାନ୍ ରିସର୍ଚ୍ଚ ସେଣ୍ଟଟରର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

Also Read :- ନେପାଳ ବନ୍ୟା : ମୃତ୍ୟୁସଂଖ୍ୟା ୫୦୦ ଛୁଇଁବ ! ୧୫୦୦ ଜଣଙ୍କ ପତ୍ତା ମିଳୁନି

ତେବେ ଭୂକମ୍ପ ପରେ କ୍ଷତିକ୍ଷତିର କୌଣସି ସୂଚନା ମିଳିପାରି ନାହିଁ । ଏପରିକି ସୁନାମି ନେଇ ମଧ୍ୟ କିଛି ସତର୍କତା ଜାରି କରାଯାଇ ନାହିଁ । ସାଧାରଣତଃ ତୀବ୍ରତା ୬ ଉପରେ ହେଲେ ସୁନାମି ଆଲର୍ଟ ଜାରି କରାଯାଏ । କିନ୍ତୁ ଏଠାରେ ସେହିପରି କୌଣସି ଆଲର୍ଟ ଜାରି କରାଯାଇଥିବା ନେଇ ତଥ୍ୟ ମିଳିନି । ଅନ୍ୟ ଦିଗରେ ଝଟକା ଲାଗିବା ପରେ ଦୁଇ ଦେଶର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେମାନେ ଘରୁ ବାହାରି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।