କୋଲକାତା: କର୍କଟ ରୋଗରେ ଆକ୍ରାନ୍ତ ଜନୈକା ମହିଳା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଜନତା ଦରବାରରେ ଭେଟି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭାଇ ତାଙ୍କ ଜମି ଜବରଦଖଲ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ମମତାଙ୍କ ବଡ଼ ଭାଇ ଅଜିତ ବାନାର୍ଜୀ ତାଙ୍କ ମାଲିକାନାଧୀନ ୩ଟି ଜମିକୁ ନିଜ କର୍ତ୍ତୃତ୍ୱକୁ ନେଇଯାଇଛନ୍ତି। ଏଥିରେ ଅଜିତ ପ୍ରଥମ ଜମି ୧୯୯୯ ମସିହାରେ ଓ ଶେଷ ଜମି ୨୦୧୭ ମସିହାରେ ହଡ଼ପ କରିଥିବା ସେ ଅଭିଯୋଗ କରିଛନ୍ତି।

ତୃଣମୂଳ ନେତ୍ରୀ ମମତାଙ୍କ ଘରଠାରୁ ମାତ୍ର କିଛି ଦୂରରେ ୮୦, ହରିଶ ଚାଟାର୍ଜୀ ଷ୍ଟ୍ରିଟ୍ ରେ ରହୁଥିବା ରଞ୍ଜନା ହଜରା ଅଭିଯୋଗ କରିଛନ୍ତି ଯେ ୨୦୧୭ରେ ଅବୈଧ ଜବରଦଖଲକୁ ବିରୋଧ କରିବାରୁ କାଲିଘାଟ ଥାନା ପୋଲିସ ତାଙ୍କ ଭାଇ ଦୀପକ ହାଜରାଙ୍କୁ ନେଇ ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ ରଞ୍ଜନା ହଜରା ଗଣମାଧ୍ୟମକୁ ଭେଟିଛନ୍ତି ଓ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ଏବାବଦେ ତାଙ୍କ ନିକଟକୁ ଜଣେ ଅଧିକାରୀଙ୍କୁ ପଠେଇବେ ବୋଲି କହିଛନ୍ତି।

ରଞ୍ଜାନା କହିଛନ୍ତି ଯେ ଏହି ଅବସରରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିଛି। ଏଥିରେ ରାଜ୍ୟରେ ବାମପନ୍ଥୀ ସରକାର ସମୟରୁ ତାଙ୍କ ପ୍ରତି ଅବିଚାର ହୋଇ ଆସୁଥିବା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ମୋତେ ଲାଗୁଛି ଏବେ ନ୍ୟାୟ ମିଳିବ।

ତେବେ ଅଜିତଙ୍କ ଜନୈକ ନିକଟତମ କହିଛନ୍ତି ଯେ ଏହି ମାମଲାର ଶୁଣାଣି ଏବେ କୋର୍ଟରେ ଚାଲିଛି। ଏହା ଛଡା ସେ ଅଧିକ କିଛି ଜାଣନ୍ତିନି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରଞ୍ଜାନଙ୍କ ପିଟିସନ ଉପରେ କାର୍ଯ୍ୟାନୁଷ୍ଠାନ କରି ୨୦୧୮ ମସିହାରେ କୋଲକାତା ହାଇକୋର୍ଟ କାଲିଘାଟ ପୋଲିସକୁ ଅଜିତଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଛଡା ବିବାଦୀୟ ସମ୍ପତ୍ତି ଉପରେ ପୋଲିସ ମୁତୟନ କରିବାକୁ ମଧ୍ୟ ଆଦେଶ ଦିଆଯାଇଥିଲା। ରଞ୍ଜନା କହିଛନ୍ତି ଯେ ଆମେ ଗତ ୪ ପିଢୀରୁ ଏଠାରେ ରହି ଆସୁଛୁ। ଆମର କିଛି ପୈତୃକ ସମ୍ପତ୍ତି ଅଛି। ଅନେକ ପୂର୍ବରୁ ଆମର ଭବନ ନିର୍ମାଣ ବ୍ୟବସାୟ ଥିଲା।

ଆଉ କିଛି ସମୟ ପରେ ରଞ୍ଜନା ୬୦ ବର୍ଷ ବୟସରେ ପାଦ ଥାପିବେ। ସେ କହିଛନ୍ତି ଯେ ୧୯୯୯ ମସିହାରେ ଅଜିତ ବାନାର୍ଜୀ ପ୍ରଥମେ ଆମର ଏକ ବଡ଼ ଜମିକୁ ମାଡି ବସିଥିଲେ। ପରେ ଅନ୍ୟ ସମ୍ପତ୍ତି ମଧ୍ୟ ଛଡେଇ ନେଇଥିଲେ। ସେ କହିଛନ୍ତି ଯେ ଅଲିପୁର କୋର୍ଟରେ ମୋର ଏକ ଦିବାନୀ ମାମଲା ବିଚାରାଧୀନ ରହିଛି, ଏହା ଛଡା ଅଜିତଙ୍କ ବିରୋଧରେ ଅଲଗା ପୋଲିସ ମାମଲା ମଧ୍ୟ ରହିଛି। ସେ କହିଛନ୍ତି ଯେ ଏହି ଜମିଜମା ବିବାଦରେ ଆଇନଗତ ଖର୍ଚ୍ଚ ବଢିବା ଯୋଗୁ ମୁଁ ଆଉ କୋର୍ଟ କଚେରୀ ଯାଉନି। ତେବେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ମୋତେ ନିଶ୍ଚିତ ନ୍ୟାୟ ଦେବ ବୋଲି ସେ ଦୃଢ ଆଶା ବାନ୍ଧିଛନ୍ତି।