ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାକୁ ନେଇ ଶିକ୍ଷା ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ମେ ୨୧ ତାରିଖରେ ଏନଟିଏ ଓ ଶିକ୍ଷମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କୁ ଡକାଇଛନ୍ତି। ଗୁରୁବାର ହେବାକୁ ଥିବା ଏହି ବୈଠକରେ ପରୀକ୍ଷା ବ୍ୟବସ୍ଥାରେ ସୁଧାର ଓ ତଦନ୍ତର ପ୍ରଗତି ଉପରେ ଆଲୋଚନା ହେବ। କଂଗ୍ରେସ ନେତା ଦିଗବିଜୟ ସିଂହ ଏହି ବୈଠକର ଅଧ୍ୟକ୍ଷତା କରିବେ। ବୈଠକରେ ଏନଟିଏ ମୁଖ୍ୟଙ୍କ ସମେତ ଶିକ୍ଷାମନ୍ତ୍ରାଳୟ ଓ ଏନଟିଏର ବୈରିଷ୍ଠ ଅଧିକାରୀ ହାଜର ହେବେ।

କମିଟି ୩ ମେ ୨୦୨୬ରେ ବାତିଲ ହୋଇଥିବା ନିଟ୍-ୟୁଜି ପରୀକ୍ଷାର ପେପର ଲିକ୍ ମାମଲାରେ ତଦନ୍ତର ସ୍ଥିତି ସମୀକ୍ଷା କରିବେ। ଏହା ସହିତ ପରୀକ୍ଷା ପ୍ରଣାଳୀକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବାକୁ ମାନସମନ୍ଥନ ହେବ। ବୈଠକରେ ଶିକ୍ଷା ମନ୍ତ୍ରାଳୟ ଓ ଏନଟିଏ ଦ୍ୱାରା ରାଧାକୃଷ୍ଣ କମିଟିର ସୁପାରିଶ ଲାଗୁ ନେଇ ମଧ୍ୟ ଚର୍ଚ୍ଚା ହେବ। ସୂତ୍ର ଅନୁସାରେ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଏନଟିଏରେ ସୁଧାର, ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତାକୁ ବଢାଇବା ଓ ଏଥିପ୍ରତି ଛାତ୍ରଙ୍କ ଭରସା ପୁଣି ବଢାଇବା ଉପରେ ଗୁରୁତ୍ୱ ଦିଆଯିବ।

ନିଟ୍-ୟୁଜି ପେପର ଲିକ୍ ବିବାଦ ପରେ ଆହ୍ୱାନ କରାଯାଇଥିବା ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ଲଗାତାର ଉଠୁଥିବା ପ୍ରଶ୍ନ ମଧ୍ୟରେ ସରକାର ପରୀକ୍ଷା ପ୍ରଣାଳୀକୁ ସୁରକ୍ଷିତ ଓ ମଜଭୁତ କରିବାକୁ ଉଦ୍ୟମ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପେପର ଲିକ୍ ହେବା ଯୋଗୁ ଦେଶରେ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ବର୍ଷକର ପରିଶ୍ରମ ବୃଥା ହୋଇଛି। ଏଣୁ ଏପରି ପରୀକ୍ଷା ଉପରେ ଏବେ ଛାତ୍ରଛାତ୍ରୀଙ୍କ ଭରସା ଉଠି ଯାଇଛି।

ନିଟ୍ ପରୀକ୍ଷା ପୁଣି ଥରେ ଜୁନ ୨୧ ତାରିଖରେ ଅନୁଷ୍ଠିତ ହେବ। ନିଟ୍-ୟୁଜି ଦ୍ୱିତୀୟବାର ପରୀକ୍ଷାକୁ ନେଇ କେନ୍ଦ୍ର ସରକାର ଏବେ ପୁରା ସତର୍କ ହୋଇଯାଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏଥିରେ ସେ ପରୀକ୍ଷାକୁ ସୁରକ୍ଷିତ, ନିରପେକ୍ଷ ଓ ପାରଦର୍ଶି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଶିକ୍ଷା ମନ୍ତ୍ରାଳୟ ଓ ଏନଟିଏ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।