ନୂଆଦିଲ୍ଲୀ, ୨୭/୦୮ :ନେପାଳରେ ଆସିଥିବା ପ୍ରଳଙ୍କରୀ ବନ୍ୟା ତାଣ୍ଡବ ରଚିଛି । ଘରଦ୍ୱାର, ବ୍ରିଜ ସବୁ ଭାଙ୍ଗିଯାଇଛି । ଶହଶହ ଲୋକେ ଜୀବନ ହାରିଛନ୍ତି । ଏହାସହ ହଜାର ହଜାର ନିଖୋଜ ରହିଛନ୍ତି । ତେବେ ନିଖୋଜଙ୍କ ମଧ୍ୟରେ ୩୦୦ରୁ ଅଧିକ ଭାରତୀୟ ଥିବା କୁହାଯାଉଛି । ପ୍ରଥମେ ଏହି ସଂଖ୍ୟା ୧୩୩ ଥିଲା । ଏବେ ଏହା ୩୦୦ ଟପିଛି । ନେପାଳ ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Also Read :- ନେପାଳ ଭଳି ଆସିବ ପ୍ରଳୟ; ବିପଦରେ ୩୩ ଲକ୍ଷ ଲୋକଙ୍କ ଜୀବନ, କେଉଁ ସମୟରେ ଫାଟିପାରେ ଆଗ୍ନେୟଗିରି

ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ କହିଛନ୍ତି ଯେ, କିଛି ଘଣ୍ଟାରେ ଗୋଟିଏ ପରେ ଗୋଟିଏ ସହର ଭାସି ଯାଇଥିଲା । ବହୁତ କ୍ଷୟକ୍ଷତି ହୋଇଛି । ୧୬୦ ଜଣ ପ୍ରାଣ ହରାଇଛନ୍ତି । ବନ୍ୟାରେ ଏବେବି ହଜାର ହଜାର ବ୍ୟକ୍ତି ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ୩୦୦ ଭାରତୀୟ ରହିଥିବା ସେ ପ୍ରକାଶ କରିଛନ୍ତି । ଏହାସହ ୫୦୦ରୁ ଅଧିକ ବିଦେଶୀ ନାଗରିକଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁ ନଥିବା ସେ ପ୍ରକାଶ କରିଛନ୍ତି ।

ବଢିବ ମୃତ୍ୟୁସଂଖ୍ୟା

ନେପାଳ ପର୍ଯ୍ୟଟନ ବିଭାଗ ଅନୁସାରେ ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟ ଥିବାବେଳେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ରହିଛନ୍ତି । ଅଧିକାଂଶ ପର୍ଯ୍ୟଟକ କୈଳାସ ମାନସରୋବର ଯାତ୍ରା ପାଇଁ ସେଠାକୁ ଯାଇଥିଲେ। ୮୫ରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନିଖୋଜ ଭାରତୀୟଙ୍କ ବାବଦରେ ତଥ୍ୟ ଦେବା ଲାଗି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ବନ୍ୟାଜଳ ଦ୍ରୁତଗତିରେ ନିମ୍ନ ଭାଗକୁ ପ୍ରବାହିତ ହେଉଥିବାରୁ ନେପାଳ ସୀମାବର୍ତ୍ତୀ ରାଜ୍ୟ ବିହାରରେ ସତର୍କତା ଜାରି କରାଯାଇଛି।

ବୁଧବାର ସକାଳେ ଧ୍ୱଂସଲୀଳା

ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୮ଟା ୨୦ରେ ଗୋସାଈକୁଣ୍ଡରୁ ପ୍ରାୟ ୪୭ କିମି ଉତ୍ତରରେ ତିବ୍ଦତୀୟ କ୍ଷେତ୍ରରେ ୪.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଅଞ୍ଚଳ ଗ୍ୟରୋଙ୍ଗ କାଉଣ୍ଟିରେ ଅବସ୍ଥିତ। ଭୂକମ୍ପ ଯୋଗୁ ଦୁଇଟି ଗ୍ଲେସିୟରରେ ହିମସ୍ଖଳନ ହୋଇଥିବା କୁହାଯାଇଛି । ଚାପ ବଢ଼ିବା ପରେ ତ୍ରିଶୂଳୀ ଏବଂ ଭୋଟେକୋଶୀ ନଦୀରେ ଅଚାନକ ବନ୍ୟା ଆସିଯାଇଥିଲା।

ମାଡ଼ି ଆସିଲା କାଦୁଅ ପାଣି

ଏହି ବନ୍ୟା ନେପାଳର ରସୁଓ୍ବା ଜିଲ୍ଲା ଏବଂ ଡିମୁରେ ଓ ଆଖପାଖ ଅଞ୍ଚଳରେ ପ୍ରଳୟ ଆଣିଥିଲା। ଆଖି ପିଛୁଳାକେ ଶତାଧିକ ଘର, ପୋଲ, ରାସ୍ତା, ଜଳବିଦ୍ୟୁତ ପ୍ରକଳ୍ପ ସମେତ ଅନେକ ଭିତ୍ତିଭୂମି ଭାସି ଯାଇଥିଲା।କ୍ୟାମେରାରେ ଏହି ଭୟଙ୍କର ଦୃଶ୍ୟ କଏଦ ହୋଇଛି। ଏହି ଦୃଶ୍ୟ କୌଣସି ହଲିଉଡ୍ ଫିଲ୍ମର ଦୃଶ୍ୟ ଭଳି ମନେ ହେଉଛି। ଲୋକେ ଜୀବନ ବଞ୍ଚାଇବାକୁ ଏଣେତେଣେ ଧାଉଁଥିବାବେଳେ ବନ୍ୟା ପାଣି ସୁନାମି ଭଳି ସେମାନଙ୍କ ଆଡ଼କୁ ମାଡ଼ି ଆସୁଥିବା ଏଥିରେ ଦେଖିବାକୁ ମିଳିଛି। ଚୀନ୍ ପଟୁ ଆସିଥିବା ଫୁଟେଜରେ ନେପାଳ-ତିବ୍ଦତ ସୀମାଞ୍ଚଳ କାଦୁଆ ପାଣିରେ ଭର୍ତ୍ତି ରହିଥିବା ଦେଖିବାକୁ ମିଳିଛି ।