ନୂଆଦିଲ୍ଲୀ: ପାକିସ୍ତାନ ଏହାର ମହାକାଶ ମାରକ କ୍ଷମତା ବୃଦ୍ଧି କରୁଛି। ଏଥିରେ ଚୀନ ଓ ସମ୍ଭବତଃ ତୁର୍କୀ ମଧ୍ୟ ଏଥିରେ ସମର୍ଥନ କରୁଛନ୍ତି। ଯାହା ଭାରତ ପାଇଁ ଚିନ୍ତାର ବିଷୟ ବୋଲି ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟ (ସିଡିଏସ୍) ଜେନେରାଲ ଏନଏସ ରାଜା ସୁବ୍ରମଣି କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ନିଜର ମହାକାଶ-ଆଧାରିତ ସାମରିକ କ୍ଷମତା ବଢ଼ାଇବା ଉଚିତ ବୋଲି ସିଡିଏସ୍ ଗୁରୁତ୍ୱ ଦେଇଛନ୍ତି।

ଶୁକ୍ରବାର ଏହା ଉପରେ ପ୍ରତିକ୍ରିୟା ଦେଇ ବେଜିଂ ଓ ଇସ୍ଲାମାବାଜ ମଧ୍ୟରେ ବଢ଼ୁଥିବା ସାମରିକ ସହଯୋଗ ଓ ଟେକ୍ନୋଲୋଜି ସମର୍ଥନକୁ ନେଇ ସିଡିଏସ୍ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ କେବଳ ଚୀନ୍ ସହାୟତା ଉପରେ ନିର୍ଭର କରୁନାହିଁ ବରଂ ଏହାର ମହାକାଶ ଏବଂ ଉପର ବାୟୁମଣ୍ଡଳ ଗବେଷଣା କମିଶନ (ସୁପାର୍କୋ) ମାଧ୍ୟମରେ ସ୍ୱଦେଶୀ ମହାକାଶ କ୍ଷମତାର ବିକାଶ ପାଇଁ ମଧ୍ୟ କାର୍ଯ୍ୟ କରୁଛି। ବର୍ତ୍ତମାନ ତୁର୍କି ଇସ୍ଲାମାବାଦ ପାଇଁ ଟେକ୍ନୋଲୋଜୀର ମାଧ୍ୟମ ପାଲଟିଛି ବୋଲି ସେ କହିଛନ୍ତି।

ଚିନ୍ତା କେବଳ ପାକିସ୍ତାନର ଉପଗ୍ରହଣ ଉତ୍‌କ୍ଷେପଣକୁ ନେଇ ନାହିଁ। ବରଂ ପାକିସ୍ତାନ ଗୁଇନ୍ଦା ସୂଚନା ପାଇଁ ଚୀନ ଟେକ୍ନୋଲୋଜୀର ସହାୟତା ନେଇପାରେ। ସୀମା ଉପରେ ନଜର ରଖିବା, ନିରିକ୍ଷଣ ଓ ଅନୁସନ୍ଧାନ(ISR),ପୋଜିସନିଂ, ନେଭିଗେସନ ଓ ଟାଇମିଂ ସିଷ୍ଟମ କ୍ଷେତ୍ରରେ ଚୀନର ଉନ୍ନତ ଟେକ୍ନୋଲୋଜୀର ଲାଭ ଉଠାଇପାରେ। ଫଳରେ ଯୁଦ୍ଧ ଭୂମିରେ ପାକିସ୍ତାନର ରଣନୈତିକ ବୃଦ୍ଧି ମଜଭୁତ ହୋଇପାରେ। ତେଣୁ ଭାରତକୁ ଏ ଦିଗରେ ଆହୁରି କାମ କରିବାକୁ ପଡ଼ିବ ବୋଲି ସିଡିଏସ୍ କହିଛନ୍ତି।

ତେବେ ଭାରତୀୟ ମହାକାଶ କ୍ଷମତାକୁ ସିଧାସଳଖ ଚୀନ ମହାକାଶ କ୍ଷମତା ସହ ତୁଳନା କରାଯିବ ଉଚିତ ନୁହେଁ ବୋଲି ସୁବ୍ରମଣି କହିଛନ୍ତି। ସେ କହିଛନ୍ତି “ଚୀନ୍ ପାଖରେ ଯାହା ଅଛି ତାହା ପାଇବା ପାଇଁ ଆମେ ଯୋଜନା କରିବା ଉଚିତ୍ ନୁହେଁ କିମ୍ବା ପ୍ରତିଯୋଗିତା କରିବା ଉଚିତ୍ ନୁହେଁ। ଆମ ପାଖରେ ଆମର ସୀମା ନିରିକ୍ଷଣ କରିବା ପାଇଁ ଯଥେଷ୍ଟ ପରିମାଣର ସାମଗ୍ରୀ ଏବଂ ସୀମା ରିଭିଜିଟ କରିବାର ସମୟକୁ ହ୍ରାସ କରିବାର କ୍ଷମତା ରହିବା ଆବଶ୍ୟକ। ଏଥିପାଇଁ ସବୁ ହିସାବକିତାବ ସରିଛି। ଏବଂ ଆମେ ପର୍ଯ୍ୟାପ୍ତ ସଂଖ୍ୟକ ଉପଗ୍ରହ ଉତ୍ କ୍ଷେପଣ କରିବାକୁ ଚାହୁଁଛୁ।”

Also read- ସ୍ଵତନ୍ତ୍ର ଅଧିବେଶନ ପୂର୍ବରୁ ପିଏମ ମୋଦୀଙ୍କ ହୁଙ୍କାର, ମହିଳା ସଂରକ୍ଷଣ ଉପରେ ସବୁ ବାଧା ଦୂର କରିବୁ

ମହାକାଶ କ୍ଷେତ୍ରରେ ଭାରତ ନିଜର ସାମରିକ କ୍ଷମତା ସୁଦୃଢ଼ କରିବା ଆବଶ୍ୟକ ବୋଲି ସିଡିଏସ କହିଛନ୍ତି। ଏଥିପାଇଁ ଦେଶର ନିରୀକ୍ଷଣ ଓ ଗୁପ୍ତଚର ନେଟୱର୍କକୁ ବ୍ୟାପକ କରିବା ଲାଗି ଆରମ୍ଭ ହୋଇଥିବା ସ୍ପେସ୍ ବେସ୍ଡ ସର୍ଭେଲାନ୍ସ (SBS) ଫେଜ୍-୩ କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଏହି ପ୍ରୋଜେକ୍ଟରେ ୨୬,୯୬୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଅଧୀନରେ ଆସନ୍ତା ତିନି ବର୍ଷରେ ଭାରତ ୫୨ଟି ସ୍ୱତନ୍ତ୍ର ମିଲିଟାରୀ ସାଟେଲାଇଟ୍ ମହାକାଶରେ ସ୍ଥାପନ କରିବାକୁ ଯୋଜନା କରିଛି। ଏଥିରେ ଭାରତର ମହାକାଶଭିତ୍ତିକ ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହେବ।

୨୦୨୪ ଅକ୍ଟୋବରରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (CCS) ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲା। ପ୍ରତିରକ୍ଷା ମହାକାଶ ଏଜେନ୍ସି ଏବଂ ହେଡକ୍ୱାର୍ଟର୍ସ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ର ତତ୍ତ୍ୱାବଧାନରେ ଏହାକୁ କାର୍ଯ୍ୟକାରୀ କରାଯିବ।

ମୋଟ ୫୨ଟି ଉପଗ୍ରହ ମଧ୍ୟରୁ ୨୧ଟି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ନିର୍ମାଣ ଓ ଉତ୍କ୍ଷେପଣ କରିବାକୁ ଥିବା ବେଳେ ବାକି ୩୧ ଟି ଉପଗ୍ରହର ନିର୍ମାଣ ଓ ଉତ୍କ୍ଷେପଣ ଦାୟିତ୍ୱ ଘରୋଇ କମ୍ପାନୀଗୁଡ଼ିକୁ ଦିଆଯିବ।

ଏହା ସହିତ ଚୀନ୍ର ବଢ଼ୁଥିବା ମହାକାଶ ସାମରିକ କ୍ଷମତାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ସିଡିଏସ୍। ଉପଗ୍ରହଗୁଡ଼ିକୁ ଅଚଳ କରିବା କିମ୍ବା ସେଗୁଡ଼ିକୁ ଟାର୍ଗେଟ୍ କରିବାରେ ସକ୍ଷମ ଜ୍ଞାନକୌଶଳ ବିକଶିତ କରିବା ଦିଗରେ ଚୀନ୍ ଆଗେଇ ଚାଲିଛି ବୋଲି ସେ କହିଛନ୍ତି।

ଚୀନ୍ ପାଖରେ ଉପଗ୍ରହ ବିଧ୍ୱଂସୀ ବା ଆଣ୍ଟି ସାଟେଲାଇଟ୍ ବ୍ୟବସ୍ଥା ସହିତ ଇଲେକ୍ଟ୍ରୋନିକ୍ ଯୁଦ୍ଧ ଜ୍ଞାନକୌଶଳ ଅଛି ବୋଲି କୁହାଯାଉଛି। ଏହି ଜ୍ଞାନକୌଶଳ ଉପଗ୍ରହ ଯୋଗାଯୋଗ ଏବଂ ନାଭିଗେସନ୍ ନେଟୱର୍କକୁ ବାଧାପ୍ରାପ୍ତ କରିବାରେ ସକ୍ଷମ। ତେଣୁ ଭବିଷ୍ୟତର ସୁରକ୍ଷା ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ଭାରତର ମହାକାଶଭିତ୍ତିକ ପ୍ରତିରକ୍ଷା କ୍ଷମତା ବୃଦ୍ଧି ଅତ୍ୟନ୍ତ ଜରୁରୀ।