ନୂଆଦିଲ୍ଲୀ ୧୫।୧୦; ନା ଏହା କୌଣସି କାହାଣୀ, ନା କୌଣସି କିମ୍ବଦନ୍ତୀ। ପଶ୍ଚିମବଙ୍ଗର ଜୟପୁର ରାଜବାଡ଼ିରେ ରହିଛି ମା’ ଦୁର୍ଗାଙ୍କ ଏଭଳି ଏକ ଅନନ୍ୟ ପରମ୍ପରା। ଦେବୀଙ୍କ ମୂର୍ତ୍ତି ସୁନାରେ ନିର୍ମିତ, ପଛରେ ରହିଛି ରୂପାର ଚାଲଚିତ୍ର। ପ୍ରାୟ ୪୦୦ ବର୍ଷର ଇତିହାସ ବହନ କରୁଥିବା ଏହି ପୂଜାରେ ଆସ୍ଥା ସହ ଯୋଡ଼ି ହୋଇଛି ରାଜକୀୟ ପରମ୍ପରା ଓ କଡ଼ା ସୁରକ୍ଷାର କାହାଣୀ। ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ଜୟପୁର ରାଜବାଡ଼ିର ଦୁର୍ଗାପୂଜା ଏଥିପାଇଁ ଅନନ୍ୟ। ଏଠାରେ ମା’ ଦୁର୍ଗାଙ୍କ ଦ୍ୱିଭୁଜା ଅର୍ଥାତ୍ ଦୁଇ ହାତ ବିଶିଷ୍ଟ ସ୍ୱର୍ଣ୍ଣ ମୂର୍ତ୍ତି ପୂଜା ପାଆନ୍ତି। ଦେବୀଙ୍କ ପଛରେ ଶୋଭା ପାଏ ରୂପାରେ ନିର୍ମିତ ସୁନ୍ଦର ଚାଲଚିତ୍ର।

ଏହି ଅନନ୍ୟ ରୂପରେ ମା’ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। କିନ୍ତୁ ଏହି ପୂଜାର ସବୁଠୁ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି ମୂର୍ତ୍ତିର ସୁରକ୍ଷା ବ୍ୟବସ୍ଥା। ବର୍ଷର ପ୍ରାୟ ୩୬୦ ଦିନ ମା’ଙ୍କ ସ୍ୱର୍ଣ୍ଣ ମୂର୍ତ୍ତିକୁ ରଖାଯାଏ ବ୍ୟାଙ୍କ ଲକରରେ। ପୂଜାର ଷଷ୍ଠୀ ତିଥିରେ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ମୂର୍ତ୍ତିକୁ ଅଣାଯାଏ ରାଜବାଡ଼ିକୁ। ପୂଜା ଶେଷ ହେବା ପରେ ଦଶମୀ ଦିନ ପୁଣି ମୂର୍ତ୍ତିକୁ ଫେରାଇ ନିଆଯାଏ ବ୍ୟାଙ୍କ ଲକରକୁ। ଏହି ନିଆରା ପରମ୍ପରା ପଛରେ ରହିଛି ଏକ ରୋଚକ ଇତିହାସ। କୁହାଯାଏ, ରାଜା ଜୟ ସିଂହଙ୍କ ଶାସନ କାଳରେ ଏଠାରେ ଦୁର୍ଗାପୂଜାର ପରମ୍ପରା ଆରମ୍ଭ ହୋଇଥିଲା। ପ୍ରାରମ୍ଭରେ ମାଟିର ମୂର୍ତ୍ତି ପୂଜା ପାଉଥିଲେ। ପରେ ରାଜା କାଶୀନାଥ ସିଂହଙ୍କ ଶାସନ ସମୟରେ ପୂଜା ଚାଲିଥିବା ବେଳେ ମନ୍ଦିରରେ ଅଗ୍ନିକାଣ୍ଡ ଘଟିଥିଲା।

ଏହା ପରେ ରାଜାଙ୍କୁ ସ୍ୱପ୍ନରେ ଦେବୀ ଦର୍ଶନ ଦେଇ ସ୍ୱର୍ଣ୍ଣ ମୂର୍ତ୍ତି ସ୍ଥାପନ କରିବାକୁ ସଙ୍କେତ ଦେଇଥିଲେ। ଏହାପରେ ବାରଣାସୀର କାରିଗରଙ୍କ ଦ୍ୱାରା ସୁନାର ମୂର୍ତ୍ତି ଓ ରୂପାର ଚାଲଚିତ୍ର ନିର୍ମାଣ କରାଯାଇଥିବା କୁହାଯାଏ। ତେବେ, ଏହି ସ୍ୱର୍ଣ୍ଣ ମୂର୍ତ୍ତିର ସୁରକ୍ଷା ପାଇଁ ପରେ ନିଆଯାଇଥିଲା ବଡ଼ ପଦକ୍ଷେପ। ରାଜବାଡ଼ିରେ ଚୋରି ଘଟଣା ପରେ ପୋଲିସର ପରାମର୍ଶ କ୍ରମେ ପୂଜା ସମୟକୁ ଛାଡ଼ି ବର୍ଷର ଅନ୍ୟ ସମୟରେ ମୂର୍ତ୍ତିକୁ ବ୍ୟାଙ୍କ ଲକରରେ ରଖିବାର ବ୍ୟବସ୍ଥା କରାଗଲା। ଆଜି ମଧ୍ୟ ସେହି ପରମ୍ପରା ଜାରି ରହିଛି।