ଭୁବନେଶ୍ବର ୧୬।୩: ରାଜ୍ୟସଭା ନିର୍ବାଚନ ଭୋଟିଂ ଶେଷ । ଆଉ କିଛି ସମୟ ପରେ ଆସିବ ଫଳାଫଳ । ଆଶାଠୁ ଅଧିକ ହେଲା କ୍ରସ୍ ଭୋଟିଂ । ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୂଚନା ରହିଛି । ତେବେ ରାଜ୍ୟସଭା ନିର୍ବାଚନ କ୍ରସ୍‌ ଭୋଟିଂକୁ ନେଇ ପୁଣି ଶାସକ ଦଳକୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ବିଜେଡି ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଲଢ଼ିବ । ବିଜେପି ଘୋଡ଼ା ବେପାର କରୁଛି ଆଗରୁ କହିଥିଲି ବୋଲି ନବୀନ କହିଛନ୍ତି ।

ଶୁଣନ୍ତୁ କ’ଣ କହୁଛନ୍ତି ନବୀନ ପଟ୍ଟନାୟକ…​​​​​​​​​​​​​​​​​​​​​

ଉଲ୍ଲେଖଯୋଗ୍ୟ ଯେ, କ୍ରସ୍ ଭୋଟିଂ ଯେମିତି ନ ହୁଏ ତାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ବହୁ କସରତ କରିଥିଲେ । ହେଲେ ସବୁ ଉଦ୍ୟମ ଫସର ଫାଟିଛି । କଂଗ୍ରେସ ନିଜର ୧୪ ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କୁ ବେଙ୍ଗାଲୁରୁ ରିସର୍ଟରେ ନେଇ ରଖିଥିଲା । ଦଳୀୟ ହ୍ଵିପ୍‌କୁ ଅବମାନନା କରୁଥିବା ବିଧାୟକଙ୍କୁ ନୋଟିସ୍ ମଧ୍ୟ ଜାରି କରିଥିଲା । ଅନ୍ୟପଟେ ବିଜେଡି ପ୍ରତିଦିନ ନବୀନ ନିବାସରେ ବିଧାୟକଙ୍କ ହାଜିରା ନେଉଥିଲା । ଉଭୟ ଜାଣିଥିଲେ କ୍ରସ୍‌ ଭୋଟିଂ ହେବ । ମାତ୍ର ଏତେ ମାତ୍ରାରେ ହେବ ବୋଲି ଆଶା କରି ନ ଥିଲେ । ଖାସ୍ କରି ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କ୍ରସ୍ ଭୋଟିଂ କରିବାକୁ ସହଜରେ ଗ୍ରହଣ କରି ପାରୁନି ବିଜେଡି । ଆଉ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ମଧ୍ୟ କ୍ରସ୍ ଭୋଟିଂ ପର୍ବରେ ସାମିଲ ହୋଇଛନ୍ତି । କ୍ରସ୍ ଭୋଟିଂର ସମ୍ଭାବିତ ତାଲିକାରେ ରମାକାନ୍ତଙ୍କ ନାଁ ନ ଥିଲା । ତଥାପି ସେ କ୍ରସ୍‌ ଭୋଟିଂ କରିଥିବା ସୂଚନା ରହିଛି । ସବୁଠୁ  ଆଶ୍ଚର୍ଯ୍ୟଜନକ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନା କ୍ରସ୍ ଭୋଟିଂ କରିବା । କେହି ଭାବିନଥିଲେ ରମେଶ ଦଳୀୟ ହ୍ଵିପ୍‌କୁ ଅବମାନନା କରିବେ । ଅନ୍ୟପଟେ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ସୁବାସିନୀ ଜେନା, ସୌଭିକ ବିଶ୍ଵାଳ, ସୋଫିଆ ଫିର୍ଦ୍ଦୋସ ଆଦି କ୍ରସ୍‌ ଭୋଟିଂ କରିବେ ବୋଲି ପୂର୍ବରୁ ସମ୍ଭାବନା ଥିଲା।