ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ ୨୦୨୬ରେ ଆମେରିକୀୟ ଦଳକୁ ଉତ୍ସାହିତ କରିବା ପାଇଁ ମହାକାଶ ଗବେଷଣା ସଂସ୍ଥା ନାସା ରୋମାଞ୍ଚକର ଘୋଷଣା କରିଛି। Phys.orgର ଏକ ରିପୋର୍ଟ ଅନୁଯାୟୀ, ଯଦି ଚଳିତ ବିଶ୍ୱକପରେ ଆମେରିକା ବିଜୟୀ ହୁଏ, ତେବେ ନାସା ଏକ ଫୁଟବଲକୁ ଚନ୍ଦ୍ରପୃଷ୍ଠକୁ ପଠାଇବ।
ଭବିଷ୍ୟତର ଚନ୍ଦ୍ର ଅଭିଯାନ ଏବଂ ସେଠାରେ ଏକ ବେସ୍‌ କ୍ୟାମ୍ପ୍‌ ସ୍ଥାପନ କରିବା ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାସାର ପ୍ରଶାସକ ଜେରେଡ୍‌ ଆଇଜାକମ୍ୟାନ୍‌ ଏହି ପ୍ରତିଶ୍ରୁତି ଦେଇଛନ୍ତି। 

ଦଳକୁ ଉତ୍ସାହିତ କରି ସେ କହିଛନ୍ତି, ‘ଏହା ହେଉଛି ଆମ ପକ୍ଷରୁ ଏକ ବଡ଼ ଚ୍ୟାଲେଞ୍ଜ୍‌। ତେଣୁ ଟିମ୍‌ ୟୁଏସ୍‌ଏ, ଆପଣମାନେ ପଡ଼ିଆରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ। ଆମେ ସେହି ଫୁଟବଲକୁ ଚନ୍ଦ୍ରକୁ ନେଇ ପ୍ରଦର୍ଶିତ କରିବୁ। ଏହା ଆମେରିକା ଦଳ ପାଇଁ ଏକ ଭିନ୍ନ ପ୍ରେରଣା ହେବ।’ ଚଳିତ ୨୦୨୬ ଫିଫା ବିଶ୍ୱକପ୍‌କୁ ଆମେରିକା, ମେକ୍ସିକୋ ଏବଂ କାନାଡା ମିଳିତ ଭାବରେ ଆୟୋଜନ କରିଛନ୍ତି। ଆମେରିକାର ପୁରୁଷ ଦଳ ଗ୍ରୁପ୍‌-ଡି (Group D) ର ଶୀର୍ଷରେ ରହି ରାଉଣ୍ଡ ଅଫ୍‌ ୩୨କୁ ଯୋଗ୍ୟତା ଅର୍ଜନ କରିଛି। ଜୁଲାଇ ୧ ତାରିଖରେ କାଲିଫର୍ଣ୍ଣିଆର ସାନ୍ତା କ୍ଲାରାଠାରେ ଦଳ ବୋସନିଆ ଏବଂ ହର୍ଜେଗୋଭିନା ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ହେଉଛି ।

ଆମେରିକା ମହିଳା ଫୁଟବଲ୍‌ ଦଳ ୪ ଥର ବିଶ୍ୱବିଜେତା ହୋଇ ରେକର୍ଡ କରିଥିବା ବେଳେ, ପୁରୁଷ ଦଳ ଏପର୍ଯ୍ୟନ୍ତ ବିଶ୍ୱକପ୍‌ ଜିତିନାହିଁ। ନାସାର ଏହି ନୂଆ ଘୋଷଣା ପୁରୁଷ ଦଳକୁ ଇତିହାସ ରଚିବା ପାଇଁ ଅଧିକ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି। ଯଦି ଆମେରିକା ଚାମ୍ପିଅନ୍‌ ହୁଏ, ତେବେ ନାସାର ଚନ୍ଦ୍ର ଅଭିଯାନ ଅଧୀନରେ ଯାଉଥିବା ବୈଜ୍ଞାନିକ ଯନ୍ତ୍ରାଂଶ ସହିତ ଏହି ଫୁଟବଲ୍‌କୁ ମହାକାଶକୁ ପଠାଯିବ।

ନାସାର ମୁନ୍‌ ବେସ୍‌ ପ୍ରୋଗ୍ରାମର ମ୍ୟାନେଜର କାର୍ଲୋସ ଗାର୍ସିଆ-ଗାଲାନ୍‌ ଏ ସମ୍ପର୍କରେ କହିଛନ୍ତି ଯେ, ଫୁଟବଲ୍‌ର ଓଜନ ବହୁତ କମ୍‌ ହୋଇଥିବାରୁ ଏହାକୁ ମହାକାଶ ଯାନରେ ନେବା କୌଣସି ବଡ଼ ସମସ୍ୟା ନୁହେଁ। କିନ୍ତୁ ଖେଳାଳିମାନଙ୍କ ପାଇଁ ଏହି ରାସ୍ତା ସହଜ ନୁହେଁ। ସେ ମଜାଳିଆ ଢଙ୍ଗରେ କହିଛନ୍ତି, ‘ବର୍ତ୍ତମାନ ସମସ୍ତ ଦାୟିତ୍ୱ ଆମେରିକା ପୁରୁଷ ଦଳ ଉପରେ, ସେମାନଙ୍କୁ ମୋର ଶୁଭେଚ୍ଛା।’

ଏହି ଯୋଜନା ପଛରେ ଏକ ଐତିହାସିକ ପ୍ରେରଣା ରହିଛି। ୧୯୭୧ ମସିହାରେ ଆପୋଲୋ-୧୪ ଅଭିଯାନ ସମୟରେ ମହାକାଶଚାରୀ ଆଲାନ୍‌ ଶେପାର୍ଡ ଚନ୍ଦ୍ରପୃଷ୍ଠକୁ ଗୋଟିଏ ଗଲ୍ଫ କ୍ଲବ୍‌ ଏବଂ ଦୁଇଟି ଗଲ୍ଫ ବଲ୍‌ ଲୁଚାଇ ନେଇଥିଲେ ଏବଂ ସେଠାରେ ଗଲ୍ଫ ଖେଳିଥିଲେ। ନାସାର ପ୍ରଶାସକ ଆଇଜାକ୍‌ମ୍ୟାନ୍‌ କହିଛନ୍ତି, ‘ଆମେ ଏଥର ଆଲାନ୍‌ ଶେପାର୍ଡଙ୍କ ରେକର୍ଡକୁ ଆହୁରି ଆଗକୁ ନେବାକୁ ଚାହୁଁଛୁ।’ ଏହା ପୂର୍ବରୁ ମଧ୍ୟ ନାସା ବିଶ୍ୱକପ୍‌ ଫୁଟବଲ୍‌କୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ପଠାଇସାରିଛି ଏବଂ ମହାକାଶଚାରୀମାନେ ସେଠାରେ ରହି ମଧ୍ୟ ଫୁଟବଲ୍‌ ମ୍ୟାଚର ଆନନ୍ଦ ନେଇଛନ୍ତି। ତେବେ ଚନ୍ଦ୍ରପୃଷ୍ଠକୁ ଫୁଟବଲ୍‌ ପଠାଇବା ଯୋଜନା ନିଶ୍ଚିତ ଭାବରେ କ୍ରୀଡ଼ା ଜଗତରେ ଏକ ନୂଆ ରୋମାଞ୍ଚ ସୃଷ୍ଟି କରିଛି।