ନୂଆଦିଲ୍ଲୀ ୧୮।୧୨: ଉତ୍ତର ଭାରତରେ ଅକ୍ଟୋବର-ଡିସେମ୍ବର ଧୂଆଁର ମୋଟା ଚାଦର କିଛି ନୂଆ କଥା ନୁହେଁ। ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ଚାଷୀ ଧାନ କଟା ସରିଲେ ପାଳ ଜଳାନ୍ତି। ଏହାର ସବୁଠୁ କୁ ପ୍ରଭାବ ଦିଲ୍ଲୀ- ଏନସିଆର ଓ ପୁରା ଇଣ୍ଡୋ-ଗାଙ୍ଗେଟିକ୍ ପ୍ଲେନ ଉପରେ ପଡିଥାଏ। ପୂର୍ବରୁ ଲୋକେ ମଧ୍ୟାହ୍ନ ଗୋଟଏରୁ ୨ଟା ମଧ୍ୟରେ ପାଳ କୁଟା ଜଳାଉଥିଲେ। ଏହି ସମୟର ନାସାଙ୍କ ଏମଓଡିଆଇଏସ ଉପଗ୍ରହ ପୃଥିବୀ ଉପରେ ନଜର ରଖିଥାଏ। ଏଥିରୁ ଭାରତରେ ପାଳ ଜଳେଇବାର ସଂଖ୍ୟା ବେଶ ସହଜରେ ଧରାପଡି ଯାଉଥିଲା।

ହେଲେ ଏବେ ଚାଷୀ ପାଳ ଜଳାଇବାର ସମୟ ବଦଳେଇ ଦେଇଛନ୍ତି। ସେମାନେ ଅପରାହ୍ନ ୪ଟାରୁ ୬ ମଧ୍ୟରେ ପାଳ ଜାଳୁଛନ୍ତି, ଯାହା କୌଣସି ଉପଗ୍ରହ ନଜରରେ ଆସୁ ନାହିଁ ଓ ଚାଷୀ ବେଶ୍ ସହଜରେ ଜରିମନାରୁ ବର୍ତ୍ତି ଯାଉଛନ୍ତି। ତେବେ ଦକ୍ଷିଣକୋରିଆ ଉପଗ୍ରହ ଜିଓ-କମ୍ପସାଟ-୨ଏ ସହାୟତାରେ ଚାଷୀଙ୍କ ପାଳ ଜଳା ସମୟ ବଦଳି ଯାଇଥିବା ଜଣାପଡିଛି। ଏହି ଉପଗ୍ରହ ପ୍ରତି ୧୦ ମିନିଟର ଡାଟା ଏକତ୍ର କରୁଛି। ସେହିପରି ଇସ୍ରୋ ଓ ଆଇ ଫରେଷ୍ଟ ମଧ୍ୟ ଏହି ପରିବର୍ତ୍ତନର ପୁଷ୍ଟି କରିଛନ୍ତି। ୨୦୨୦ ମସିହାରେ ପାଳ ଜଳାର ଚରମ ସମୟ ମଧ୍ୟାହ୍ନ ଗୋଟାଏ ବେଳେ ଥିଲା ତେବେ ୨୦୨୪ ପରେ ସମୟ ବଦଳି ସନ୍ଧ୍ୟା ୫ଟା ଆଖପାଖକୁ ପହଞ୍ଚି ଯାଇଛି।

୨୦୨୫ରେ ପାଳ ଜଳା ଘଟଣା ଅଧିକ ନାହିଁ, ହେଲେ ବି କମ୍ ନାହିଁ। ଏଣୁ ନଭେମ୍ବର ମାସରେ ଦିଲ୍ଲୀରେ ଅନେକ ଦିନ ପର୍ଯ୍ୟନ୍ତ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୦୦ ପାର କରିଯାଇଥିଲା। ଏଣୁ ଜାତୀୟ ରାଜଧାନୀ ଅଞ୍ଚଳରେ ସ୍କୁଲ ବନ୍ଦ ରଖାଯିବା ସହ ବାୟୁ ପ୍ରଦୂଷଣ ରୋକିବା ପାଇଁ ନିର୍ମାଣ କାମ ବନ୍ଦ କରିବାକୁ ପଡିଛି। ତେବେ ମଧ୍ୟାହ୍ନରେ କୁଟା ଜଳା ଯେତିକି କ୍ଷତିକାରକ ନଥିଲା ଏବେ ଚାଷୀଙ୍କ ଅପରାହ୍ନରେ କୁଟା ଜଳାଇବା ଅଧିକ ବିପଦଜନକ ହୋଇଛି। କାରଣ ଅପରାହ୍ନରେ ବାୟୁର ଉଚ୍ଚତା କମ ଥାଏ ଏଣୁ ଧୂଆଁ ଉପରକୁ ଉଠି ପାରେ ନାହିଁ। ଫଳରେ ସକାଳ ହେବା ବେଳକୁ ପରିସ୍ଥିତି ଜଟିଳ ହୋଇ ଯାଉଛି।

ବିଶେଷଜ୍ଞଙ୍କ ଅନୁସାରେ ଚାଷୀ ନାସାକୁ ଚକମା ଦେବାକୁ ନୁହେଁ ସ୍ଥାନୀୟ ଦେଖରେଖ ଓ ଜରିମନାରୁ ବର୍ତ୍ତିବା ପାଇଁ ପାଳ ଜଳା ସମୟ ବଦଳେଇ ଦେଇଛନ୍ତି। ଏଣୁ ଉପଗ୍ରହ ରିପୋର୍ଟ ଓ ବାସ୍ତବ ସତ୍ୟତାର ଅନ୍ତର ବଢି ଯାଇଛି। ଏହି କାରଣରୁ ପାଳ ଜଳାଇବାର ନୂଆ ସମୟ ବାୟୁ ପ୍ରଦୂଷଣ ନିୟନ୍ତ୍ରଣକୁ ଆହୁରି ଚ୍ୟାଲେଞ୍ଜିଂ କରିଛି।