ମୁମ୍ବାଇ: ମୁଥୁଟ ଫିନକର୍ପ ଓ ବିସିସିଆଇ ୨୬ ସେପ୍ଟେମ୍ବର ଶନିବାର ଏକ ମିଳିତ ଘୋଷଣାରେ କହିଛନ୍ତି ଯେ ଏବେ ମୁଥୁଟ ଫିନକର୍ପ ଭାରତୀୟ କ୍ରିକେଟର ଘରୋଇ ସିରିଜକୁ ସ୍ପୋନସର କରିବ। ଅର୍ଥାତ ଏହି କମ୍ପାନୀ ଭାରତୀୟ କ୍ରିକେଟ ଟିମର ନୂଆ ‘ଟାଇଟଲ’ ସ୍ପୋନସର ହେବ। ଏହି ଡିଲ ଅନୁସାରେ ମୁଥୁଟ ଫିନକର୍ପକୁ ଭାରତରେ ହେବାକୁ ଥିବା କ୍ରିକେଟ ମ୍ୟାଚଗୁଡିକ ଲାଗି ଟାଇଟଲ ସ୍ପୋନସରର ଅଧିକାର ମିଳିଛି। ଏଥିରେ କେବଳ ପୁରୁଷ ଟିମ୍ ନୁହେଁ ବରଂ ବିସିସିଆଇର ଅନେକ ଘରୋଇ ଓ ଜାତୀୟ ସ୍ତରର ମ୍ୟାଚ୍ ସାମିଲ ରହିବ।

ଏଥିମଧ୍ୟରେ କମ୍ପାନୀର ମାଲିକ ଓ ତାଙ୍କ ସମ୍ପତ୍ତିକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ମୁଥୁଟର ମାଲିକଙ୍କ ନେଟୱର୍ଥ ଓ ତାଙ୍କ ବ୍ୟବସାୟ ସମ୍ପର୍କରେ।

ମୁଥୁଟ ଫିନକର୍ପ ଲିମିଟେଡ ଏକ ନନ ବ୍ୟାଙ୍କିଙ୍ଗ ଫାଇନାନସିଆଲ କମ୍ପାନୀ। ଏହି କମ୍ପାନୀ ମୁଥୁଟ ପଚ୍ଚାପନ ଗ୍ରୁପ(ଏମପିଜି)ର ଅଂଶବିଶେଷ। ଏହା ମୁଥୁଟ ବ୍ଲୁ ନାମରେ ମଧ୍ୟ ଜଣାଯାଏ। କମ୍ପାନୀ ମୁଖ୍ୟ ରୂପେ ଗୋଲ୍ଡ ଲୋନ ଓ ଅନ୍ୟ ଫାଇନାନ୍ସ ସମ୍ପର୍କିତ ସେବା ସହ ମଧ୍ୟ ଜଡିତ। ତେବେ କମ୍ପାନୀକୁ ଖାସ କରି ଗୋଲ୍ଡ ଲୋନ ଲାଗି ଲୋକେ ଜାଣନ୍ତି। ମୁଥୁଟ ପଚ୍ଚାପନ ଗ୍ରୁପର କମାଣ୍ଡ ଥୋମାସ ଜନ ମୁଥୁଟ ସମ୍ଭାଳନ୍ତି। ସେ ଗ୍ରୁପର ଚେୟାରମ୍ୟାନ ଓ ବ୍ୟାଙ୍କର ସଂସ୍ଥାପକ ମୁଥୁଟ ପଚ୍ଚାପନଙ୍କ ପୁଅ। ନା କେବଳ ଥୋମାସ ପୁରା ମୁଥୁଟ ପରିବାର ମିଶି ସବୁ ବ୍ୟବସାୟ ସମ୍ଭାଳନ୍ତି ଏହି କମ୍ପାନୀ ପିଢୀ ପରେ ପିଢୀ ଚଳି ଆସୁଛି ଓ ଏବେ ଏହି କମ୍ପାନୀର ନେତୃତ୍ୱ ତୃତୀୟ ପିଢୀର ୩ ଭାଇ ସମ୍ଭାଳୁଛନ୍ତି।

ମୁଥୁଟ ଫିନକର୍ପ କୌଣସି ବ୍ୟକ୍ତିଙ୍କ ଏକାକୀ ଚଳାଉଥିବା ଛୋଟମୋଟ ବ୍ୟବସାୟ ନୁହେଁ। ବରଂ ମୁଥୁଟ ପଚ୍ଚାପନ ଗ୍ରୁପର ଏକ ଗୁରୁତ୍ୱପୂର୍ଣ୍ଣ ଫାଇନାନ୍ସ ବିଜନେସ୍। ଏହାର ପ୍ରମୋଟର ପରିବାରରେ ଥୋମାସ ଜନ ମୁଥୁଟ ଓ ଥୋମାସ ମୁଥୁଟ ମୁଖ୍ୟ ନାମ। ତେବେ କମ୍ପାନୀର ବର୍ତ୍ତମାନ ସିଇଓ ସାଜୀ ଭର୍ଗିଜ ଅଛନ୍ତି। ଏଥିରେ ଯଦି ମୁଥୁଟ ଫିନକର୍ପର ନେଟୱର୍ଥ କଥା ଉଠେ ଆର୍ଥିକ ଓ ନିୟାମକୀୟ ଡକ୍ୟୁମେଣ୍ଟ ଅନୁସାରେ ମୁଥୁଟ ଫିନକର୍ପର ମୋଟ ନେଟୱର୍ଥ ପାଖାପାଖି ୮,୨୦୦ କୋଟି ଟଙ୍କାରୁ ୮,୬୦୦ କୋଟି ଟଙ୍କା ମଧ୍ୟରେ। କମ୍ପାନୀର ଆସେଟ୍ ଅଣ୍ଡରମ୍ୟାନେଜମେଣ୍ଟ ୭୦ ହଜାର କୋଟି ଟଙ୍କାରୁ ଅଧିକ।

ମୁଥୁଟ ପଚ୍ଚାପନ ଗ୍ରୁପର ଆରମ୍ଭ ମୁଥୁଟ ପଚ୍ଚାପନ କରିଥିଲେ। ଆଜି ଏହି ଗ୍ରୁପ ଫାଇନାନ୍ସ ସେବା ବ୍ୟତୀତ ହସ୍ପିଟାଲିଟି, ଅଟୋମୋବାଇଲ, ରିୟଲ ଇଷ୍ଟେଟ ଓ ଅନ୍ୟ ବ୍ୟବସାୟରେ ମଧ୍ୟ ରହିଛି। କମ୍ପାନୀ ଅନୁସାରେ ଗ୍ରୁପ ନିକଟରେ ୪୨୦୦ରୁ ଅଧିକ ଶାଖା ଓ ୩୦ ହଜାରରୁ ଅଧିକ କର୍ମଚାରୀ ଅଛନ୍ତି।