ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ ଦେଶରେ ବିପକ୍ଷ ଦଳଙ୍କ ମେଣ୍ଟ ଇଣ୍ଡିଆ ବ୍ଲକ ସାଂସଦଙ୍କ ଦ୍ୱାରା ଜାରି ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମୂରଲୀ ମନୋହର ଯୋଶୀଙ୍କ ବୟାନ ଆସିଛି। ସେ କହିଛନ୍ତି ଯେ ଯଦି ନିର୍ବାଚନ ନିରପେକ୍ଷ ଓ ଅମଲାତନ୍ତ୍ର ପାରଦର୍ଶି ହୁଏ ତେବେ ଜନତାଙ୍କ ନିର୍ବାଚିତ ସରକାର ସମାପ୍ତ ହେବା କଥା ନୁହେଁ। ଏହା ସହିତ ଲାଠିଚାର୍ଜ ମାମଲାରେ ମଧ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବଳ ପ୍ରୟୋଗ ଉଚିତ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଲାଠି ଚାର୍ଜର ଉପାୟ ଉଚିତ ନୁହେଁ ଓ ଏଥିରୁ ସମାଧାନ ବାହାରି ପାରିବନି।

ଛାତ୍ରଙ୍କ ପ୍ରଦର୍ଶନ ଓ ସେମାନଙ୍କ ଉପରେ ଲାଠିଚାର୍ଜ ମାମଲାରେ ବିଜେପିର ବୟୋଜ୍ୟେଷ୍ଠ ନେତା ମୂରଲୀ ମନୋହର ଯୋଶୀ କହିଛନ୍ତି ଯେ ଦେଖନ୍ତୁ ବିରୋଧ-ପ୍ରଦର୍ଶନର ମାମଲା ଭିନ୍ନ, ତେବେ ଛାତ୍ରଙ୍କ ଯଥାର୍ଥ ଦାବି ସର୍ବଦା ଶୁଣାଯିବା ଦରକାର। ସେମାନଙ୍କ ଆପତ୍ତି ଓ ଅଭିଯୋଗକୁ ସମ୍ପୂର୍ଣ୍ଣ ସହାନୁଭୂତିର ସହ ଶୁଣାଯିବା ଦରକାର। ଲାଠିଚାର୍ଜ ଉପାୟ କୌଣସି ସ୍ତରରେ ଉଚିତ ନୁହେଁ। ଏଭଳି କୌଣସି ସମାଧାନ ହୋଇ ପାରିବନି। ଯଦି କୌଣସି ସମସ୍ୟା ଥାଏ ଶୁଣାଯିବା ଦରକାର, କାରଣ ସେମାନେ ଆମର ପିଲା।

ରାଜଧାନୀ ଦିଲ୍ଲୀରେ ୨୧ତମ ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମହାସଂଘ (ଏଫଆଇସିସିଆଇ) ହାୟର ଏଜୁକେସନ ସମ୍ମିଟ ଅବସରରେ ସାମ୍ବାଦିକଙ୍କ ସହ ଆଲୋଚନାରେ ମୂରଲୀ ମନୋହର ଯୋଶୀ କହିଛନ୍ତି ଯେ ‘ଯେତେବେଳେ କୌଣସି ପିଲା ତା ପିତାଙ୍କୁ ଅଭିଯୋଗ କରେ ଯେ ତୁମେ ମୋତେ ସେହି ଜିନିଷ ଦେବାକୁ କହିଥିଲ, ସେତେବେଳେ ପିତା ତାଙ୍କ ପ୍ରତିଶ୍ରୁତି କାହିଁକି ପୂରଣ କରିପାରିଲେନି ବୋଲି କହିଥାନ୍ତି, ପିଲାକୁ ଘଉଡାଇ ଦେଇ ନଥାନ୍ତି’। ସେହିଭଳି ଛାତ୍ରମାନେ ମଧ୍ୟ ଆମ ପିଲା ଓ ସେମାନଙ୍କ ସହ ସେହିଭଳି ବ୍ୟବହାର କରାଯିବା ଦରକାର।

ପୂର୍ବତନ ମାନବ ସମ୍ବଳ ବିକାଶ (ଏଚଆରଡି) ମନ୍ତ୍ରୀ ଙ୍କୁ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ପଚରା ଯିବାରେ ସେ କହିଛନ୍ତି ଯେ ଏହାର ସଠିକ ମୂଲ୍ୟାଙ୍କନ କରିବା ଏବେ ତରବରିଆ ହେବ। ଜାତୀୟ ଶିକ୍ଷାନୀତି ୨୦୨୦ ଏବେ ନୂଆ ଓ ଖୁବ କମ ସମୟ ହେଲା ଲାଗୁ ହୋଇଛି। ଏହି କାମ ଏବେବି ଜାରି ରହିଛି। ଏଣୁ ଏହି ପର୍ଯ୍ୟାୟରେ ଏହାର ସଫଳତା ନେଇ ଆମେ କଣ କହି ପାରିବା? ଏହା ତ କେବଳ ଆରମ୍ଭ ମାତ୍ର ଏହାର ଫଳାଫଳ କଣ ହେବ ପରେ ଜଣାପଡିବ ବୋଲି ସେ କହିଛନ୍ତି।

ନିର୍ବାଚନ ଆୟୋଗ ସମ୍ପର୍କିତ ବିବାଦ ଉପରେ ବିଜେପି ନେତା କହିଛନ୍ତି ଯେ ଯଦି କୌଣସି ପ୍ରକାର କେଉଁଠାରେ ସମ୍ବିଧାନ ଉଲ୍ଲଂଘନ ହୁଏ ତେବେ ଏହି ମାମଲାକୁ ସୁପ୍ରିମକୋର୍ଟ ସଂଜ୍ଞାନକୁ ନେବା କଥା। ସେହିପରି ଏସଆଇଆର ଗଡ଼ବଡ଼ିକୁ ନେଇ ସେ କହିଛନ୍ତି ଯେ ‘ଜନତାଙ୍କର, ଜନତାଙ୍କ ଲାଗି ଓ ଜନତାଙ୍କ ଦ୍ୱାରା ନିର୍ବାଚିତ ସରକାର ପୃଥିବୀରୁ ସମାପ୍ତ ହେବନି ତେବେ ସର୍ତ୍ତ ହେଉଛି ନିର୍ବାଚନ ନିରପେକ୍ଷ ହେବା ଦରକାର ଓ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସରକାରଙ୍କ ପାଖରେ ଉତ୍ତର ଥିବା ଦରକାର ଓ ଅମଲାତନ୍ତ୍ର ପାରଦର୍ଶି ହେବା ଦରକାର’।

ସେହିପରି ବିରୋଧୀ ଦଳଙ୍କ ବିରୋଧ ପ୍ରଦର୍ଶନକୁ ନେଇ ଯୋଶୀ କହିଛନ୍ତି ଯେ ‘ବିପକ୍ଷ ସମ୍ବେଦନଶୀଳ ଓ ଦାୟିତ୍ୱବାନ,ସେମାନଙ୍କର ଏକ ସ୍ପଷ୍ଟ ବିକଳ୍ପ କାର୍ଯ୍ୟକ୍ରମ ରହିଛି। ପୁରା ପ୍ରକ୍ରିୟା ସମ୍ବିଧାନ ପରିସରରେ ହେବା ଆବଶ୍ୟକ। ଏଥିରେ ଯଦି ସମ୍ବିଧାନର ଉଲ୍ଲଂଘନ ହେଉଥାଏ ତେବେ ଏହାକୁ ସୁପ୍ରିମକୋର୍ଟ ଦେଖିବା ଦରକାର। କାରଣ ଗଣତନ୍ତ୍ର ଏହି ସିଦ୍ଧାନ୍ତରେ କାମ କରେ’। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ସମେତ କେତେକ ପ୍ରମୁଖ ବିରୋଧୀ ଦଳ ଗତ ସେପ୍ଟେମ୍ବର ୨୫ ତାରିଖରେ ଦି ଇଣ୍ଡିଆନ ଏକ୍ସପ୍ରେସ୍ ରେ ପ୍ରକାଶିତ ଖବର ପରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ପ୍ରଦର୍ଶନ କରି ଆସୁଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ବିକ୍ଷୋଭ ପ୍ରଦର୍ଶନ ଗୁରୁବାର ତୃତୀୟ ଦିନ ମଧ୍ୟ ଜାରି ରହିଛି।