ମୁନିଗୁଡା : ବଢ଼ୁଛି ଚୋରଙ୍କ ଆତଙ୍କ। ଦିନ ରାତି କିଛି ମାନୁ ନାହାନ୍ତି। କେଉଁଠି ଦିନ ଦ୍ୱିପ୍ରହରରେ ଲୁଟ୍ ତ କେଉଁ ଜନଗହଳିପୂର୍ଣ୍ଣ ସ୍ଥାନରେ ଛିନତାଇ। ସେମିତି ଦୁରୁବାର ରାୟଗଡ଼ା ଜିଲ୍ଲା ମୁନିଗୁଡା ତିନିକୋଣିଆ ଛକ ନିକଟରେ ଥିବା ମୁରଲୀ ଜ୍ବେଲେରୀ ଦୋକାନରୁ ଲୁଟ୍ ହୋଇଛି। ଚିନ୍ତାର ବିଷୟରେ ଏଠି କାନ୍ଥ ଖୋଳି ସୁନା ଓ ରୂପା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୁଚନା ଅନୁଯାୟୀ ଗତକାଲି ରାତି ୯ଟାରେ ମାଲିକ ସୁନା ଦୋକାନ ବନ୍ଦ କରି ଯାଇଥିଲେ । ଶନିବାର ସକାଳୁ ସେ ଆସି ଦୋକାନ ଖୋଲିବା ବେଳେ ପଛପଟ କାନ୍ଥ ଖୋଳି ଚୋରି ହୋଇଥିବା ଦେଖିଥିଲେ। ପରେ ପୂରା ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ ଦୋକାନ ମାଲିକ । ଖବରପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଚୋରମାନେ ଦୋକାନ ଭିତରେ ପଶିବା ପରେ ସିସିଟିଭି ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି। ଦୋକାନରୁ ୧୦ କେଜି ରୁପା ଓ ୨୦ଗ୍ରାମ ସୁନା ଚୋରି ହୋଇଥିବା ଦୋକାନ ମାଲିକ ସୂଚନା ଦେଇଛନ୍ତି। ପୋଲିସ୍ ଏବେ ଘଟଣାର ତଦନ୍ତ କରୁଛି ।

ସହରର ମୁଖ୍ୟ ଛକ ନିକଟରେ ଥିବା ଗହଣା ଦୋକାନରୁ ଏଭଳି ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚିନ୍ତାର କାରଣ ପାଲଟିଛି। ଦୋକାନର କାନ୍ଥ ଖୋଳି ଚୋରି କରିବା ଏବଂ ସିସିଟିଭି ଭାଙ୍ଗିଦେବା ଘଟଣାରୁ ଚୋରଙ୍କ ଯୋଜନାବଦ୍ଧ କାର୍ଯ୍ୟ ସ୍ପଷ୍ଟ ହେଉଛି। ତେବେ ଆଇନ୍ କାନୁନ୍ ଯେତେ ଶକ୍ତ ହେଉଛି, ଲୁଟେରା ଲୁଟିବାର ନୂଆ ନୂଆ ତରିକା ଆପଣାଉଛନ୍ତି। ଏସବୁ ଉପରେ କେବେ ଲାଗିବ ଲଗାମ୍ , ସମସ୍ତେ ତାକୁ ହିଁ ଅପେକ୍ଷା କରିଛନ୍ତି।

Also Read- ଆସୁଛି ଭୀଷଣ ବାତ୍ୟା ! ୧୦୫ କି.ମି. ବେଗରେ ବହିପାରେ ପବନ : ଗତିପଥ ଜାରି କଲା IMD