ମୁମ୍ବାଇ, ୨୩/୦୮ : ଗଣେଶ ପୂଜା ପୂର୍ବରୁ ଅଘଟଣ । ମହାରାଷ୍ଟ୍ରରେ ଗଣେଶ ପୂଜା ଉତ୍ସବ ପୂର୍ବରୁ ଏକ ବଡ଼ ଧରଣର ଅଘଟଣ ଘଟିଛି । ଯେଉଁଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଶନିବାର ରାତିରେ ଗଜାନନଙ୍କ ମୂର୍ତ୍ତି ଆଣିବା ବେଳେ ଭୂଲେଶ୍ୱର ଚା ରାଜା(ଗଣେଶ ମଣ୍ଡପର ନାଁ)ଙ୍କ ପ୍ରତିମା ପଡି ଯାଇଥିଲା । ଫଳରେ ବଡ ଦୁର୍ଘଟଣା ଘଟିଛି । ଏହାସହ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଅଛନ୍ତି ।

ଏଏନଆଇ ଅନୁସାରେ, ଶନିବାର ରାତି ୧୦ଟାରେ ଭୂଲେଶ୍ୱରର ବଳରାମ ମର୍ଚାଣ୍ଟ୍ ରୋଡରେ ଏହି ଘଟଣା ଘଟିଛି । ଗଣେଶଙ୍କ ପ୍ରତିମୂର୍ତ୍ତିକୁ ପୂଜା ପୂର୍ବରୁ ମଣ୍ଡପକୁ ଅଣାଯାଉଥିଲା । ଏହି ସମୟରେ ପ୍ରଥମେ ମୂର୍ତ୍ତିର ମୁଣ୍ଡ ତଳେ ପଡି ଯାଇଥିଲା । ଅନେକ ଲୋକଙ୍କ ଉପରେ ଗଣେଶଙ୍କ ମୁଣ୍ଡ ପଡିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ଶିଶୁ କନ୍ୟା ମଧ୍ୟ ଅଛନ୍ତି ।

ସୂଚନା ପାଇବା ପରେ ଦମକଳ ବାହିନୀ ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲେ । ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Also Read :- ଆଉଥରେ ଲଘୁଚାପ, ଆଜିଠୁ ବଢିବ ବର୍ଷା...ଏବେ ଏହି ସବୁ ଜିଲ୍ଲାରେ ବନ୍ୟା ଆଶଙ୍କା !

ନଗର ନିଗମ ଅଧିକାରୀଙ୍କ କହିବାନୁସାରେ, ମୃତକମାନେ ହେଲେ ସଙ୍କେତ ନେବସେ ଏବଂ ବ୍ରଜେଶ ଯୋଶୀ । ସେମାନଙ୍କୁ ହସ୍ପିଟାଲ ଅଣାଯାଇଥିଲା । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ଅନ୍ୟ ଆହତଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଅଧିକାରୀ ପ୍ରକାଶ କରିଛନ୍ତି ।