ନୂଆଦିଲ୍ଲୀ:ପୁଣେର ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟାକାଣ୍ଡକୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ମଧ୍ୟପ୍ରଦେଶର ଜଣେ ମହିଳା ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ହତ୍ୟାକାଣ୍ଡକୁ ଠିକ୍ ଦର୍ଶାଇ ପୋଷ୍ଟ କରିବା ଅଭିଯୋଗରେ ଡାକ୍ତର ମୁସ୍କାନ ସୋନୀଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି।

'#IHateMan'ହ୍ୟାସଟ୍ୟାଗ ଦେଇ କରିଥିଲେ ପୋଷ୍ଟ

ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଅବସ୍ଥାପିତ ଡାକ୍ତର ମୁସ୍କାନ ସୋନୀ 'ଅଲ୍ ଇଣ୍ଡିଆ ଡେଣ୍ଟାଲ ଷ୍ଟୁଡେଣ୍ଟସ ଆଣ୍ଡ ସର୍ଜନ୍ସ ଆସୋସିଏସନ' (AIDSA) ର ସଦସ୍ୟ ଏବଂ କୋଷାଧ୍ୟକ୍ଷ ଥିଲେ। କେତନ ହତ୍ୟାକାଣ୍ଡ ମାମଲାରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ #IHateManହ୍ୟାସଟ୍ୟାଗ୍ ସହ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ହତ୍ୟାକାଣ୍ଡକୁ ସଠିକ୍ ବୋଲି କହିବା ସହ ମାମଲାର ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଏବଂ ତାଙ୍କ ସହଯୋଗୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଭଳି ମନେହେଉଥିଲା। ଏହି ପୋଷ୍ଟ ଭାଇରାଲ ହେବା ପରେ ଆସୋସିଏସନର କର୍ମକର୍ତ୍ତାମାନେ ଏହାକୁ ନେଇ ତୀବ୍ର ଆପତ୍ତି ପ୍ରକାଶ କରିଥିଲେ।

୫ ବର୍ଷ ପାଇଁ ନିଲମ୍ବିତ

ବିବାଦ ବଢ଼ିବା ପରେ ଡକ୍ଟର ମୁସ୍କାନ ସୋନୀ ସୋସିଆଲ ମିଡିଆରେ କ୍ଷମା ମାଗି ସଫେଇ ଦେଇଥିଲେ ମଧ୍ୟ ଆସୋସିଏସନ ଆକ୍ସନ ନେଇଛି । ସଂଗଠନର ଜାତୀୟ କାର୍ଯ୍ୟକାରୀ ସଭାପତି ଡାକ୍ତର ଦିବାକର ମୁଟୌତିଆ ଏହି ଟିପ୍ପଣୀକୁ ସଂଗଠନର ନୈତିକ ମୂଲ୍ୟବୋଧର ବିରୁଦ୍ଧ ବୋଲି କହିଛନ୍ତି। ଜଣେ ମୃତ ବ୍ୟକ୍ତିଙ୍କ ବିରୋଧରେ ଏଭଳି ଅମାନବୀୟ ଟିପ୍ପଣୀକୁ କଦାପି ବରଦାସ୍ତ କରାଯାଇପାରିବ ନାହିଁ।"

ଡାକ୍ତରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ:

ଡାକ୍ତର ମୁସ୍କାନଙ୍କୁ କୋଷାଧ୍ୟକ୍ଷ ପଦରୁ ତତ୍କାଳ ବହିଷ୍କାର କରାଯାଇଛି। ସଂଗଠନର ପ୍ରାଥମିକ ସଦସ୍ୟତାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ସେ ଆଉ ଏହି ଆସୋସିଏସନର ସଦସ୍ୟ ହୋଇପାରିବେ ନାହିଁ। ନିଲମ୍ବନ ଅବଧି ମଧ୍ୟରେ ସେ ସଂଗଠନର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ କିମ୍ବା ପୂର୍ବତନ ଅଧିକାରୀ ଭାବେ କୌଣସି କ୍ଷମତାର ବ୍ୟବହାର କରିପାରିବେ ନାହିଁ।