ଭୁବନେଶ୍ୱର ୧୮।୦୬ : ରାଜ୍ୟରେ ମୌସୁମୀ ପ୍ରବେଶ ସତ୍ତେ୍ୱ ଗରମ ପ୍ରକୋପ ଜାରି ରହିଛି । ପୂର୍ବାନୁମାନ ଯାହା, ଏବେ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ଅସହ୍ୟ ଗରମ, ଗୁଳୁଗୁଳିରୁ ନିସ୍ତାର ସମ୍ଭାବନା କମ୍ ।

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଆସନ୍ତା ୨୧ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ ଅସହ୍ୟ ଗରମ ହେବ । ରାତିରେ ମଧ୍ୟ ଗରମରୁ ନିସ୍ତାର ମିଳିନପାରେ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଭୀଷଣ ଗରମ ଜାରି ରହିବ । ଏହି ସମୟରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବ । କେତେକ ଜାଗାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

୨୨ରୁ ୨୪ ଜୁନ୍ ମଧ୍ୟରେ ରାଜ୍ୟରେ ମୌସୁମୀ ଫେରିବାର ପ୍ରାରମ୍ଭିକ ସଙ୍କେତ ମିଳିପାରେ । ଆକାଶରେ ମେଘର ପରିମାଣ ଧୀରେ ଧୀରେ ବଢ଼ିବ । ଏହା ସହିତ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ବଢ଼ିପାରେ । ଏହି ସମୟରେ ମୌସୁମୀ ବାୟୁ ପ୍ରବାହ ଧୀରେ ଧୀରେ ଶକ୍ତିଶାଳୀ ହୋଇପାରେ । ୨୩ରୁ ୨୭ ତାରିଖ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ଅଧିକ ବର୍ଷା ହେବା ସମ୍ଭାବନା ଅଛି । ଉପକୂଳ, ଉତ୍ତର ଏବଂ କେନ୍ଦ୍ରୀୟ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ବର୍ଷାର ପ୍ରଭାବ ଧୀରେ ଧୀରେ ପଶ୍ଚିମ ଓଡ଼ିଶା ଆଡ଼କୁ ମଧ୍ୟ ବଢ଼ିବ ।

Also Read:-Horoscope Today : ଜୁନ ୧୮ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମୌସୁମୀ ବାୟୁ ଅନୁକୂଳ ହେବା ଫଳରେ ପଶ୍ଚିମ ଓଡ଼ିଶାର ତାପମାତ୍ରା କ୍ରମଶଃ କମିବ । ଶକ୍ତିଶାଳୀ ହେଉଥିବା ମୌସୁମୀ ବାୟୁ ପ୍ରବାହ ଏହି ସମୟରେ ଓଡ଼ିଶାର ପଡ଼ୋଶୀ ଅଞ୍ଚଳ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିବ । ଅନେକ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଅନୁଯାୟୀ, ୨୮ରୁ ୩୦ ଜୁନ୍ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ବାୟୁମଣ୍ଡଳୀୟ ଚାପରେ ପରିବର୍ତ୍ତନ ଘଟି ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସଙ୍କେତ ମିଳୁଛି । ହେଲେ ଏହା କେତେ ଘନୀଭୂତ ହେବ, ସେ ନେଇ ଏବେଠାରୁ ସମ୍ପୂର୍ଣ୍ଣ ସ୍ପଷ୍ଟତା ଆସିନାହିଁ । ତଥାପି ଜୁନ୍ ଶେଷ ସପ୍ତାହ ଆଡ଼କୁ ଓଡ଼ିଶାରେ ଚାଲିଥିବା ଦୁର୍ବଳ ମୌସୁମୀ ପାଗ ବଦଳି ଏକ ସକ୍ରିୟ ବର୍ଷା ପର୍ଯ୍ୟାୟ ଆରମ୍ଭ ହେବା ନେଇ ମଧ୍ୟମ ଆଶା ରହିଛି । ୨୩ ତାରିଖବେଳକୁ ଏ ନେଇ ଅଧିକ ସ୍ପଷ୍ଟ ସୂଚନା ମିଳିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ବୁଧବାର ମଧ୍ୟ ବୌଦ୍ଧ ରାଜ୍ୟରେ ସବୁଠାରୁ ଉତ୍ତପ୍ତ ଥିଲା । ବୌଦ୍ଧରେ ପାରଦ ୪୨.୭ ଡିଗ୍ରୀ ସେଲସିୟସ୍, ସମ୍ବଲପୁର ୪୧.୫, ହୀରାକୁଦ ୪୧.୪ ଡିଗ୍ରୀ ଥିଲା । ଭୁବନେଶ୍ୱରରେ ତାପମାତ୍ରା ୩୮.୬ ଡିଗ୍ରୀ ଥିବାବେଳେ ଗୁଳୁଗୁଳି ଅସହ୍ୟ ହୋଇ ପଡ଼ିଥିଲା । ପାଣିପାଗ ବିଭାଗ ଆକଳନ କରିଛି, ରାଜ୍ୟରେ ଏବେ ନିୟମିତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୨୧ ତାରିଖ ଯାଏଁ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ସମେତ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ଗରମ ସହ ଗୁଳୁଗୁଳି ପ୍ରକୋପ ଲାଗି ରହିବ । ଗୁରୁବାର ଝାରସୁଗୁଡ଼ା ଓ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିପାରେ । ୧୯ରୁ କିଛି ସ୍ଥାନରେ ବର୍ଷା ଅଧିକ ହୋଇପାରେ ।