ମୁମ୍ବାଇ: ଧନ ସଂପତ୍ତି ମୋହରେ ଲୋକେ କେତେ କଣ ଅପରାଧ କରିପକାନ୍ତି ତାର ହିସାବ ନାହିଁ । ପାଖରେ ଅମାପ ଧନ ଥିଲେ, ପାପ ପୂଣ୍ୟ ନିଜ ପକେଟରେ ଥିବା ଭଳି ମନେ କରନ୍ତି ଲୋକେ । କିନ୍ତୁ ଗୋଟିଏ କ୍ଷଣ ଧନ ସଂପତ୍ତିକୁ ପର କରି ରାସ୍ତାକୁ ବାହାରି ଗଲେ ନିଜ ପ୍ରିୟ ପରିଜନ ମଧ୍ୟ ଚିହ୍ନିବାକୁ ମନା କରିଦିଅନ୍ତି  । ଏଭଳି ଉଦାହରଣ ଅନେକ ରହିଛି । ଏହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ମହାଧନୀ ବିଧାୟକ । ସମାଜରେ ଜଣେ ସାଧାରଣ ମଣିଷ କିମ୍ବା ଜଣେ ଭିକ୍ଷୁକର  ଜୀବନର ମୂଲ୍ୟ କଣ’, ଜାଣିବାକୁ ସେ ସାଜିଥିଲେ ଜଣେ ଭିକାରୀ । ନିଜ ନିର୍ବାଚନ ମଣ୍ଡଳୀରେ ବୁଲି ଲୋକଙ୍କୁ ହାତ ପାତି ମାଗିଥିଲେ ଏବଂ ଜିଁ ଥିଲେ ଜଣେ ଫକୀରର ଜୀବନ ।  

​​​​​​​ମୁମ୍ବାଇର ଘାଟକୋପର (ଇଷ୍ଟ) ଆସନର ବିଜେପି ବିଧାୟକ ପରାଗ ଶାହ ଭିକ୍ଷୁକ ବେଶରେ ରାସ୍ତାରେ ଭିକ୍ଷା ମାଗୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହଜାର ହଜାର କୋଟି ଟଙ୍କାର ସମ୍ପତ୍ତିର ମାଲିକ ହୋଇ ମଧ୍ୟ ସେ ଭିକ୍ଷୁକ ସାଜି ଲୋକଙ୍କ ନିକଟରୁ ଭିକ୍ଷା ଗ୍ରହଣ କରିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମହାରାଷ୍ଟ୍ରର ସବୁଠାରୁ ଧନୀ ବିଧାୟକମାନଙ୍କ ମଧ୍ୟରୁ ଅନ୍ୟତମ ପରାଗ ଶାହ ।  ୨୦୨୪ ନିର୍ବାଚନରେ ସେ ଦେଇଥିବା ସତ୍ୟପାଠ ଅନୁସାରେ, ତାଙ୍କ ସମ୍ପତ୍ତିର ମୂଲ୍ୟ ୩,୩୮୩ କୋଟି ଟଙ୍କାରୁ ଅଧିକ । ସେ ନିଜ ଗାଡ଼ି, ସୁରକ୍ଷାକର୍ମୀ ଓ ଦାମୀ ପୋଷାକ ଛାଡ଼ି ମେକଅପ୍ ଦ୍ବାରା ନିଜ ରୂପ ବଦଳାଇଥିଲେ ଏବଂ ଭିକାରୀ ବେଶରେ ରାସ୍ତାରେ ବୁଲିଥିଲେ ।

ଜୈନ ପର୍ବ ଓ ଚାତୁର୍ମାସ ଅବସରରେ ଜୈନ ଧର୍ମଗୁରୁ ନମ୍ରମୁନି ମହାରାଜଙ୍କ ପରାମର୍ଶ କ୍ରମେ ସେ ଏହି କାର୍ଯ୍ୟ କରିଥିଲେ। ଗୁରୁଦେବ ସମାଜର ଅଭାବୀ ଲୋକଙ୍କ ପ୍ରତି ସମ୍ବେଦନଶୀଳତା ଓ କରୁଣା ଭାବ ରଖିବାକୁ ଉପଦେଶ ଦେଇଥିଲେ। ଶାହ ଘାଟକୋପର ରେଳ ଷ୍ଟେସନ ପରିସର ଓ ଆଖପାଖ ରାସ୍ତାରେ ସାଧାରଣ ଭିକ୍ଷୁକ ପରି ବୁଲି ଭିକ୍ଷା ମାଗିଥିଲେ। ସାଧାରଣ ଜନତା ତାଙ୍କୁ ଚିହ୍ନି ପାରିନଥିଲେ। ଭିକ୍ଷାରୁ ମିଳିଥିବା ଟଙ୍କାରେ ସେ ଖାଦ୍ୟ ଖାଇଥିଲେ ଏବଂ ଭିକ୍ଷୁକଙ୍କ ଜୀବନଶୈଳୀକୁ ନିକଟରୁ ଅନୁଭବ କରିଥିଲେ।

ପରବର୍ତ୍ତୀ ସମୟରେ ସେ ମେକଅପ୍ ହଟାଇ ନିଜର ପ୍ରକୃତ ରୂପକୁ ଫେରିବା ସହ ନିଜ ଗୁରୁ ଏବଂ ସୋସିଆଲ ମିଡିଆରେ ଏହି ପ୍ରେରଣାଦାୟୀ ଅନୁଭବ ସେୟାର କରିଥିଲେ। ଏପରିକି ସେ ପୁଣି ଥରେ ସେହି ସ୍ଥାନକୁ ଫେରିଥିଲେ ଏବଂ ଲୋକମାନଙ୍କ ସହ କଥା ହୋଇଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଧାୟକଙ୍କ ଏହି ପ୍ରୟାସକୁ ଲୋକେ ଖୁବ ପ୍ରଶଂସା କରିଛନ୍ତି।