ଡାର୍ୱିନ୍‌: ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ହାସଲକାରୀଙ୍କ ତାଲିକାରେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ଭାରତର ମହାନ କ୍ରିକେଟର କପିଳ ଦେବଙ୍କୁ ପଛରେ ପକାଇଛନ୍ତି । ଡାର୍ୱିନରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ବ୍ୟାକଫୁଟରେ ଥିବା ଅଷ୍ଟ୍ରେଲିଆ ପାଇଁ ଏକ ବିରଳ ସକାରାତ୍ମକ ମୁହୂର୍ତ୍ତ ଥିଲା ।

ଗୁରୁବାର ବାଂଲାଦେଶର ଓପନର୍ ଶାଦମାନ ଇସଲାମଙ୍କୁ ଆଉଟ୍ କରି ଷ୍ଟାର୍କ, କପିଳଙ୍କ ୪୩୪ ଟେଷ୍ଟ ୱିକେଟ୍ ସମକକ୍ଷ ହୋଇଥିଲେ । ଦ୍ୱିତୀୟ ଦିନରେ ସେ ୱିକେଟକିପର-ବ୍ୟାଟର ଲିଟନ୍ ଦାସଙ୍କୁ ଶୂନ୍ୟ ରନରେ ଆଉଟ୍ କରିଥିଲେ । ଏହାସହ ତାଙ୍କ ୱିକେଟ୍ ସଂଖ୍ୟା ୪୩୫ରେ ପହଞ୍ଚିଥିଲା ଏବଂ ସେ ଟେଷ୍ଟ କ୍ରିକେଟର ସର୍ବାଧିକ ୱିକେଟ୍ ହାସଲକାରୀଙ୍କ ମଧ୍ୟରେ ଏକାଦଶ ସ୍ଥାନକୁ ଆସିଥିଲେ ।

Also Read: ମ୍ୟାଚ୍ ବେଳେ ଦୁଇ କ୍ରିକେଟରଙ୍କ ଝଗଡ଼ା ହେଲା କାଳ; ଚାଲିଗଲା ଶ୍ରୀଲଙ୍କା କୋଚ୍‌ଙ୍କ ଜୀବନ

ଏହି ସଫଳତା ସହ ଟେଷ୍ଟ ଇତିହାସରେ ଗ୍ଲେନ୍ ମ୍ୟାକଗ୍ରା (୫୬୩ ୱିକେଟ୍)ଙ୍କ ପଛକୁ ଅଷ୍ଟ୍ରେଲିଆର ଦ୍ୱିତୀୟ ସଫଳତମ ଦ୍ରୁତ ବୋଲର ଭାବେ ଷ୍ଟାର୍କ ନିଜ ସ୍ଥାନ ସୁଦୃଢ଼ କରିଛନ୍ତି । ଷ୍ଟାର୍କ ଏବେ ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ନିକଟତର ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ମହାନ ବୋଲର ଡେଲ୍ ଷ୍ଟେନ୍ ୪୩୯ ୱିକେଟ୍ ନେଇ ୧୦ମ ସ୍ଥାନରେ ଅଛନ୍ତି, ଯାହାଙ୍କ ଠାରୁ ଷ୍ଟାର୍କ ମାତ୍ର ୫ଟି ୱିକେଟ୍ ପଛରେ ଅଛନ୍ତି । ଡାର୍ୱିନରେ ପ୍ରଥମ ଦିନରେ ଷ୍ଟାର୍କ ଟେଷ୍ଟ କ୍ରିକେଟରେ ସର୍ବାଧିକ ସଫଳ ବାମହାତୀ ବୋଲର ହୋଇ ଇତିହାସ ରଚିସାରିଥିଲେ ।