ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲରେ ଇଥାନଲ୍ ମିଶ୍ରଣକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ଆଶଙ୍କା ରହିଛି । ବିଶେଷ କରି E20 ପେଟ୍ରୋଲ୍ ବ୍ୟବହାର ଦ୍ଵାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଏବଂ ମାଇଲେଜ୍ କମିଯାଉଥିବା ନେଇ ସୋସିଆଲ ମିଡିଆରେ ଅନେକ ବିତର୍କ ଚାଲିଛି । ଏହି ସବୁ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏକ ଗୁରୁତ୍ଵପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି ।

ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତକାରରେ ଗଡ଼କରୀ କହିଛନ୍ତି, ସୋସିଆଲ ମିଡିଆରେ E20 ପେଟ୍ରୋଲ୍କୁ ନେଇ ଯେଉଁସବୁ ଗୁଜବ ପ୍ରଚାର କରାଯାଉଛି, ତାହା ସମ୍ପୂର୍ଣ୍ଣ ଭୁଲ । ଦେଶରେ E20 ପେଟ୍ରୋଲ୍ ଲାଗୁ କରିବା ପୂର୍ବରୁ ପୁଣେ ସ୍ଥିତ 'ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ ଅଫ୍ ଇଣ୍ଡିଆ' ଏବଂ ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନିଗୁଡ଼ିକ ଦ୍ଵାରା ବ୍ୟାପକ ପରୀକ୍ଷଣ କରାଯାଇଥିଲା । ସମସ୍ତ ସରକାରୀ ମଞ୍ଜୁରୀ ମିଳିବା ପରେ ହିଁ ଏହାକୁ ବଜାରକୁ ଅଣାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଗଡ଼କରୀ ସ୍ଵୀକାର କରିଛନ୍ତି ଯେ, ପେଟ୍ରୋଲ ତୁଳନାରେ ଇଥାନଲର କ୍ୟାଲୋରିଫିକ୍ ଭାଲ୍ୟୁ (Calorific Value) ବା ଶକ୍ତି ଉତ୍ପାଦନ କ୍ଷମତା କମ୍ ଥାଏ । ତେଣୁ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ବଢ଼ିଲେ ଗାଡ଼ିର ମାଇଲେଜରେ ସାମାନ୍ୟ ହ୍ରାସ ଘଟିପାରେ, କିନ୍ତୁ ବଡ଼ ପାର୍ଥକ୍ୟ ଆସେ ନାହିଁ ।

ଏହାସହ ସେ କହିଛନ୍ତି ଯେ, ଗାଡ଼ିର ମାଇଲେଜ୍ କେବଳ ଇନ୍ଧନ ଉପରେ ନିର୍ଭର କରେନାହିଁ, ବରଂ ରାସ୍ତା ଏବଂ ଟ୍ରାଫିକ୍ ପରିସ୍ଥିତି ଉପରେ ମଧ୍ୟ ନିର୍ଭର କରେ । ଦିଲ୍ଲୀ କିମ୍ବା ମୁମ୍ବାଇ ଭଳି ବଡ଼ ସହରରେ ପ୍ରବଳ ଟ୍ରାଫିକ୍ ଯୋଗୁଁ ଗାଡ଼ିଗୁଡ଼ିକ ବାରମ୍ବାର ଲୋ-ଗିୟରରେ ଚାଲିଥାଏ, ଯାହା ମାଇଲେଜ୍ କମିବାର ଅନ୍ୟ ଏକ ବଡ଼ କାରଣ ।

ଇଞ୍ଜିନ ଖରାପ ହେବା ଦାବି ପୂରା ମିଛ

E20 ପେଟ୍ରୋଲ ବ୍ୟବହାର ଦ୍ୱାରା ଇଞ୍ଜିନ ନଷ୍ଟ ହେବା ନେଇ ଯେଉଁ ଦାବି କରାଯାଉଛି, ତାହାକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଗାଡ଼ି କମ୍ପାନିଗୁଡ଼ିକୁ ଏହିପରି ଅଭିଯୋଗର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାଞ୍ଚରେ ଗାଡ଼ି ଖରାପ ପଛରେ ଭେଜାଲ ଇନ୍ଧନ ଦାୟୀ ଥିବହା ଜଣାପଡ଼ିଥିଲା । ସେପଟେ ମନ୍ତ୍ରୀ କହିଛନ୍ତି, ପୁରୁଣା ଗାଡ଼ିଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସରକାର ଅଟୋମୋବାଇଲ୍ କମ୍ପାନୀଗୁଡ଼ିକୁ ଏକ ନିର୍ଦ୍ଦେଶ ଦେଇଛନ୍ତି । ଯେତେବେଳେ ପୁରୁଣା ଗାଡ଼ି ସର୍ଭିସିଂ ପାଇଁ ଆସିବ, ସେତେବେଳେ ସେଗୁଡ଼ିକରେ ଥିବା ପୁରୁଣା ମେଟାଲ୍ ୱାଶର୍ ବଦଳରେ ନୂଆ ରବର ୱାଶର୍ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଲଗାଯିବ । ରବର ୱାଶର୍ ଇଥାନଲ୍ ଯୁକ୍ତ ପେଟ୍ରୋଲ୍ ପାଇଁ ଅଧିକ ଉପଯୋଗୀ ।