MI vs CSK: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ। ଆଇପିଏଲ୍ ଇତିହାସର ସବୁଠୁ ସଫଳ ଟିମ୍ ମଧ୍ୟରେ ଏହି ମୁକାବିଲା ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ। ଏହି ଦୁଇ ଦଳର ପ୍ରଦର୍ଶନ ଚଲିତ ସଂସ୍କରଣରେ ଅଦ୍ୟାବଧି ଆଶାନୁରୂପ ରହି ନାହିଁ। ଉଭୟ ଟିମ୍ ଏବେ ଗୋଟିଏ ନୌକାର ଯାତ୍ରୀ। ତେବେ ଆଜିର ମ୍ୟାଚରେ ଏମଆଇ ପକ୍ଷରୁ ରୋହିତ ଶର୍ମା ଏବଂ ଚେନ୍ନାଇ ପକ୍ଷରୁ ଏମଏସ ଧୋନି ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଏମିତି କେବେ ବି ଘଟିନି ଯେଉଁଠି ମୁମ୍ବାଇ ଓ ଚେନ୍ନାଇ ମୁକାବିଲାରେ ଉଭୟ ଖେଳାଳି ଖେଳି ନାହାନ୍ତି। ପ୍ରଶଂସକ ଆଶା କରିବେ ଯେ, ଏଥିରୁ ଅତି କମରେ ଜଣେ ଖେଳାଳି ଆଜିର ମ୍ୟାଚ୍ ଖେଳନ୍ତୁ।

କଣ ଆଜି ରୋହିତ କିମ୍ବା ଧୋନି ଖେଳିବେ ?

ଏମଏସ ଧୋନି ଆଇପିଏଲ୍ ୨୦୨୬ରେ ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳି ନାହାନ୍ତି। ସେ ଲିଗ୍ ଆରମ୍ଭ ହେବା ପୂର୍ବରୁ ଆହତ ହୋଇଥିଲେ। ହେଲେ ଏବେ ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ତେଣୁ ଆଶା କରାଯାଉଛି ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ମଇଦାନକୁ ଓହ୍ଲାଇବେ। ଚେନ୍ନାଇ ପ୍ରଶଂସକଙ୍କ ପାଇଁ ଖୁସିର ଖବର ଯେ, ଧୋନି ମଙ୍ଗଳବାର ଖୁବ୍ ଅଭ୍ୟାସ କରିଛନ୍ତି। ତେଣୁ ଆଜିର ମ୍ୟାଚରେ ସେ ଇମ୍ପାକ୍ଟ ଖେଳାଳି ଭାବେ ବ୍ୟାଟିଂ କରିବାକୁ ଓହ୍ଲାଇ ପାରନ୍ତି।

Also Read: ମୈଦାନରେ ସିନା ସେ ବିସ୍ଫୋରକ ବ୍ୟାଟର, ହେଲେ ଛାଡିପାରୁନାହାଁନ୍ତି ତାଙ୍କର ଏହି ଅଭ୍ୟାସ...

ଅନ୍ୟପଟେ ରୋହିତ ଶର୍ମା ମଙ୍ଗଳବାର ଅଭ୍ୟାସ କରି ନାହାନ୍ତି। ସେ ହାର୍ମଷ୍ଟ୍ରିଙ୍ଗ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ବିନା ମୁମ୍ବାଇ ଇଣ୍ଡିଆନ୍ସ ଗତ ୨ଟି ମ୍ୟାଚ୍ ଖେଳିଛି। ଏଥିରୁ ଦଳ ଗୋଟିଏ ଜିତିଥିବା ବେଳେ ଗୋଟିଏ ହାରିଛି। ମୁମ୍ବାଇ ଦଳ ପକ୍ଷରୁ କୁହାଯାଇଛି ଯେ, ଏବେ ବି ରୋହିତଙ୍କ ଫିଟନେସର ଆକଳନ କରାଯାଉଛି। ସେ ଖେଳିବେ କି ନାହିଁ ଟସ୍ ପୂର୍ବରୁ ନିଷ୍ପତ୍ତି ନିଆଯିବ।

ଆୟୁଷ ମହାତ୍ରେଙ୍କ ସ୍ଥାନରେ କିଏ ?

ଆୟୁଷ ମହାତ୍ରେ ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହେବାକୁ ଥିବା ଖେଳାଳିଙ୍କ ତାଲିକାରେ ଉର୍ଭିଲ ପଟେଲଙ୍କ ନାଁ ସବୁଠୁ ଆଗରେ ରହିଛି। ଉର୍ଭିଲ ପଟେଲ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୫ରେ ୨୪୪ ଷ୍ଟ୍ରାଇକ ରେଟରେ ୧୯୫ ରନ କରିଥିଲେ। ଏଥିରେ ଗୋଟିଏ ଶତକ ସାମିଲ୍।

Also Read: ୧୭ ବାଉଣ୍ଡରୀ, ଶତକ ମାରି ବିରାଟଙ୍କ ସହ ବରାବର କଲେ ଅଭିଷେକ ଶର୍ମା

ମୁମ୍ବାଇ ଇଣ୍ଡିଆନ୍ସର ସମ୍ଭାବିତ ଏକାଦଶ

କ୍ଵିଣ୍ଟନ ଡିକକ(ଓ୍ଵିକେଟ୍ କିପର), ଦାନିଶ ମାଲେଓ୍ଵାର, ନମନ ଧୀର, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଶେରଫନ ରଦରଫୋର୍ଡ, କ୍ରିଷ ଭରତ, ମିଚେଲ୍ ସାଣ୍ଟନର, ଓ୍ଵିଲ ଜ୍ୟାକ୍ସ, ଯଶପ୍ରୀତ ବୁମରା, ଅଶ୍ଵନୀ କୁମାର।

ଚେନ୍ନାଇ ସୁପର କିଙ୍ଗ୍ସର ସମ୍ଭାବିତ ଏକାଦଶ

ସଞ୍ଜୁ ସାମସନ, ଋତୁରାଜ ଗାଏକ୍ଵାଡ଼(ଅଧିନାୟକ), ଉର୍ଭିଲ ପଟେଲ, ସରଫରାଜ ଖାନ, ଶିବମ ଦୁବେ, ଡେଓ୍ଵାର୍ଲ୍ଡ ବ୍ରେଭିସ, ଜେମି ଓଭରଟନ, ଏମଏସ ଧୋନି(ଓ୍ଵିକେଟ୍ କିପର), ଅଂଶୁଲ କମ୍ବୋଜ, ନୂର ଅହମ୍ମଦ, ସ୍ପେନସର ଜନସନ, ଗୁରଜପନୀତ ସିଂ