ନୂଆଦିଲ୍ଲୀ ୨୫। ୦୩; ମେଟାକୁ ବଡ଼ ଝଟକା । ୩୧ ଶହ କୋଟିର ଫାଇନ ଗଣିବ ମେଟା । ପିଲାଙ୍କ ପାଇଁ ଫେସବୁକ୍-ଇନଷ୍ଟାଗ୍ରାମ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ଜରିମାନା ଲଗାଇନ୍ତି କୋର୍ଟ । ଆମେରିକାର ନ୍ୟୁ ମେକ୍ସିକୋ କୋର୍ଟ ମେଟାକୁ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ଏବଂ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁ ଯୌନ ନିର୍ଯାତନା ଧମକକୁ ଲୁଚାଇବା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି । ପ୍ରାୟ ୭ ସପ୍ତାହର ବିଚାର ପରେ ଆସିଥିବା ଏହି ରାୟକୁ ଟେକ୍ କମ୍ପାନୀଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନର ବର୍ଦ୍ଧିତ ଧାରା ଭାବରେ ଦେଖାଯାଉଛି ।

ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ହ୍ୱାଟ୍ସଆପ୍ ପରିଚାଳନା କରୁଥିବା ମେଟା ସୁରକ୍ଷା ଅପେକ୍ଷା ଲାଭକୁ ପ୍ରାଥମିକତା ଦେଇଛି ଏବଂ ରାଜ୍ୟର ଅନଫେୟାର ପ୍ରାକ୍ଟିସ୍ ଆକ୍ଟର ଉଲ୍ଲଂଘନ କରିଛି ବୋଲି ଖଣ୍ଡପୀଠ କହିଛନ୍ତି । କମ୍ପାନୀ ପିଲାମାନଙ୍କ ଦୁର୍ବଳତାର ସୁଯୋଗ ନେଇ ପ୍ଲାଟଫର୍ମର ବିପଦ ବିଷୟରେ ଭ୍ରାମକ ଦାବି କରିଛି ବୋଲି ବିଚାରକ ମଣ୍ଡଳୀ କହିଛନ୍ତି।ପ୍ରତ୍ୟେକ ଉଲ୍ଲଂଘନକୁ ପୃଥକ ଭାବରେ ବିଚାର କରି କୋର୍ଟ ମୋଟ ୩୭୫ ନିୟୁତ ଡଲାର (୩୫,୨୦୦କୋଟି ଟଙ୍କା) ଜରିମାନା ଲଗାଇଛନ୍ତି । ଏହି ପରିମାଣ ପ୍ରସିକ୍ୟୁସନର ଅନୁରୋଧ ଅପେକ୍ଷା ଯଥେଷ୍ଟ କମ୍ ବୋଲି ବିଚାରକ ମଣ୍ଡଳୀ କହିଛନ୍ତି।

କୋର୍ଟ ସ୍ୱୀକାର କରିଛନ୍ତି ଯେ, ମେଟାର ପ୍ଲାଟଫର୍ମ ଯୋଗୁ ହଜାର ହଜାର ପିଲା ପ୍ରଭାବିତ ହୋଇଛନ୍ତି । ରାୟ ପରେ ମେଟାର ସେୟାର ପ୍ରାୟ ୫% ବୃଦ୍ଧି ପାଇଛି । ମେଟାର ସେବାଗୁଡ଼ିକୁ ସାର୍ବଜନୀନ କ୍ଷତି ବୋଲି ବିବେଚନା କରାଯିବ କି ନାହିଁ ଏବଂ କମ୍ପାନିକୁ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଦେୟ ଦେବାକୁ ପଡିବ କି ନାହିଁ ତାହା ବିଚାରପତିଙ୍କ ଉପରେ ନିର୍ଭର କରିବ। ମେଟା ଘୋଷଣା କରିଛି, ଆମେ ରାୟ ବିରୋଧରେ ଆବେଦନ କରିବୁ । କମ୍ପାନି କହିଛି, ଆମେ ସୁରକ୍ଷାକୁ ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ ।

ନ୍ୟୁ ମେକ୍ସିକୋର ଆଟର୍ଣ୍ଣି ଜେନେରାଲ କହିଛନ୍ତି, କମ୍ପାନିର ପ୍ଲାଟଫର୍ମଗୁଡ଼ିକ ପିଲାମାନଙ୍କୁ ଅଧିକ ସମୟ ପାଇଁ ନିୟୋଜିତ ରଖିବା ପାଇଁ ଆଲଗୋରିଦମ ଚଲାଇଥାଏ, ଯାହା ବିପଦକୁ ବୃଦ୍ଧି କରେ । ମେଟା ଏପରି ବୈଶିଷ୍ଟ୍ୟ ଡିଜାଇନ୍ କରିଛି ଯାହା ଯୁବପିଢ଼ିଙ୍କ ଉପରେ ନିଶା ସୃଷ୍ଟି କରୁଛି ଏବଂ ଏନେଇ ଜଡିତ ବିପଦକୁ ଲୁଚାଇ ରଖିଛି । ବର୍ତ୍ତମାନ, ମେଟାକୁ ଏହାର କାର୍ଯ୍ୟରେ ତୁରନ୍ତ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇନାହିଁ । ଏହା ଏବେ ଜଣେ ବିଚାରପତିଙ୍କ ଉପରେ ନିର୍ଭର କରିବ ଯେ ମେଟାର ପ୍ଲାଟଫର୍ମଗୁଡ଼ିକ ଜନସାଧାରଣଙ୍କ କ୍ଷତି କରିଛି କି ନାହିଁ ଏବଂ କମ୍ପାନୀକୁ ସମ୍ପୃକ୍ତ କ୍ଷତି ପାଇଁ କ୍ଷତିପୂରଣ ଦେବାକୁ ପଡିବ କି ନାହିଁ ।

Also read- Trump wants deal with iran: ଟ୍ରମ୍ପ ଚାହୁଁଛନ୍ତି ଡିଲ୍, ଇରାନ ମାନି ନପାରେ ନୂଆ ସର୍ତ୍ତ; ଇସ୍ରାଏଲ୍ ଦେଲା ବଡ଼ ସୂଚନା