ନୂଆଦିଲ୍ଲୀ: ଗୋଟିଏ ପଟେ ନିର୍ବାଚନ ଆୟୋଗରେ ମତଭେଦ ଏବଂ ମନମୁଖୀ କାର୍ଯ୍ୟ କରିବା ଅଭିଯୋଗ ନେଇ ବିବାଦରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର। ତାଙ୍କୁ ନେଇ ସମଗ୍ର ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ଜ୍ଞାନେଶ କୁମାରଙ୍କ ଝିଅ ତଥା ନୋଏଡା ଜିଲ୍ଲା ମାଜିଷ୍ଟ୍ରେଟ୍ ମେଧା ରୂପମ୍। ସୁପ୍ରିମକୋର୍ଟରେ ତାଙ୍କ ଆବେଦନର ସ୍ୱତନ୍ତ୍ର ଲିଷ୍ଟିଂ ଏବଂ ଶୁଣାଣି ସମୟରେ ଲାଇଭ୍ ଷ୍ଟ୍ରିମିଂର ଅଡିଓ ମ୍ୟୁଟ୍ କରାଯିବା ପ୍ରସଙ୍ଗକୁ ନେଇ ଓକିଲମାନଙ୍କ ଏକ ସଂଗଠନ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କୁ ଚିଠି ଲେଖି ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।

କ’ଣ ରହିଛି ସମ୍ପୂର୍ଣ୍ଣ ମାମଲା ?

ମାମଲାଟି ନୋଏଡ଼ାରେ ଶ୍ରମିକ ଆନ୍ଦୋଳନ ସହ ଜଡ଼ିତ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ତଥା ଆକ୍ଟିଭିଷ୍ଟ ଆକୃତି ଚୌଧୁରୀଙ୍କୁ ଜାତୀୟ ସୁରକ୍ଷା ଆଇନ (NSA) ଅଧୀନରେ ବନ୍ଧା ଯାଇଥିଲା। ଗତ ସେପ୍ଟେମ୍ବର ୨ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଏହି କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବା ସହ ଆକୃତିଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ଷତିପୂରଣ ରାଶି ଜିଲ୍ଲା ମାଜିଷ୍ଟ୍ରେଟ୍ ମେଧା ରୂପମ୍ ଏବଂ ଅନ୍ୟାନ୍ୟ ଦାୟୀ ଅଧିକାରୀଙ୍କ ଦରମାରୁ କାଟିବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ମେଧା ରୂପମ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ପ୍ରଥମେ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେଇଥିଲେ ହେଁ, ପରେ ଏହାକୁ ସଂଶୋଧନ କରି କେବଳ ମେଧା ରୂପମଙ୍କ ଆର୍ଥିକ ଦଣ୍ଡ ଓ କୋର୍ଟଙ୍କ କଡ଼ା ମନ୍ତବ୍ୟ ଉପରେ ରୋକ୍ ଲଗାଇଥିଲେ।

Also Read: ଜ୍ଞାନେଶ କୁମାରଙ୍କୁ ପଦ୍ମଭୂଷଣ ମିଳିବା ଉଚିତ୍, ଇସ୍ତଫା ଦାବି ମଝିରେ ବଡ଼ ଦାବି କଲେ ବିଜେପି ନେତା

ଓକିଲ ସଂଘର ସଙ୍ଗୀନ ଅଭିଯୋଗ

'ଲ'ୟର୍ସ ଆସୋସିଏସନ୍ ଫର୍ କନଷ୍ଟିଚ୍ୟୁସନ' (LAFC) ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛି ଯେ, ରୋଷ୍ଟର ନିୟମ ଅନୁଯାୟୀ ଏହି ମାମଲାଟି ଜଷ୍ଟିସ୍ ବି.ଭି. ନାଗରତ୍ନାଙ୍କ ବେଞ୍ଚରେ ଶୁଣାଣି ହେବା କଥା। ମାତ୍ର ଏହାକୁ ବାଇପାସ୍ କରି ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ୍ ଏନ୍. କୋଟୀଶ୍ୱର ସିଂହଙ୍କ ବେଞ୍ଚକୁ ସ୍ୱତନ୍ତ୍ର ଭାବେ ପଠାଗଲା କାହିଁକି ? ମେଧା ରୂପମ୍ ଜଣେ ଉଚ୍ଚପଦସ୍ଥ ଅଧିକାରୀ ତଥା ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଝିଅ ହୋଇଥିବାରୁ ତାଙ୍କୁ ଏଭଳି ସ୍ୱତନ୍ତ୍ର ଅଗ୍ରାଧିକାର ମିଳିବା ନ୍ୟାୟିକ ପ୍ରକ୍ରିୟା ପ୍ରତି ଜନସାଧାରଣଙ୍କ ଆସ୍ଥା ପ୍ରତି କ୍ଷତି ପହଞ୍ଚାଉଛି ବୋଲି ସଂଘ ଅଭିଯୋଗ କରିଛି।

ଶୁଣାଣି ବେଳେ ଅଡିଓ ମ୍ୟୁଟକୁ ନେଇ ହଙ୍ଗାମା

ସେପ୍ଟେମ୍ବର ୨୩ ଶୁଣାଣି ସମୟରେ ମେଧା ରୂପମଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଉପସ୍ଥିତ ଥିଲେ। ମାତ୍ର ଭର୍ଚୁଆଲ୍ ଶୁଣାଣି ଚାଲିଥିବା ସମୟରେ ମଝିରୁ ଅଡିଓ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା, ଯାହାକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି।

Also Read: ନୂଆ ଭୋଟରଙ୍କ Form-6 ରେ ବଦଳିଲା କ’ଣ, ଯାହାକୁ ନେଇ ଉପୁଜିଛି ଏତେବଡ଼ ବିବାଦ? ବୁଝନ୍ତୁ ପୁରା ପ୍ରକରଣ

ଏହି ସମ୍ପୂର୍ଣ୍ଣ ଘଟଣାବଳୀକୁ ନେଇ କକରୋଚ୍ ଜନତା ପାର୍ଟି (CJP) ର ପ୍ରବକ୍ତା ସୌରଭ ଦାସ ସୋସିଆଲ ମିଡିଆରେ ଜଷ୍ଟିସ୍ ଶର୍ମାଙ୍କ ଭୂମିକା ଓ ଅଡିଓ ମ୍ୟୁଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ବିବାଦ ଭିତରେ ତାଙ୍କ ଝିଅଙ୍କୁ ନେଇ ସୃଷ୍ଟି ହୋଇଥିବା ଏହି ନୂଆ ମାମଲା ଏବେ ଦେଶର ଆଇନ ଓ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।