ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଏକ ବଡ଼ ଅନ୍ତରୀଣ ଓ ରାଜନୈତିକ ସଂକଟ ଦେଇ ଗତି କରୁଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ ନିର୍ବାଚନ ଆୟୋଗର କାର୍ଯ୍ୟପଦ୍ଧତୀ ଉପରେ ଏବେ ସବୁଆଡୁ ପ୍ରଶ୍ନ ଉଠୁଛି। ଗୋଟିଏ ପଟେ ବିରୋଧୀ ଦଳ ‘ଭୋଟ ଚୋରି’ ଅଭିଯୋଗ କରୁଥିବା ବେଳେ ଅନ୍ୟ ପଟେ ଏକ ଇଂରାଜୀ ଦୈନିକର ଅନୁସନ୍ଧାନ ମୂଳକ ରିପୋର୍ଟ ଆୟୋଗରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱକୁ ପଦାକୁ ନେଇଆସିଛି। ଏଥିରେ ଏବେ ପ୍ରଶ୍ନ ଉଠିବା ସ୍ୱଭାବିକ ନିର୍ବାଚନ ଆୟୋଗ ଭିତରେ ଚାଲିଛି କ’ଣ, ଫର୍ମ-୬ କୁ ନେଇ ବିବାଦ କ’ଣ ଓ ଏହି ପୁରା ଘଟଣା ପାଇଁ ଦାୟି କିଏ? ଆସନ୍ତୁ ଜାଣିବା..

ବିବାଦର ମୂଳ କେଉଁଠି?
ମୂଳରୁ କହିବା କୁ ଗଲେ ଜୁନ ୨୦୨୫ରେ ନିର୍ବାଚନ ଆୟୋଗ ସାରା ଦେଶରେ ଭୋଟର ଲିଷ୍ଟ ସଂଶୋଧନ ଓ ଏହାକୁ ଅପଡେଟ୍ କରିବା ପାଇଁ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (ଏସଆଇଆର) ପ୍ରକ୍ରିୟା ଆରମ୍ଭ କରିଥିଲେ। ବେଶ୍ ବଡ଼ ଧରଣର ସୁଧାର ଅଭିଯାନ ପରେ ଯେତେବେଳେ ପ୍ରଥମ ଡ୍ରାଫ୍ଟ ଭୋଟର ଲିଷ୍ଟ ସାମ୍ନାକୁ ଆସିଲା ସେଥିରେ ସାରା ଦେଶରେ ୧୩ କୋଟିରୁ ଅଧିକ ଭୋଟରଙ୍କୁ ହଟା ଯାଇ ସାରିଥିଲା। ଏଥିରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଶାସକ ଦଳଙ୍କୁ ଲାଭ ଦେବା ପାଇଁ ଏହା ନିର୍ବାଚନ ଆୟୋଗଙ୍କ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହିଥିଲା।

ନିର୍ବାଚନ ଆୟୋଗ ଭିତରର ‘ଖେଳ’
ତେବେ ଏହି ବିବାଦକୁ ଆଞ୍ଚ ସେତେବେଳେ ମିଳିଲା ଯେତେବେଳେ ୨୩ ସେପ୍ଟେମ୍ବର ୨୦୨୬ରେ ଏକ ଦୈନିକ ଇଂରାଜୀ ସମ୍ବାଦପତ୍ର ରିପୋର୍ଟରେ ନିର୍ବାଚନ ଆୟୋଗ ଭିତରେ ସବୁ କିଛି ଠିକ୍ ନଥିବା ଦାବି କରିଥିଲା। ରିପୋର୍ଟ ଅନୁସାରେ ଦୁଇ ନିର୍ବାଚନ କମିଶନର (ଇସି) ସୁଖବିନ୍ଦର ସିଂହ ସନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସରେ ଏସଆଇଆର ପ୍ରକ୍ରିୟା ସମ୍ପର୍କିତ ନିଷ୍ପତ୍ତି ଓ ଆଦେଶ ଉପରେ ୧୪ଥର ଅଧିକାରୀକ ଆପତ୍ତି କରିସାରିଥିଲେ। ଦୁଇ ଇସିଙ୍କ କହିବା କଥା ଥିଲା ଯେ ଆୟୋଗର ଅନେକ ବଡ଼ ନିଷ୍ପତ୍ତି ସେମାନଙ୍କ ଲିଖିତ ପରାମର୍ଶ ଓ ସହମତି ବିନା ନିଆଯାଇଛି। ତେବେ ନିର୍ବାଚନ ଆୟୋଗ ଏହାକୁ ଖାରଜ କରିଦେଇଥିଲେ ଓ କହିଥିଲେ ବହୁ ସଦସୀୟ ସଂସ୍ଥାରେ ଏପରି ହୁଏ।

ଫର୍ମ-୬କୁ ନେଇ ଥିଲା ପ୍ରଥମ ଅଭିଯୋଗ
ଏ କଥାକୁ ଏପରି ବୁଝା ଯାଇ ପାରେ ଯେ ୧୮ ବର୍ଷରୁ ଅଧିକ ବୟଷ୍କ ଯେ କୌଣସି ଭାରତୀୟ ନାଗରିକ ଭୋଟର ଲିଷ୍ଟରେ ନାମ ଯୋଡିବା ପାଇଁ ଫର୍ମ-୬ ପୂରଣ କରନ୍ତି। ହେଲେ ଏହି ଫର୍ମ-୬କୁ ନେଇ ପ୍ରଶ୍ନ ଉଠିଥିଲା। ଏଥିରେ ଅଚାନକ ଏକ ନୂଆ ପ୍ରଶ୍ନ ଯୋଡି ଦିଆଯାଇଥିଲା ଓ ଏହାକୁ ପୂରଣ କରିବା ଅନିବାର୍ଯ୍ୟ ଥିଲା। ଏହି ପ୍ରଶ୍ନଟି ହେଉଛି ନୂଆ ଭୋଟରଙ୍କ ମାତାପିତା ଅଥବା ଜେଜେ ଓ ଜେଜେମା ଏହା ପୂର୍ବରୁ ହୋଇଥିବା ଏସଆଇରର ଭୋଟର ଲିଷ୍ଟରେ ଥିଲେ କି? କୁହାଯାଉଛି ନିର୍ବାଚନ କମିଶନର ବିବେକ ଯୋଶୀ ଓ ସୁଖବିନ୍ଦର ସନ୍ଧୁ ଗତ ମେ ମାସରେ ଏହାକୁ ନେଇ ଆପତ୍ତି କରିଥିଲେ। କହିଥିଲେ ସରକାର ନିୟମ ନ ବଦଳାଇଲେ ଏହି ଫର୍ମ ବଦଳି ପାରିବନି। ହେଲେ ଅଗଷ୍ଟ ପର୍ଯ୍ୟନ୍ତ ଏ ବାବଦେ କୌଣସି ନିଷ୍ପତ୍ତି ହୋଇପାରି ନଥିଲା।

ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ସୀମିତ ପହଞ୍ଚ
ଦ୍ୱିତୀୟ ବଡ଼ ଅଭିଯୋଗ ହେଉଛି ସ୍ଥାନୀୟ ସ୍ତରର ନିର୍ବାଚନ ଅଧିକାରୀଙ୍କ ମାମଲା ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲା। ଏ କଥାକୁ ଏପରି ବୁଝା ଯାଇ ପାରେ ଯେ ସ୍ଥାନୀୟ ସ୍ତରରେ ଭୋଟର ଲିଷ୍ଟ ପ୍ରସ୍ତୁତ କରିବାର ଦାୟିତ୍ୱ ଇଲୋକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ଇଆରଓ) ଅର୍ଥାତ ଏସଡିଏମ ସ୍ତରର ଅଧିକାରୀ ହୋଇଥାନ୍ତି। ଅଗଷ୍ଟ ମାସରେ ଇସି ସୁଖବୀର ସନ୍ଧୁ ଅଭିଯୋଗ କରିଥିଲେ ଯେ ରାଜ୍ୟସ୍ତରରେ ଅଧିକାରୀଙ୍କୁ ନୂଆ ସଫ୍ଟୱେର ECInet ଆକ୍ସେସ୍ ଦିଆଯାଇ ନାହିଁ। ଏହା ଦେବା ପାଇଁ ଅଧିକୃତ ଅଧିକାରୀ ଆଇଟି ଡାଇରେକ୍ଟର ଜେନେରାଲ ସୀମା ଖନ୍ନାଙ୍କୁ ଏଥିପାଇଁ ଅଧିକାର ହିଁ ନଥିଲା।

ଅସୁବିଧା ଯୋଗୁ ଗୋଆରେ ବାଦ ପଡିଥିଲେ ଭୋଟର
ଏହା ଛଡା ଗୋଆକୁ ନେଇ ମଧ୍ୟ ବଡ଼ ଅଭିଯୋଗ ହୋଇଛି। ଫେବୃଆରୀରେ ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ୱେ ଗୋଆରେ ଯେଉଁ ୯୭ ଜଣ ଭୋଟରଙ୍କ କାଗଜପତ୍ର ଠିକ୍ ଥିଲା ଓ ସେମାନଙ୍କୁ ଭୋଟର ଲିଷ୍ଟରେ ଯୋଡିବାର ଥିଲା ସେମାନଙ୍କୁ ଯୋଡିବା ପାଇଁ ECInetରେ କୌଣସି ବୈଷୟିକ ବିକଳ୍ପ ନଥିଲା। ଗୋଆ ନିର୍ବାଚନ କାର୍ଯ୍ୟାଳୟ ସିନିୟର ଡେପୁଟି କମିଶନର ଓ ଆଇଟି ମୁଖ୍ୟଙ୍କୁ ୮ ଥର ପତ୍ର ଲେଖିଥିଲେ। ହେଲେ ଫାଇନାଲ ଭୋଟର ଲିଷ୍ଟ ଆସିବା ପର୍ଯ୍ୟନ୍ତ କୌଣସି ଜବାବ ମିଳିନଥିଲା। ଏଣୁ ୯୭ ଜଣ ଭୋଟର ଭୋଟ ଦେବାରୁ ବଞ୍ଚିତ ହୋଇଥିଲେ।

ପଶ୍ଚିମବଙ୍ଗ ଏସଆଇଆର ଖୋଲିଦେଲା ପୋଲ
ପଶ୍ଚିମବଙ୍ଗ ଏସଆଇଆର କାଳରେ ୬୦ଲକ୍ଷ ଭୋଟରଙ୍କ ଡାଟାରେ ‘ଲଜିକାଲ ତ୍ରୁଟି’ ମିଳିଥିଲା। ସୁପ୍ରିମକୋର୍ଟ ଏଥି ପାଇଁ ବିଚାର ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ। ପରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ହାଇକୋର୍ଟଙ୍କ ରିଟାୟାର୍ଡ ଜଜ୍ ଙ୍କ ଟ୍ରିବ୍ୟୁନାଲରେ ଏପରି ୩୮ ଲକ୍ଷ ଅପିଲ ପେଣ୍ଡିଂ ରହିଛି। ଏଥିରୁ ୧୬.୧୦ ଲକ୍ଷ ଅପିଲ ସେହି ଲୋକଙ୍କ ବିରୋଧରେ ଥିଲା ଯେଉଁମାନଙ୍କୁ ବିଚାରବିଭାଗୀୟ ଅଧିକାରୀ ପୂର୍ବରୁ ବୈଧ ସ୍ୱୀକାର କରି ଲିଷ୍ଟରେ ଯୋଡିଥିଲେ। ଏବେ ପ୍ରଶ୍ନ ଉଠୁଛି ଯେଉଁମାନଙ୍କୁ ବୈଧ ବୋଲି କୁହାଯାଇଥିଲା ଆୟୋଗ ସେମାନଙ୍କ ସୂଚୀ କାଟିବାକୁ ଅପିଲ କାହିଁକି କରୁଥିଲା?

ଯଦି ଏପରି ଆରୋପ ହେଉଛି ଏହାର ମୁଖ୍ୟ କାର୍ପଟଦାର କିଏ ଆସନ୍ତୁ ଜାଣିବା...

ସିଇସି ଜ୍ଞାନେଶ କୁମାର
ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳ ଗୁରୁତର ଅଭିଯୋଗ ଆଣୁଛନ୍ତି। କଥା ଏବେ ଏପରି ହୋଇଛି ଯେ ବିରୋଧୀ ଦଳ ଏବେ ଏକା ସ୍ୱରରେ ସିଇସିଙ୍କ ଇସ୍ତଫା ଦାବି କରୁଛନ୍ତି ଓ ତାଙ୍କୁ ଦେଶଦ୍ରୋହୀ ବୋଲି କହୁଛନ୍ତି। ମୋଟ ଉପରେ ବିରୋଧୀ ଦଳ ସିଇସିଙ୍କ ବିରୋଧରେ ମନଇଛା ନିଷ୍ପତ୍ତି ନେବା ଶାସକଙ୍କ ଇଶାରାରେ କାମ କରିବାର ଆରୋପ ଲଗାଉଛନ୍ତି। ଅନ୍ୟପଟେ ଦେଖିବାର କଥା ହେଉଛି ଯେ ସିଇସିଙ୍କ କାର୍ଯ୍ୟକାଳ ୨୬ ଜାନୁୟାରୀ ୨୦୨୯ ପର୍ଯ୍ୟନ୍ତ ରହିଛି।

ଇସି ସୁଖବୀନ୍ଦର ସିଂହ ସନ୍ଧୁ
୧୯୮୮ ବ୍ୟାଚ୍ ର ଉତ୍ତରାଖଣ୍ଡ କ୍ୟାଡର ପୂର୍ବ ଆଇଏଏସ ତଥା ଏମବିବିଏସ ଡକ୍ଟର ସୁଖବୀନ୍ଦର ସିଂହ ସନ୍ଧୁ ଆୟୋଗରେ ହୋଇଥିବା ୧୪ ଆପତ୍ତି ମଧ୍ୟରୁ ସବୁଠୁ ଅଧିକ ଆପତ୍ତିକର୍ତ୍ତା ଥିଲେ। ସେ ଅତୀତରେ ଏନଏଚଏଆଇର ଅଧ୍ୟକ୍ଷ ଓ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ମଧ୍ୟ ଥିଲେ।

ଇସି ବିବେକ ଯୋଶୀ
୧୯୮୯ ବ୍ୟାଚ୍ ର ହରିୟାଣା କ୍ୟାଡର ପୂର୍ବ ଆଇଏଏସ ଅଫିସର ତଥା ଆଇଆଇଟି ରୁରକିରୁ ଇଞ୍ଜିନିୟର ଉତୀର୍ଣ୍ଣ ଯୋଶୀ ଅର୍ଥମନ୍ତ୍ରାଳୟ ଓ ହରିୟାଣାର ମୁଖ୍ୟ ଶାସନ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ। ଏହି ପୁରା ପ୍ରକରଣରେ ଯୋଶୀ ନିର୍ବାଚନ ଆୟୋଗଙ୍କ ଅନେକ ନିଷ୍ପତ୍ତି ଉପରେ ତାଙ୍କର ଅସହମତି ପ୍ରକାଶ କରିଥିଲେ। ଏଣୁ ସେ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି।

ଆଇଟି ଡାଇରେକ୍ଟର ଜେନେରାଲ ସୀମା ଖନ୍ନା
ସୀମା ଖନ୍ନା ୨୦୨୫ରେ ଡେପୁଟେସନରେ ନିର୍ବାଚନ ଆୟୋଗରେ ଆଇଟି ମହାନିର୍ଦ୍ଦେଶକ ଅବସ୍ଥାପିତ ହୋଇଥିଲେ। ସେ ECInet ଡିଜାଇନ ଓ ଲଞ୍ଚ କରିଥିଲେ। ବିରୋଧୀ ଓ ସମାଲୋଚକଙ୍କ ଅଭିଯୋଗ ଯେ ଏହି ସଫ୍ଟୱେର ରେ ହିଁ ଭୋଟରଙ୍କ ନାମ କାଟିବାର ପୁରା ଖେଳ ଖେଳା ଯାଇଛି।

କ୍ୟାବିନେଟ୍ ସଚିବ ଟି.ଭି.ସୋମନାଥନ
ଦେଶର ସବୁଠୁ ଶକ୍ତିଶାଳୀ ପ୍ରଶାସନିକ ପଦ ମଧ୍ୟରୁ ଗୋଟିଏ କ୍ୟାବିନେଟ୍ ସଚିବ ପଦରେ ଅବସ୍ଥାପିତ ଟି.ଭି.ସୋମନାଥନ ୧୯୮୭ ବ୍ୟାଚ୍ ର ଆଇଏଏସ୍ ଅଫିସର। ଇସି ମାନେ ସେମାନଙ୍କ ଅନ୍ତରୀଣ ଆପତ୍ତି ଓ ପତ୍ରାଚାରରେ ତାଙ୍କୁ ମଧ୍ୟ ସଂଜ୍ଞାନରେ ନେଉଥିଲେ। ଏଣୁ ପୁରା ମାମଲାରେ କ୍ୟାବିନେଟ୍ ସେକ୍ରେଟାରୀ ଏବେ ଚର୍ଚ୍ଚାରେ ଅଛନ୍ତି।

ଏବେ ବୁଝନ୍ତୁ ଫର୍ମ-୬ର ବିବାଦ କ’ଣ?
ଭାରତରେ ନୂଆ ଭୋଟର ହେବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଧାରିତ ମୁଖ୍ୟ ଆବେଦନପତ୍ର ଫର୍ମ-୬ରେ ଆବେଦନ କରାଯାଏ। ଏଥିରେ ଆବେଦନକାରୀଙ୍କୁ ନିଜର ନାମ, ବୟସ, ଠିକଣା, ଜନ୍ମ ତାରିଖ, ପରିବାର ସଦସ୍ୟଙ୍କ ବିବରଣୀ ସହିତ ପରିଚୟ ପତ୍ର ଯେପରି ଆଧାର ଓ ପାନ ଆଦି ସୂଚନା ଦେବାକୁ ପଡେ। ଏହାକୁ ନାଗରିକ ଅନଲାଇନରେ ECInetରେ ଅଥବା ନିଜ କ୍ଷେତ୍ରର ବୁଥ ଲେବୁଲ ଅଫିସର (ବିଏଲଓ)ଙ୍କ ଦ୍ୱାରା ଅଫଲାଇନରେ ଦାଖଲ କରିପାରିବେ। ତେବେ ଏଥର ଫର୍ମ ୬ରେ ଏହା ଅନିବାର୍ଯ୍ୟ କରିଦିଆଯାଇଛି ଯେ ଆବେଦକଙ୍କୁ ସେମାନଙ୍କ ମାତାପିତା ଓ ପୂର୍ବଜଙ୍କ ନାମ ପିଛିଲା ଏସଆଇଆର ଭୋଟର ଲିଷ୍ଟରେ ଖୋଜିବାକୁ ପଡିବ ଓ ତାର ବିବରଣୀ ଦେବାକୁ ହେବ।

ତେବେ ବିଶେଷଜ୍ଞ ଓ ବିରୋଧୀ ଦଳଙ୍କ କହିବା କଥା ହେଉଛି ଏହି ବୈଷୟିକ ଜଟିଳତା ଓ କାଗଜପତ୍ର ଅଭାବ କାରଣରୁ ନୂଆ ନିୟମରେ ଲକ୍ଷଲକ୍ଷ ଗରିବ ଓ ସାଧାରଣ ଲୋକେ ଭୋଟର ହେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଏବେ ବିବାଦର ସୂତ୍ରପାତ ହୋଇଛି।

ଇସ୍ତଫା ଦେବେ ଜ୍ଞାନେଶ କୁମାର?ବର୍ତ୍ତମାନର ଆଇନ ଅନୁସାରେ ସିଇସି ଓ ଇସି ଙ୍କୁ ସେମାନଙ୍କ ଅଫିସିଆଲ ଡ୍ୟୁଟି କାଳରେ କରିଥିବା କାର୍ଯ୍ୟ ଲାଗି କ୍ରିମିନାଲ ମାମଲାରେ ସୁରକ୍ଷା ଦିଆଯାଇଛି। ଏଣୁ ସିଇସିଙ୍କୁ ହଟାଇବା ପାଇଁ ସଂସଦରେ କେବଳ ମହାଭିଯୋଗ ଅଣାଯାଇ ପାରିବ। ତେବେ ଏହା ଏକ ଦୀର୍ଘ ଓ ଜଟିଳ ପ୍ରକ୍ରିୟା। ଏହା ଛଡା ସୁପ୍ରିମକୋର୍ଟରେ ଏହି ପୁରା ପ୍ରକ୍ରିୟାକୁ ନେଇ ଆବେଦନ ରୁଜୁ ହୋଇଛି। ଏଥିରେ ଏବେ ଦେଖିବାର ଅଛି ନିର୍ବାଚନ ଆୟୋଗ ଏହି ଗୁରୁତର ବୈଷୟିକ ଓ ରାଜନୈତିକ ପ୍ରଶ୍ନ ମଧ୍ୟରେ ନିଜ ସମ୍ମାନ କିପରି ରକ୍ଷା କରୁଛନ୍ତି। କାରଣ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରରେ ‘ଭୋଟ ଅଧିକାର’ ଉପରେ ଉଠୁଥିବା ଏହି ପ୍ରଶ୍ନ ସିଧାସଳଖ ଗଣତାନ୍ତ୍ରିକ ବ୍ୟବସ୍ଥାର ନିଅଁ ସହ ସମ୍ପର୍କିତ।