ମସ୍କଟ: ଉପସାଗରୀୟ କ୍ଷେତ୍ରରେ ବଢୁଥିବା ଉତ୍ତେଜନା ମଧ୍ୟରେ ମସ୍କଟ ସ୍ଥିତ ଭାରତୀୟ ଦୂତାବାସ ରବିବାର ସୂଚିତ କରିଛି ଯେ ଓମାନ ଉପକୂଳରେ ୧୪ ଭାରତୀୟ ଚାଳକ ସଦଳ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ପାରମ୍ପରିକ ନୌକା ବୁଡି ଯାଇଛି। ଭାରତୀୟ ମିସନ ଦୁର୍ଘଟଣାର ପ୍ରକୃତି ସମ୍ପର୍କରେ କୌଣସି ସୂଚନା ଦେଇ ନାହିଁ। ତେବେ ଦୂତାବାସ ଏକ୍ସ ରେ କରିଥିବା ଏକ ପୋଷ୍ଟରେ ଓମାନ ଅଧିକାରୀ ଓ ଘଟଣା ଆଖପାଖରେ ଥିବା ଜାହାଜଙ୍କ ସହିତ ମିଶି ଉଦ୍ଧାର ଅଭିଯାନରେ ସମନ୍ୱୟ କରୁଥିବା ସୂଚିତ କରିଛନ୍ତି।

ମିସନ ସୂତ୍ର ଅନୁସାରେ ଓମାନ ଉପକୂଳରେ ଭାରତୀୟ ପତାକା ଥିବା ଏକ ମେକାନାଇଜଡ୍ ସେଲିଂ ଜାହାଜ ‘ବିରାଟ-୧’ ସମ୍ପର୍କିତ ଏକ ଘଟଣା ସମ୍ପର୍କରେ ସୂଚନା ମିଳିଛି। କୁହାଯାଉଛି ଏଥିରେ ୧୪ ଜଣ ଭାରତୀୟ ନାବିକ ଥିଲେ। ଗତ ସପ୍ତାହରେ ଓମାନ ଉପକୂଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଞ୍ଚଳରେ ଭାରତୀୟ ଚାଳକଦଳ ସଦସ୍ୟ ଥିବା ୩ ଜାହାଜଙ୍କ ଉପରେ ଆମେରିକୀୟ ଆକ୍ରମଣ ହୋଇଥିଲା। ଏଥିରୁ ଗୋଟିଏ ଆକ୍ରମଣରେ ୩ ଜଣ ନାବିକଙ୍କ ମୃତ୍ୟୁ ହୋଇଥିଲା।

ସୂତ୍ର ଅନୁସାରେ ଓମାନ ଉପକୂଳରେ ଏକ ବଡ଼ ଧରଣର ଉଦ୍ଧାର ଅଭିଯାନ ଚଳା ଯାଇଛି। ଏହି ଅଭିଯାନ ସେତେବେଳେ ଆରମ୍ଭ ହେଲା ଯେତେବେଳେ ୧୪ ଭାରତୀୟ ନାବିକଙ୍କୁ ନେଇ ଯାଉଥିବା ଏକ ମେକାନାଇଜଡ ସେଲିଂ ଜାହାଜ ବୁଡିବାକୁ ଲାଗିଲା। ଏହି ସଂକଟପୂର୍ଣ୍ଣ ପରିସ୍ଥିତି ୧୪ ଜୁନ ପୂର୍ବାହ୍ନରେ ଓମାନର ରାସ ଅଲ ହଦ୍ଦ ରୁ ପାଖାପାଖି ୮୦ ନଟିକାଲ ମାଇଲ ଦୂରରେ ହୋଇଛି। ସୂତ୍ର ଅନୁସାରେ ଜାହାଜ ବିପଦରେ ଥିବା ଜଣାପଡିବାମାତ୍ରେ ଆମେରିକା ନୌସେନା ଜରୁରିକାଳୀନ କାର୍ଯ୍ୟାନୁଷ୍ଠାନ ଲାଗି ଉପକୂଳ ଅଧିକାରୀଙ୍କୁ ସତର୍କ କରିଥିଲା।

ଉଦ୍ଧାର ଅଭିଯାନରେ ଆମେରିକା ନୌସେନାର ପି-ଏଇଟ୍ ମେରିଟାଇମ ପାଟ୍ରୋଲ ଏୟାରକ୍ରାଫ୍ଟ ଜାହାଜ ନିକଟରେ ଏକ ଲାଇଫ ରାଫ୍ଟ ପକାଇଥିଲା ଓ ଏଥିରେ ବସିଥିବା ଲୋକଙ୍କ ସୁରକ୍ଷିତ ଉଦ୍ଧାର ନିମନ୍ତେ ପ୍ରକ୍ରିୟା ଉପରେ ନଜର ରଖିଥିଲା। ଏଥ୍ ପାଇଁ ୟୁଏସ୍ ନେଭି ପାଖରେ ଥିବା ମର୍ଚାଣ୍ଟ ନେଭି ଜାହାଜ ଜବଲ ଅଲି-୯ ସହିତ ମଧ୍ୟ ତାଳମେଳ ରକ୍ଷା କରାଯାଇଥିଲା। ଏଣୁ ଜାହାଜ ବୁଡିବା ପୂର୍ବରୁ ସେଥିରେ ଥିବା ସମସ୍ତ ଯାତ୍ରୀ ଓ ଚାଳକ ଦଳ ଲାଇଫ ରାଫ୍ଟକୁ ଚାଲି ଆସିଥିଲେ। ତେବେ ଜାହାଜ କାହିଁକି ବୁଡିଲା ସେ ନେଇ ସଠିକ ସୂଚନା ମିଳି ପାରିନାହିଁ।