ରିୟାଦ: ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଶୁକ୍ରବାର ପାକିସ୍ତାନ, ସାଉଦୀ ଆରବ ଓ ତୁର୍କିଏ ମଧ୍ୟରେ ‘ମକ୍କା ଜଏଣ୍ଟ ଡିଫେନ୍ସ ଏଗ୍ରିମେଣ୍ଟ’ ନାମରେ ଏକ ବଡ଼ ପ୍ରତିରକ୍ଷା ବୁଝାମଣା ସ୍ୱାକ୍ଷରିତ ହୋଇଛି। ସୁରକ୍ଷାକୁ ନେଇ ବଢୁଥିବା ଚିନ୍ତା ସମୟରେ ଏହି ବୁଝାମଣା ୩ ଦେଶଙ୍କ ମଧ୍ୟରେ ସହଯୋଗକୁ ଆହୁରି ମଜଭୁତ କରିବ। ଏହି ବୁଝାମଣା ଅନୁସାରେ କୌଣସି ଦେଶ ଉପରେ ହେଉଥିବା ଆକ୍ରମଣକୁ ସେମାନଙ୍କ ସମସ୍ତଙ୍କ ଉପରେ ଆକ୍ରମଣ ବୁଝାଯିବ। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ ଏହି ବୁଝାମଣାର ଉଦ୍ଦେଶ୍ୟ ଯେ କୌଣସି ପ୍ରକାରର ଆକ୍ରମକତା ବିରୋଧରେ ସାମୂହିକ ସୁରକ୍ଷାକୁ ମଜଭୁତ କରିବା।

ଏଥିରେ ଏହା ନିର୍ଦ୍ଧାରିତ କରାଯାଇଛି ଯେ ୩ ଦେଶଙ୍କ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣକୁ ସମସ୍ତଙ୍କ ଉପରେ ଆକ୍ରମଣ ବୁଝାଯିବ। ଏହା ସହ ୩ ଦେଶଙ୍କ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି ଉନ୍ନତ କରିବା ପାଇଁ ପ୍ରାବଧାନ ମଧ୍ୟ ରହିଛି। ଏହି ବୁଝାମଣା ସାଉଦୀ ଆରବରେ ସାଉଦୀ କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନ, ତୁର୍କିୟେ ରାଷ୍ଟ୍ରପତି ରେସପ ତୈୟପ ଏର୍ଦୋଗାନ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ମଧ୍ୟରେ ବୈଠକ କାଳରେ ସ୍ୱାକ୍ଷର କରାଯାଇଛି। ଏହି ବୁଝାମଣା ସହିତ ତୈଳ ସମ୍ପଦରେ ସମୃଦ୍ଧ ସାଉଦୀ ଆରବ ସହ ପରମାଣୁ ଶକ୍ତି ସମ୍ପନ୍ନ ପାକିସ୍ତାନ ଓ ତୁର୍କି ମଧ୍ୟ ଏକ ସାଙ୍ଗରେ ଆସିଛି।

ଏଥିରେ ତୁର୍କି ନିକଟରେ ନାଟୋର ସବୁଠୁ ବଡ଼ ସେନା ଓ ଦ୍ରୁତ ସମ୍ପ୍ରସାରିତ ହେଉଥିବା ପ୍ରତିରକ୍ଷା ଉଦ୍ୟୋଗ ରହିଛି। ଗତ କିଛି ମାସ ହେଲା ଇରାନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ସାଉଦୀ ଆରବ ଉପରେ ଅନେକ ବଡ଼ ଆକ୍ରମଣ ହୋଇଛି। ଏଣୁ ସାଉଦୀ ଆରବ ନିଜ ଡିଫେନ୍ସ ପାର୍ଟନରସିପ୍ କୁ ଅଲଗା ଅଲଗା ଦେଶଙ୍କ ସହ ବଢାଇବାକୁ ଉଦ୍ୟମ କରୁଥିଲା। ଇରାନ ଓ ଏହାର ଆଞ୍ଚଳିକ ସହଯୋଗୀ (ହୁତୀ ଓ ଇରାକୀ ମିଲିସିଆ) ସାଉଦୀ ଆରବର ଜରୁରି ଭିତ୍ତିଭୂମି ଓ ତୈଳ ପ୍ଲାଣ୍ଟ ଉପରେ ବାରମ୍ବାର ଡ୍ରୋନ ଓ ମିଜାଇଲ ଆକ୍ରମଣ କରିଛନ୍ତି।

ତୁର୍କିଏ ଟେଲିଭିଜନ ଅନୁସାରେ ଏହି ବୁଝାମଣା ଯୋଗୁ ମିଳିତ ସୈନ୍ୟ ଅଭ୍ୟାସ ଓ ଟ୍ରେନିଂ, ଟେକ୍ନୋଲଜି ଟ୍ରାନ୍ସଫର ଓ ଗୁଇନ୍ଦା ସୂଚନା ଆଦାନପ୍ରଦାନ ଲାଗି ଅନୁମତି ମିଳିପାରେ। ଏହି ବୁଝାମଣା ଏପରି ସମୟରେ ହୋଇଛି ଯେତେବେଳେ ଗାଜା ଓ ଅନ୍ୟ ଆଞ୍ଚଳିକ ଯୁଦ୍ଧକୁ ନେଇ ଉତ୍ତେଜନା ବଢିବଢି ଚାଲିଛି। ତେବେ ସବୁଠୁ ମଜାଦାର କଥା ଯାହା ତାହା ହେଉଛି ପାକିସ୍ତାନ ଓ ସାଉଦୀ ଆରବ ଗତ ସେପ୍ଟେମ୍ବର ମାସରେ ଏକ ରଣନୈତିକ ପ୍ରତିକ୍ଷା ବୁଝାମଣାରେ ସ୍ୱାକ୍ଷର କରିଥିଲେ। ଏଥିରେ ଦୁଇ ଦେଶ କହିଥିଲେ ଗୋଟିଏ ଦେଶ ଉପରେ ଆକ୍ରମଣକୁ ଦୁଇ ଦେଶଙ୍କ ଉପରେ ଆକ୍ରମଣ ବୁଝାଯିବ।