ଢାକା: ବାଂଲାଦେଶରେ ମିଳିମିଳା ଏବେ ଭୀଷଣ ରୂପ ଧାରଣ କରିଛି। ଦେଶରେ ମିଳିମିଳା ଯୋଗୁ ଏ ଯାଏଁ ୫୦୦ରୁ ଅଧିକ ପିଲାଙ୍କ ମୃତ୍ୟୁ ହେଲାଣି। ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଗତ ୨୪ ଘଣ୍ଟାରେ ଆଉ ୧୩ ପିଲାଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୫୧୨କୁ ପହଞ୍ଚିଛି। ଏବେ ଏହାକୁ ଅନେକ ଦଶନ୍ଧୀ ପରେ ସବୁଠୁ ଭୟାନକ ମିଳିମିଳା ସଂକ୍ରମଣ କୁହାଯାଉଛି। ଅଲ ଜଜିରା ରିପୋର୍ଟ ଅନୁସାରେ ସରକାର ମାର୍ଚ୍ଚ ୧୫ ତାରିଖରୁ ମୃତ୍ୟୁ ରେକର୍ଡ ରଖିବା ଆରମ୍ଭ କରିଛନ୍ତି ଓ ସେବେଠାରୁ ମାମଲା ସଂଖ୍ୟା ବଢିବାରେ ଲାଗିଛି।

ରାଜଧାନୀ ଢାକାର ବିଭିନ୍ନ ହସ୍ପିଟାଲରେ ବଢୁଥିବା ରୋଗୀଙ୍କ ସଂଖ୍ୟା ପରିସ୍ଥିତିକୁ ଆହୁରି ଜଟିଳ କରିଛି। କେତେକ ହସ୍ପିଟାଲ ମିଳିମିଳା ରୋଗୀଙ୍କ ପାଇଁ ଅଲଗା ୱାର୍ଡ ବ୍ୟବସ୍ଥା କରିଛନ୍ତି। ତେବେ ରୋଗୀଙ୍କ ଚିକିତ୍ସାରେ ଏବେ ଆଇସିୟୁ ବେଡର ଘୋର ଅଭାବ ଦେଖା ଦେଇଛି। ଅଧିକାରୀଙ୍କ ଅନୁସାରେ ଏବେକା ପ୍ରକୋପରେ ୬ ମାସରୁ ୫ ବର୍ଷ ବୟସର ପିଲା ଆକ୍ରାନ୍ତ ହେଉଛନ୍ତି। ଡାକ୍ତର କହିଛନ୍ତି ଯେ ହସ୍ପିଟାଲକୁ ଆସୁଥିବା ଅସୁସ୍ଥ ପ୍ରାୟ ଗୁରୁତର ଅବସ୍ଥାରେ ଆସୁଛନ୍ତି।

ଢାକା ଶହିଦ ସୁହରାବର୍ଦ୍ଦି ମେଡିକାଲ କଲେଜ ଓ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଏନୁଲ ଇସ୍ଲାମ ଖାନ କହିଛନ୍ତି ଯେ ମିଳିମିଳା ଅତ୍ୟନ୍ତ ସଂକ୍ରାମକ ରୋଗ, ତେବେ ସ୍ୱସ୍ଥ ଓ ଟିକାନେଇଥିବା ପିଲା ସାଧାରଣ ଔଷଧରେ ସୁସ୍ଥ ହୋଇ ପାରିବେ। ହେଲେ ହସ୍ପିଟାଲକୁ ଆସୁଥିବା ଅଧିକାଂଶ ପିଲା ନିଶ୍ୱାସ ନେବାରେ ଅସୁବିଧା, ଆଖି, ଗଳା ଓ ଫୁସଫୁସରେ ସଂକ୍ରମଣ ରହୁଥିବା ସେ କହିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ବାଂଲାଦେଶ ସରକାର ଦେଶରେ ବଡ଼ ଧରଣର ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି। ୟୁନିସେଫର ବାଂଲାଦେଶ ମୁଖ୍ୟ ରାନା ଫ୍ଲାୱର୍ସ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଦେଶରେ ପାଖାପାଖି ୧.୮କୋଟି ପିଲାଙ୍କ ଟିକାକରଣ ସରିଲାଣି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ କହିବା କଥା ହେଉଛି ଟିକାକରଣର ପ୍ରଭାବ ପଡିବାକୁ ଦୀର୍ଘମାସ ଲାଗି ଯାଇପାରେ।