ବାରିପଦା: ବଜ୍ରପାତ ଭଳି ମୟୂରଭଞ୍ଜ ଜିଲ୍ଲାରେ ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟା ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ରହିଛି । ଯାହା ପ୍ରଶାସନ ପାଇଁ ବିଶେଷ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପ୍ରକୃତି ସୁନ୍ଦରୀ ଚିରସବୁଜ ଶିମିଳିପାଳ ସମେତ ବଣପାହାଡ ଘେରା ମୟୂରଭଞ୍ଜ ଜିଲ୍ଲାରେ ଅନେକ ନଦନଦୀ, ଜଳପ୍ରପାତ, ଚେକ୍ ଡ୍ୟାମ, ପୋଖରୀ, ଗଡ଼ିଆ, ବନ୍ଧ ଆଦି ରହିଥିବାରୁ ବିଭିନ୍ନ ସ୍ଥାନରେ ପାଣିରେ ବୁଡି ମୃତ୍ୟୁ ଖବର ଜିଲ୍ଲାବାସୀଙ୍କୁ ବ୍ୟଥିତ କରେ । ବର୍ଷସାରା ବିଭିନ୍ନ ଜଳ ଭଣ୍ଡାର, ପର୍ଯ୍ୟଟନସ୍ଥଳୀ, ଜଳପ୍ରପାତ ଗୁଡିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଜଳସ୍ତର ସଂପର୍କରେ ସଂପୂର୍ଣ ଅନଭିଜ୍ଞ ଥାଇ ସୁଦ୍ଧା କୌତୁହଳ ବଶତଃ ଗାଧୋଇବାକୁ ଯାଇ ଗଭୀର ପାଣିରେ ବୁଡି ମୃତ୍ୟୁବରଣ କରୁଛନ୍ତି ।

ସେପଟେ ବର୍ଷାଦିନେ ରାସ୍ତା ପାରି ହେଉଥିବା ସମୟରେ ହେଉ ବା ମାଛଧରିବାକୁ ଯାଇ ହେଉ ବା ଶୌଚ ହେବାକୁଯାଇ ବିଭିନ୍ନ ପାହାଡିଆ ନଦୀର ସ୍ରୋତରେ ଅନେକ ଭାସିଯାଇ ମୃତ୍ୟୁମୁଖରେ ପଢୁଥିବା ବେଳେ ବିଭିନ୍ନ ମୂର୍ତି ଭସାଣୀ ଉତ୍ସବ ସମୟରେ ପାଣିସ୍ରୋତ ଅନେକଙ୍କ ଜୀବନ ନେଉଛି । ଯୁବକଙ୍କ ଠୁ ଆରମ୍ଭ କରି ଛାତ୍ରଛାତ୍ରୀ, ଛୋଟ ଶିଶୁ, ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା ସମସ୍ତେ ପାଣିରେ ବୁଡି ମୃତ୍ୟୁମୁଖରେ ପଡ଼ୁଥିବା ଜଣାପଡିଛି । ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୨୦୨୦ରୁ ଆଜି ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ କେବଳ ପାଣିରେ ବୁଡ଼ି ମୃତକଙ୍କ ସଂଖ୍ୟା ୧ ହଜାର ଛୁଇଁବାକୁ ଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୦ରେ ପାଣିରେ ବୁଡ଼ି ୧୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୧୪୨ ଜଣ, ୨୦୨୨ରେ ୧୫୮ ଜଣ, ୨୦୨୩ରେ ୧୪୪ ଜଣ, ୨୦୨୪ରେ ୧୪୮ ଜଣ, ୨୦୨୫ରେ ୧୬୬ ଜଣ ଏବଂ ୨୦୨୬ ସେପଟେମ୍ବର ୨୩ ପର୍ଯ୍ୟନ୍ତ ୪୮ ଜଣଙ୍କର ମୃତ୍ୟୁ ହୋଇଛି ।

ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଦେବକୁଣ୍ଡ, ସୀତାକୁଣ୍ଡ, ରାମତୀର୍ଥ, ଭୀମକୁଣ୍ଠ ଆଦି ସ୍ଥାନରେ ପ୍ରତିବର୍ଷ ବୁଲିବାକୁ ଯାଇ ପର୍ଯ୍ୟଟକ ପାଣିରେ ବୁଡ଼ି ଜୀବନ ହାରିବା ନଜିର ରହିଛି । ରାଜ୍ୟରେ ଗଞ୍ଜାମ, ବାଲେଶ୍ଵର, କେନ୍ଦୁଝର ଓ କଟକ ଜିଲ୍ଲାରେ ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟାର ଚିତ୍ର ସଂଗୀନ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟାର ଗ୍ରାଫ୍ ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଥିବା ଜଣାପଡିଛି । ଜିଲ୍ଲାରେ ପାଣିରେ ବୁଡ଼ି ମୃତ୍ୟୁ ସଂଖ୍ୟା ଅଧିକ ଥିବାରୁ ଅଧିକରୁ ଅଧିକ ସଚେତନତାର ଆବଶ୍ୟକତା ରହିଛି ।