ନୂଆଦିଲ୍ଲୀ: ଏଥର ହୋଇପାରିଲାନି, ଆରଥରକୁ କନିଆ ଖୋଜିଦେବୁ । ଏଭଳି ପ୍ରତିଶ୍ରୁତି ଦେଇ ଜଣେ ପ୍ରଫେସରଙ୍କୁ ଦୀର୍ଘ ୯ ବର୍ଷ ହେଲା ଠକି ଚାଲିଥିଲା ଏକ ମ୍ୟାରେଜ ବ୍ୟୁରୋ । ବାପା-ମାଙ୍କ ପାଇଁ ବୋହୂଟିଏ ଆଣିବାକୁ ମ୍ୟାରେଜ ବ୍ୟୁରୋର ସାହାରା ନେଇଥିଲେ ଜଣେ ନର୍ସିଂ କଲେଜର ପ୍ରଫେସର । ୯ ବର୍ଷ ବିତିଯାଇଥିଲେ ବି କନିଆ ମିଳିପାରିଲା ନାହିଁ । ସେପଟେ ପୁଅର ବାହାଘରକୁ ଚାହିଁ ଚାହିଁ ବାପା ଆଖିବୁଜି ଦେଇଥିବା ବେଳେ ମା’ ଏବେ ଶଯ୍ୟାସାୟୀ । ସେପଟେ ମ୍ୟାରେଜ ବ୍ୟୁରୋ ବିରୋଧରେ ପ୍ରଫେସର ଜଣଙ୍କ ଗ୍ରାହକ ବିବାଦ ସମାଧାନ କମିଶନରେ ଅଭିଯୋଗ କରିଥିଲେ । ଏବେ ତାଙ୍କୁ କ୍ଷତିପୂରଣ ଦେବ ମ୍ୟାରେଜ ବ୍ୟୁରୋ । 

ରିପୋର୍ଟ ଅନୁଯାୟୀ, କେରଳର କନ୍ନୁରରେ ରହୁଥିବା ଜଣେ ନର୍ସିଂ କଲେଜ ପ୍ରଫେସର ୨୫ ନଭେମ୍ବର ୨୦୧୬ରେ ଏକ ମ୍ୟାରେଜ୍ ବ୍ୟୁରୋରେ ନିଜ ନାମ ପଞ୍ଜୀକରଣ କରିଥିଲେ। ଏଥିପାଇଁ ସେ ୩,୦୦୦ ଟଙ୍କା ମଧ୍ୟ ଦେଇଥିଲେ। ବ୍ୟୁରୋ ତାଙ୍କୁ ଖୁବଶୀଘ୍ର ଜଣେ ଯୋଗ୍ୟ କନିଆ ଖୋଜିଦେବାକୁ ଆଶ୍ୱାସନା ଦେଇଥିଲା। କିନ୍ତୁ ଦୀର୍ଘ ୯ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ୟୁରୋ ପକ୍ଷରୁ ତାଙ୍କୁ ଗୋଟିଏ ହେଲେ ବି ଉପଯୁକ୍ତ ବିବାହ ପ୍ରସ୍ତାବ ଦିଆଯାଇ ନଥିଲା।

ପ୍ରଫେସର ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପ୍ରତିବର୍ଷ ବ୍ୟୁରୋ ତାଙ୍କ ପ୍ରୋଫାଇଲ୍ ସକ୍ରିୟ ଥିବା କହି ମାମଲାକୁ ଏଡ଼ାଇ ଚାଲୁଥିଲା। ତାଙ୍କର ବୃଦ୍ଧ ପିତାମାତା ପୁଅର ବାହାଘର ଦେଖିବାକୁ ଚାହୁଁଥିଲେ। କିନ୍ତୁ ଏହି ଅପେକ୍ଷା ମଧ୍ୟରେ ଅକ୍ଟୋବର ୨୦୨୫ରେ ତାଙ୍କ ପିତାଙ୍କର କର୍କଟ (କ୍ୟାନ୍ସର) ରୋଗରେ ମୃତ୍ୟୁ ହୋଇଥିଲା ଏବଂ ବର୍ତ୍ତମାନ ତାଙ୍କ ମା' ମଧ୍ୟ ଅସୁସ୍ଥ ଅଛନ୍ତି। ଯଦି ବ୍ୟୁରୋ ସମୟ ସୀମା ମଧ୍ୟରେ କାର୍ଯ୍ୟ କରିଥାନ୍ତା, ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ସେ କହିଛନ୍ତି।

ମାମଲା ଗ୍ରାହକ ଫୋରମରେ ପହଞ୍ଚିବା ପରେ ମ୍ୟାରେଜ୍ ବ୍ୟୁରୋ ପକ୍ଷରୁ କେହି ହାଜର ହୋଇ ନଥିଲେ କିମ୍ବା କୌଣସି ଜବାବ ଦିଆଯାଇ ନଥିଲା। ଅନ୍ୟପଟେ ପୀଡ଼ିତ ବ୍ୟକ୍ତି ଜଣଙ୍କ ନିଜର ପଞ୍ଜୀକରଣ ଫର୍ମ ଏବଂ ଟଙ୍କା ଜମାର ରସିଦ୍ କମିଶନଙ୍କ ସାମ୍ନାରେ ଉପସ୍ଥାପନ କରିଥିଲେ। ଏହି ପ୍ରମାଣ ଆଧାରରେ କମିଶନ ତାଙ୍କ ରାୟ ଶୁଣାଇଛନ୍ତି। କମିଶନ ଜୁନ୍ ୩୦ରେ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ, ବ୍ୟୁରୋ ନିଜର ପ୍ରତିଶ୍ରୁତି ମୁତାବକ ସେବା ଯୋଗାଇବାରେ ବିଫଳ ହୋଇଛି, ଯାହା ଗ୍ରାହକ ସେବା ଉଲ୍ଲଂଘନର ସ୍ପଷ୍ଟ ମାମଲା। ଏଥିପାଇଁ ମ୍ୟାରେଜ୍ ବ୍ୟୁରୋକୁ ୩୦ ଦିନ ମଧ୍ୟରେ ଅର୍ଥ ଫେରସ୍ତ କରିବାକୁ କୁହାଯାଇଛି ।

୩,୦୦୦ ଟଙ୍କା - ପଞ୍ଜୀକରଣ ଫିସ୍ ଫେରସ୍ତ

୩,୦୦୦ ଟଙ୍କା - ମାନସିକ ନିର୍ଯାତନା ପାଇଁ କ୍ଷତିପୂରଣ

୨,୦୦୦ ଟଙ୍କା - ମାମଲା ପରିଚାଳନା ଖର୍ଚ୍ଚ

ବ୍ୟୁରୋ ୩୦ ଦିନ ମଧ୍ୟରେ ଯଦି ଏହି ଅର୍ଥ ପ୍ରଦାନ ନକରେ, ତେବେ ଆଦେଶ ଆସିବା ତାରିଖ ଠାରୁ ମୂଳ ଟଙ୍କା ଉପରେ ବାର୍ଷିକ ୯ ପ୍ରତିଶତ ସୁଧ ଦେବାକୁ ପଡ଼ିବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି।