ତେହେରାନ,|୦୬ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ ଲାଗି ଚୂଡ଼ାନ୍ତ ହେବାକୁ ଥିବା ଶାନ୍ତି ବୁଝାମଣାକୁ ବିଶ୍ଵ ନେତାମାନେ ସ୍ବାଗତ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଲଢ଼େଇ ବନ୍ଦ କରିବା ଲାଗି ହୋଇଥିବା ସହମତିକୁ ସ୍ବାଗତ। ଏହି ସଂଘର୍ଷ ଯୋଗୁ ସାରା ଦୁନିଆରେ ଗମ୍ଭୀର ଆର୍ଥକ ସମସ୍ୟା ସୃଷ୍ଟି ହୋଇଛି ଏବଂ ଅନେକ ଲୋକଙ୍କ ଜୀବନ ଯାଇଛି। ଶାନ୍ତି ଚୁକ୍ତି ଲାଗୁ ହେବା ପରେ ଶାନ୍ତି ଏବଂ ସ୍ଥିରତା ଫେରିବ ବୋଲି ଆଶା। ଏବେ ସମୁଦ୍ରମାର୍ଗରେ ବାଣିଜ୍ୟ ଏବଂ ଜାହାଜ ଚଳାଚଳ ସ୍ବାଭାବିକ ହୋଇପାରିବ। ବାକି ଥିବା ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ଆଗକୁ ବଢ଼ିବ ଏବଂ ସମାଧାନର ଏକ ସ୍ଥାୟୀ ରାସ୍ତା ବାହାରିବ ବୋଲି ମୋଦି ଆଶା ବ୍ୟକ୍ତ କରିଛନ୍ତି।

ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଏହି ଚୁକ୍ତିକୁ ଶାନ୍ତି ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି । ଏବେ ଯୁଦ୍ଧର ଅନ୍ଧାର ପରେ ଶାନ୍ତିର ସୂର୍ଯ୍ୟ ଉଦୟ ହୋଇଥିବା ସେ ପ୍ରକାଶ କରିଛନ୍ତି । ଯୁଦ୍ଧ ବନ୍ଦ ଲାଗି ଉଦ୍ୟମ ପାଇଁ ପାକିସ୍ତାନ ଏବଂ କାତାରର ମଧ୍ୟସ୍ଥିତାକୁ ଚୀନ୍ ପ୍ରଶଂସା କରିଛି। ହୋର୍ମୁଜରେ ସୁରକ୍ଷିତ ଜାହାଜ ଚଳାଚଳ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଚୀନ୍ ଆଶା ବ୍ୟକ୍ତ କରିଛି।

କୁଏତ ମଧ୍ୟ ପାକିସ୍ତାନ ଏବଂ ଜାତାର ମଧ୍ୟସ୍ଥତାରେ ଏହି ଚୁକ୍ତି ହୋଇ ପାରିଥିବା କହି ଦୁଇ ଦେଶର ଭୂମିକାକୁ ପ୍ରଶଂସା କରିଛି। ହୋର୍ମୁଜରେ ସୁରକ୍ଷିତ ଭାବେ ଜାହାଜ ଚଳାଚଳ ଏବଂ ସ୍ଥାୟୀ ଶାନ୍ତି ଲାଗି ସାଉଦି ଆରବ ଆଶା ବ୍ୟକ୍ତ କରିଛି। ବୁଝାମଣାର ସମସ୍ତ ସର୍ଭ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ଏବଂ ଯୁଦ୍ଧ ବନ୍ଦ କରାଯିବା ଜରୁରି ବୋଲି ୟୁଏଇ କହିଛି।

ଅନ୍ତର୍ଜାତୀୟ ଆଇନ ଅନୁସାରେ ବିବାଦର ସମାଧାନକୁ ଜୋର୍ଡାନ ସମର୍ଥନ କରିଛି I ଶାନ୍ତି ପ୍ରତିଷ୍ଠା ଲାଗି ଏହି ବୁଝାମଣା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ଇଜିପ୍ଟ କହିଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ଏହି ବୁଝାମଣାକୁ ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ଭାବେ ଅଭିହିତ କରିଛନ୍ତି।