ମାଙ୍ଗାଲୁରୁ: ପ୍ରତିଦିନ ସକାଳେ ଶେଷପା ଯେତେବେଳେ ନିଜ କର୍ମସ୍ଥଳରେ ପହଞ୍ଚନ୍ତି, ସେତେବେଳେ ତାଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସେ ଟୟୋଟା ଫର୍ଚୁନର ଆସନ୍ତି । କିନ୍ତୁ ପହଞ୍ଚିବା ମାତ୍ରେ ତାଙ୍କଠାରେ କୌଣସି ଗର୍ବ ଦେଖିବାକୁ ମିଳେନାହିଁ । ସେ ଗାଡ଼ିରୁ ଓହ୍ଲାନ୍ତି, ଝାଡ଼ୁ ଉଠାନ୍ତି ଏବଂ ରାସ୍ତା ଓଳାଇବା ଆରମ୍ଭ କରିଦିଅନ୍ତି ।

ଶେଷପାଙ୍କ ପାଇଁ ଏଥିରେ ଅସ୍ବାଭାବିକତା ନାହିଁ । ଦିନେ ମାତ୍ର ୫୦ ଟଙ୍କା ରୋଜଗାର କରୁଥିବା ଏହି ବ୍ୟକ୍ତି ଜଣକ ଆଜି ଲକ୍ଷ ଲକ୍ଷ ଟଙ୍କାର ଗାଡ଼ିର ମାଲିକ । ତଥାପି ଏହି ଆର୍ଥିକ ସଫଳତା ତାଙ୍କ କାମ ପ୍ରତି ଥିବା ଦୃଷ୍ଟିକୋଣକୁ ବଦଳାଇ ପାରିନାହିଁ । ରାସ୍ତା ଓଳାଇବା ହେଉ, ଅଳିଆ ଗାଡ଼ି ଚଲାଇବା ହେଉ, ଚାମ କାମ କରିବା କିମ୍ବା ଗାଈ ଚରାଇବା, ତାଙ୍କ ମତରେ ଯେ ପ୍ରତ୍ୟେକ କାମର ସମାନ ସମ୍ମାନ ରହିଛି ।

ମାଙ୍ଗାଲୁରୁ ଉପକଣ୍ଠ ନାଭୁର ବାସିନ୍ଦା ଶେଷପାଙ୍କ ଜୀବନ ହେଉଛି ସଂଘର୍ଷ, କଠିନ ପରିଶ୍ରମର ଏକ ସୁନ୍ଦର କାହାଣୀ । ୧୯୯୬ ମସିହାରେ ଶେଷପା ସଫେଇ କର୍ମଚାରୀ ଭାବେ ଯୋଗ ଦେଇଥିଲେ । ଚାକିରିର ଆରମ୍ଭ ଦିନଗୁଡ଼ିକରେ ସେ ଦିନକୁ ମାତ୍ର ୫୦ ଟଙ୍କା ମଜୁରି ପାଉଥିଲେ । ଆର୍ଥିକ ଏବଂ ବ୍ୟକ୍ତିଗତ ଉଭୟ ଦିଗରୁ ଏହି ବର୍ଷଗୁଡ଼ିକ କଷ୍ଟକର ଥିଲା । ମଦ ପିଇ ଜୀବନକୁ ଆହୁରି ଜଟିଳ କରିଦେଇଥିଲେ ।

୨୦୦୫ ମସିହାରେ ତାଙ୍କ ଜୀବନରେ ଏକ ବଡ଼ ମୋଡ଼ ଆସିଥିଲା । ବଣ୍ଟୱାଲ ଥାନାର ତତ୍କାଳୀନ ସବ୍-ଇନ୍ସପେକ୍ଟର ବେଲ୍ଲିୟାପ୍ପାଙ୍କ ସହ କଥାବାର୍ତ୍ତା ହେବା ପରେ ଶେଷପା ନିଜ ରାସ୍ତା ବଦଳାଇଥିଲେ । ସେ ମଦ ପିଇବା ଛାଡ଼ି ନୂଆ ଜୀବନ ଆରମ୍ଭ ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିବର୍ତ୍ତନ ରାତିସାରା ହୋଇ ନ ଥିଲା । ଡିସିପ୍ଲିନ, କଠିନ ପରିଶ୍ରମ ଏବଂ ଯେକୌଣସି କାମ କରିବାର ଇଚ୍ଛାଶକ୍ତି ମାଧ୍ୟମରେ ସେ ଧୀରେ ଧୀରେ ନିଜ ଜୀବନକୁ ଗଢ଼ିଥିଲେ ।

ନିଜର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଶେଷପା ଏକାସାଙ୍ଗରେ ଏକାଧିକ କାମ କରିବା ଆରମ୍ଭ କଲେ । ସେ ସକାଳ ୫ଟାରୁ ଦିନ ଆରମ୍ଭ କରୁଥିଲେ । ରାସ୍ତାରୁ ଆବର୍ଜନା ଓଳାଇବା ଏବଂ ଅଞ୍ଚଳକୁ ସଫା ରଖିବା ତାଙ୍କର ପ୍ରଥମ କାମ ଥିଲା । ଏହା ସହ ସେ ଅଫିସର ଆବର୍ଜନା ସଫା କରୁଥିବା ଗାଡ଼ି ଚଲାଇବାର ଦାୟିତ୍ୱ ମଧ୍ୟ ନେଇଥିଲେ । କିନ୍ତୁ ତାଙ୍କର କାମ ସେତିକିରେ ଶେଷ ହେଉ ନ ଥିଲା । ଅପରାହ୍ନରେ ସେ କୃଷି, ଗୋପାଳନ ଏବଂ ଅନ୍ୟାନ୍ୟ ଦିନମଜୁରି କାମ କରୁଥିଲେ । ଶେଷପାଙ୍କ ପାଇଁ କୌଣସି କାମ ସାନ କିମ୍ବା ବଡ଼ ନଥିଲା । ସମୟ ସହ ଏହି ମନୋଭାବ ତାଙ୍କୁ ଆର୍ଥିକ ସ୍ଥାୟିତ୍ୱ ଆଡ଼କୁ ନେଇଯାଇଥିଲା ।

ଶେଷପାଙ୍କ ଜୀବନର ସବୁଠାରୁ ଦୁଃଖଦ ଅଧ୍ୟାୟ ଥିଲା ତାଙ୍କ ପିତାଙ୍କ ବିୟୋଗ। ସେହି ସମୟରେ ତାଙ୍କ ପାଖରେ ପିତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ଯଥେଷ୍ଟ ଟଙ୍କା ନଥିଲା। ସାହାଯ୍ୟ କରିବାକୁ କେହି ନଥିବାରୁ, ସେ ନିଜେ ପିତାଙ୍କ ମୃତଦେହକୁ ନେତ୍ରାବତୀ ନଦୀ କୂଳକୁ ବୋହି ନେଇଥିଲେ ଏବଂ ନିଜ ହାତରେ ଶେଷକୃତ୍ୟ କରିଥିଲେ।

ଆଜି ଶେଷପାଙ୍କ ସ୍ଥିତି ସେହି ଦୁଃଖଦ ଦିନଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଅଲଗା। ବର୍ଷ ବର୍ଷର କଠିନ ପରିଶ୍ରମ ବଳରେ ସେ ନିଜକୁ ଆର୍ଥିକ ସ୍ବଚ୍ଛଳ କରିପାରିଛନ୍ତି ଏବଂ ଏକ ଫର୍ଚୁନର ଗାଡ଼ିର ମାଲିକ ହୋଇଛନ୍ତି। ତଥାପି ଏହି ଦାମୀ ଗାଡ଼ି ତାଙ୍କ କାମ ପ୍ରତି ଥିବା ନିଷ୍ଠାକୁ ବଦଳାଇ ପାରିନାହିଁ । ସେ ଆଜି ବି ବିଶ୍ୱାସ କରନ୍ତି ଯେ ସମ୍ମାନ ଜଣେ ଚଲାଉଥିବା ଗାଡ଼ି କିମ୍ବା ତାଙ୍କର ପଦବୀରୁ ମିଳିନଥାଏ, ବରଂ ନିଜ ଦାୟିତ୍ୱକୁ କେତେ ନିଷ୍ଠାର ସହ ପାଳନ କରାଯାଉଛି, ସେଥିରୁ ମିଳିଥାଏ ।

ଶେଷପାଙ୍କ ଜୀବନର ମୂଳମନ୍ତ୍ର ହେଉଛି, "କର୍ମ ହିଁ ଭଗବାନ"। ତାଙ୍କ ଜୀବନ ଯାତ୍ରା ପ୍ରମାଣ କରେ ଯେ ସଫଳତାର ଅର୍ଥ ସାଧାରଣ କାମରୁ ଦୂରେଇ ଯିବା ନୁହେଁ । ତାଙ୍କ ପାଇଁ ସଫଳତା ହେଉଛି ନିଜର ପରିସ୍ଥିତିକୁ ସୁଧାରିବା, କିନ୍ତୁ ଯେଉଁ କାମ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି, ତାହା ପ୍ରତି କେବେ ଅସମ୍ମାନ ନକରିବା । ଦିନକୁ ୫୦ ଟଙ୍କା ରୋଜଗାର ଏବଂ ବ୍ୟକ୍ତିଗତ କଷ୍ଟକର ସମୟରୁ ବର୍ଷ ବର୍ଷର ସଂଘର୍ଷ ଦ୍ୱାରା ନିର୍ମିତ ଏହି ଆର୍ଥିକ ସଫଳତା, ଶେଷପାଙ୍କ ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ ଦିଏ ।