ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଫଳାଫଳକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ସୋମବାର ସନ୍ଧ୍ୟାରେ ସେ କହିଛନ୍ତି, ‘ତିନିଟା ବେଳୁ ସେମାନେ ଆମକୁ ମାରୁଛନ୍ତି। ସେମାନେ ମୋତେ ଗୋଇଠା ମାରିଲେ ଏବଂ ସିସିଟିଭି ବନ୍ଦ କରିଦେଲେ। ଆମର ଜଣେ ଏଜେଣ୍ଟଙ୍କୁ ଭିତରକୁ ଯିବାକୁ ଦେଲେନି। ମୁଁ ୫ ମିନିଟ ପାଇଁ ଯାଇଥିଲି। ସେମାନଙ୍କୁ ଗୁହାରି କରିଥିଲି ଯେ, ଆମ ଏଜେଣ୍ଟଙ୍କୁ ଆସିବାକୁ ଦିଆଯାଉ। ସେମାନେ ମତେ ଆଶ୍ବାସନା ମଧ୍ୟ ଏଭଳି କରିନଥିଲେ। ମୁଁ ଏନେଇ ସମସ୍ତଙ୍କୁ ଅଭିଯୋଗ କରିଛି।’

ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି, ‘ବିଜେପି ୧୦୦ରୁ ଅଧିକ ସିଟ୍ ଲୁଟିଛନ୍ତି। ନିର୍ବାଚନ ଆୟୋଗ ବିଜେପିର ଆୟୋଗ। ମୁଁ ସିଇଓ ଏବଂ ମନୋଜ ଅଗ୍ରଓ୍ବାଲଙ୍କୁ ଅଭିଯୋଗ କରିଛି, କିନ୍ତୁ ସେମାନେ କିଛି କରୁନାହାଁନ୍ତି। ଆପଣ ଏହାକୁ ବିଜୟ କହୁଛନ୍ତି ? ଏହା ଅନୈତିକ ବିଜୟ, ନୈତି ନୁହେଁ। ନିର୍ବାଚନ ଆୟୋଗ ଯାହା କରିଛନ୍ତି, କେନ୍ଦ୍ରୀୟ ବଳ ସହ ମିଶି ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ସହ ମିଶି ତାହା ସଂପୂର୍ଣ୍ଣ ଅବୈଧ। ଏହା ଲୁଟ୍। ଆମେ ଫେରିବୁ।’’

Also Read: ଅମିତ ଶାହାଙ୍କ ଭବିଷ୍ୟବାଣୀ ହେଲା ସତ, ବେଙ୍ଗଲରେ ଫୁଟିଲା ପଦ୍ମ, ମେ’ ୪ରେ ବେଙ୍ଗଲରେ 'ଦିଦି'ଙ୍କୁ ଟାଟା-ବାଏ ବାଏ!

ଭବାନୀପୁରରେ ମମତା ପଛରେ

ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ମମତା ବାନାର୍ଜୀ ଭବାନୀପୁର ସିଟରେ ୧୮ ରାଉଣ୍ଡ ଗଣତି ପରେ ନିଜ ପ୍ରତିନ୍ଦ୍ବନ୍ଦ୍ବୀ ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମାତ୍ର ୧୦୯୯୪ ଭୋଟରେ ପଛୁଆ ଅଛନ୍ତି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ମମତା ବାନାର୍ଜୀ ଏପର୍ଯ୍ୟନ୍ତ ୫୬, ୨୪୫ ଭୋଟ ମିଳିଛି। ସେହିଭଳି ବିଜେପି ପଶ୍ଚିମବଙ୍ଗରେ ବଡ଼ ବିଜୟ ଆଡ଼କୁ ବଢ଼ୁଛି ଏବଂ ୨୦୮ ସିଟରେ ଆଗୁଆ ତଥା ବିଜୟୀ ହୋଇଛି। ସେହିଭଳି ଟିଏମସି ୭୯ ସିଟରେ ଆଗୁଆ ତଥା ବିଜୟୀ ହୋଇଛି।

ଗତ ନିର୍ବାଚନରେ ବିଜେପି ୭୭ ସିଟରେ ଜିତିଥିଲା

ତେବେ ପଶ୍ଚିମବଙ୍ଗରେ ବିଜେପିର ଏହି ବିଜୟ ଦଳ ପାଇଁ ଐତିହାସିକ । କାରଣ ଏଠାରେ ରାଜ୍ୟରେ ଦୀର୍ଘ ଦିନରୁ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ପରେ ଟିଏମସିର ଶାସନରେ ରହିଛି। ଗତ ବିଧାନସଭା ନିର୍ବାଚରେ ବିଜେପି ୭୭ ସିଟରେ ବିଜୟୀ ହୋଇଥିଲା। ଏହି ନିର୍ବାଚନର ଫଳଫଳରେ ବିଜେପିର ଅଟଳ ରଣନୀତି ଏବଂ ଶାସନରେ ଥିବା ଟିଏମସି ବିରୋଧରେ ସବୁ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଚାରର ପ୍ରଭାବ ଦେଖାଯାଉଛି। ବିଜେପି ବିଭିନ୍ନ ବର୍ଗ ପାଇଁ ପ୍ରତିଶ୍ରୁତିରେ ମଧ୍ୟ ତୃଣମୂଳ କଂଗ୍ରେସକୁ ପଛରେ ପକାଇଛି।