କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଦଳୀୟ ବିଧାୟକ ଓ ସାଂସଦମାନେ ବିଦ୍ରୋହ କରୁଛନ୍ତି ।  ବିଧାନସଭାରେ ବିରୋଧୀ ବିଧାୟକମାନେ ଏକ ସ୍ୱତନ୍ତ୍ର ଗୋଷ୍ଠୀ ଗଠନ କରିଥିବା ବେଳେ ସାଂସଦମାନେ ମଧ୍ୟ ଭିନ୍ନ ଗୋଷ୍ଠୀ ତିଆରି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ, ଶୁକ୍ରବାର ଦିନ ମମତା ବାନାର୍ଜୀଙ୍କ ବିରୋଧରେ କୋଲକାତାର ହେୟାର ଷ୍ଟ୍ରିଟ୍ ଥାନାରେ ଏକ FIR ରୁଜୁ ହୋଇଛି । ଏହା ସହ ପୋଲିସ ବିଭିନ୍ନ ବିଏନଏସ୍‌ ଧାରାରେ ମାମଲା ରୁଜୁ କରି ତଦନ୍ତ 

ବିବାଦର କାରଣ ଏବଂ ଅଭିଯୋଗ
ମମତା ବାନାର୍ଜୀଙ୍କ ବିରୋଧରେ ଉତ୍ତେଜନାମୂଳକ ଓ ଭ୍ରାମକ ବୟାନ ଦେଇଥିବା ଅଭିଯୋଗ ହୋଇଛି। କୋଲକାତାର ରାନୀ ରାସମନୀ ରୋଡ୍‌ରେ ଆୟୋଜିତ ଏକ ସଭାରେ ମମତା ବାନାର୍ଜୀ ବାଂଲାଦେଶରେ ଉସମାନ ହାଦିଙ୍କ ହତ୍ୟା ସମ୍ପର୍କରେ ନାମ ନନେଇ ଏକ ବିବାଦୀୟ ବକ୍ତବ୍ୟ ଦେଇଥିଲେ। ଏହି ଘଟଣାକୁ ନେଇ ସର୍ବପ୍ରଥମେ ଜଣେ ଆଇନଜୀବୀ ସିଲିଗୁଡ଼ି ସାଇବର କ୍ରାଇମ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଜଣେ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ କୋଲକାତାର ହେୟାର ଷ୍ଟ୍ରିଟ୍ ଥାନାରେ ଏତଲା ଦେଇଛନ୍ତି । ଏହା ବ୍ୟତୀତ, ଚଳିତ ବର୍ଷ ଆରମ୍ଭରେ ନିର୍ବାଚନ ପ୍ରଚାର ସମୟରେ ସେ ଏକ ସମ୍ବେଦନଶୀଳ ବୟାନ ଦେଇଥିଲେ। ସେ କହିଥିଲେ, ‘ଆପଣମାନେ ସେପର୍ଯ୍ୟନ୍ତ ସୁରକ୍ଷିତ ଅଛନ୍ତି ଯେପର୍ଯ୍ୟନ୍ତ ଆମେ ଏଠାରେ ଅଛୁ। ଯଦି ଆମେ ରହିବୁନି, ତେବେ ମାତ୍ର ଏକ ସେକେଣ୍ଡ ସମୟ ଲାଗିବ...।’ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀ ପଦରେ ଥାଇ ମମତାଙ୍କ ଏଭଳି ବୟାନକୁ  ତୀବ୍ର ସମାଲୋଚନା କରିଥିଲେ।

ମମତାଙ୍କ ବିରୋଧରେ ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ର ତିନୋଟି ଗୁରୁତର ଧାରା ଲଗାଇଛି ।  ବିଏନଏସ୍‌ ଧାରା 196 (1)ଦୁଇଟି ଭିନ୍ନ ଧାର୍ମିକ ସମୁଦାୟ ମଧ୍ୟରେ ଶତ୍ରୁତା ଓ ବିଦ୍ୱେଷ ସୃଷ୍ଟି କରିବା, ଧାରା 351 (2) ଧମକ ଦେବା କିମ୍ବା ଉସୁକାଇବା ଏବଂ ଧାରା 352  ସମାଜରେ ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ପ୍ରରୋଚନା କରିବା ଭଳି ଦଫା ମମତା ବିରୋଧରେ ରୁଜୁ କରିଛି ପୋଲି । 

ସିଆଇଡି ରାଡାରରେ ଅଭିଷେକ ବାନାର୍ଜୀ
ପରାଜୟ ପରେ କେବଳ ମମତା ବାନାର୍ଜୀ ନୁହନ୍ତି, ବରଂ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବିଧାୟକମାନଙ୍କ ଜାଲ୍ ସ୍ୱାକ୍ଷର (Forge Signature) ମାମଲାରେ CID ତାଙ୍କ ବିରୋଧରେ ତଦନ୍ତ ଚଳାଇଛି। ଏହି ସମ୍ପର୍କରେ ଗୁରୁବାର ଦିନ CID ଅଧିକାରୀମାନେ ଅଭିଷେକ ବାନାର୍ଜୀଙ୍କୁ ପ୍ରାୟ ସାଢ଼େ ପାଞ୍ଚ ଘଣ୍ଟା କାଳ ଜେରା କରିଛନ୍ତି। ସେପଟେ ମମତାଙ୍କ ବିରୋଧରେ କୋଲକାତା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ପୋଲିସ ଏହି ଉତ୍ତେଜନାମୂଳକ ବୟାନ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିବ କି ନାହିଁ।